ETV Bharat / state

ଆଦିବାସୀ ମହିଳାଙ୍କ ପାଇଁ ମାର୍ଗଦର୍ଶିକା ଜୟନ୍ତୀ ବୁରୁଦା, ଫୋର୍ବସରେ ସ୍ଥାନ ପାଇ ରାଜ୍ୟକୁ କଲେ ଗର୍ବିତ - Jayanti Buruda

author img

By ETV Bharat Odisha Team

Published : Apr 15, 2024, 5:29 PM IST

Updated : Apr 15, 2024, 6:16 PM IST

ଆଦିବାସୀ ମହିଳାଙ୍କ ପାଇଁ ମାର୍ଗଦର୍ଶିକା ଜୟନ୍ତୀ ବୁରୁଦା, ଫୋର୍ବସରେ ସ୍ଥାନ ପାଇ ରାଜ୍ୟକୁ କଲେ ଗର୍ବିତ
ଆଦିବାସୀ ମହିଳାଙ୍କ ପାଇଁ ମାର୍ଗଦର୍ଶିକା ଜୟନ୍ତୀ ବୁରୁଦା, ଫୋର୍ବସରେ ସ୍ଥାନ ପାଇ ରାଜ୍ୟକୁ କଲେ ଗର୍ବିତ

Jayanti Buruda Sets Example For Youth: ଯଦି ପ୍ରତିଭା ସହ ନିଜ ଗାଁ ପାଇଁ କିଛି କରିବାର ଦୃଢ ଆତ୍ମବିଶ୍ବାସ ରୁହେ ତେବେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। କିଛି ଏଭଳି ସର୍ବୋକୃଷ୍ଟ କାର୍ଯ୍ୟ କରି ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ସାମ୍ୱାଦିକା ମହିଳା ଭାବେ ମାନ୍ୟତା ହାସଲ କରିଛନ୍ତି ଓଡ଼ିଆ ଝିଅ ଜୟନ୍ତୀ ବୁରୁଦା । ଜୟନ୍ତୀ ବୁରୁଦାଙ୍କ ସଂଘର୍ଷମୟ କାହାଣୀ...

ଆଦିବାସୀ ମହିଳାଙ୍କ ପାଇଁ ମାର୍ଗଦର୍ଶିକା ଜୟନ୍ତୀ ବୁରୁଦା, ଫୋର୍ବସରେ ସ୍ଥାନ ପାଇ ରାଜ୍ୟକୁ କଲେ ଗର୍ବିତ

ମାଲକାନଗିରି: ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଆଦିବାସୀ ଝିଅଙ୍କ କମାଲ୍ । ବିଦେଶ ଖବରକାଗଜ ଫୋର୍ବସ୍‌ ମାଗାଜିନ୍‌ ଭାରତୀୟ ସଂସ୍କରଣ ଜାରି କରିଥିବା ତାଲିକାରେ ପ୍ରଥମ ମହିଳା ସାମ୍ୱାଦିକା ଭାବେ ସ୍ଥାନ ପାଇଛନ୍ତି ମାଲକାନଗିରିର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା । ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସଫଳତା ମିଳିଥିବା ବେଳେ ଜିଲ୍ଲା ଏବଂ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ ।

ସମାଜସେବୀ ଜୟନ୍ତୀ ବୁରୁଦା:- ନିଶାରେ ଜୟନ୍ତୀ ବୁରୁଦା ଜଣେ ସାମ୍ୱାଦିକା । ହେଲେ ନିଜ ଜିଲ୍ଲା ପାଇଁ କିଛି କରିବାର ଆଶା ତାଙ୍କୁ ଆଜି ସମାଜ ସେବୀ ଭାବେ ସ୍ୱତନ୍ତ୍ର ପରିଚୟ ଦେଇଛି । ବିକାଶରୁ ଆଜି ବି ବହୁତ ଦୂରରେ ରହିଛି ସ୍ବାଭିମାନ ଅଞ୍ଚଳ। ଅନେକ କ୍ଷେତ୍ରରେ ଅଞ୍ଚଳଟି ପଛୁଆ ରହିଛି । ମୌଳିକ ସୁବିଧା ଲୋକଙ୍କୁ ମିଳୁନଥିବା ବେଳେ ସଚେତନତାର ଘୋର ଅଭାବ ରହିଛି । ନୂଆ ଟେକ୍ନୋଲୋଜି ଏବଂ ଋତୁସ୍ରାବ ଭଳି ସ୍ବାସ୍ଥ୍ୟ ଗତ ସମସ୍ୟା ଉପରେ ଆଜିବି ମହିଳା ଜାଣିନାହାନ୍ତି । ଜୟନ୍ତୀ ଜଣେ ଆଦିବାସୀ ଝିଅ ହୋଇଥିବା ବେଳେ ସ୍ୱାଭିମାନ ଅଞ୍ଚଳର ସୁବିଧା ଅସୁବିଧା ବିଷୟରେ ଭଲଭାବେ ଅବଗତ ରହିଛନ୍ତି । ଏଭଳି ପରିସ୍ଥିତିରେ ସେ ନିଜ ଜିଲ୍ଲାବାସୀ ତଥା ଆଦିବାସୀ ଅଞ୍ଚଳବାସୀଙ୍କ ପାଇଁ କିଛି କରିବାକୁ ଅଣ୍ଟା ଭିଡିଥିଲେ। ୨୦୧୭ରୁ ସେ ଏକ ଦଳ ଗଠନ କରି ସମାଜ ସେବା କରିଆସୁଥିବା ବେଳେ ଆଜି ଦେଶ ବିଦେଶରେ ମଧ୍ୟ ମାନ୍ୟତା ହାସଲ କରିଛନ୍ତି ।

ଆଦିବାସୀ ମହିଳାଙ୍କ ପାଇଁ ମାର୍ଗଦର୍ଶିକା ଜୟନ୍ତୀ ବୁରୁଦା:- ଜୟନ୍ତୀ ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀ ମହିଳାଙ୍କ ପାଇଁ ଆଜି ଆଶାର ଆଲୋକ ଆଣିଦେଇଛନ୍ତି । ଜୟନ୍ତୀ ନିଜ ସଙ୍ଗଠନ ମାଧ୍ୟମରେ ଆଦିବାସୀ ମହିଳାଙ୍କୁ ଅଜ୍ଞ ଥିବା ବିଭିନ୍ନ ବିଷୟ ପ୍ରତି ଶିକ୍ଷା ଦେବା ସହ ସଚେତନ କରାଉଛନ୍ତି । ସେ 'ଜଙ୍ଗଲ ରାଣୀ' ଏବଂ 'ବଡ଼ ଦିଦି ୟୁନିଅନ୍' ଭଳି ସଂଗଠନ ଗଠନ କରି ସାମାଜିକ କର୍ମୀ ଭାବରେ ଏକ ସ୍ଥାନ ଖୋଦେଇ କରିଛନ୍ତି ଯାହା ଆଦିବାସୀ ମହିଳା ଏବଂ ଯୁବତୀମାନଙ୍କ ଶିକ୍ଷା ତଥା ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଉପରେ କାର୍ଯ୍ୟ କରେ । ଏହା ବ୍ୟତୀତ ଜୟନ୍ତୀ ତାଙ୍କ ଜିଲ୍ଲାର ଆଦିବାସୀ ମହିଳାମାନଙ୍କୁ ସ୍କ୍ରିପ୍ଟ ଲେଖିବା, ଫିଲ୍ଡ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ଭିଡିଓ ସୁଟିଂ ଏବଂ ଏଡିଟ୍ କରିବା ଭଳି ସାମ୍ବାଦିକତା ଅଭ୍ୟାସ ଉପରେ ତାଲିମ ପ୍ରଦାନ କରନ୍ତି ।

'ବଡ଼ ଦିଦି' ସଂଗଠନ ଗଠନ କରିବାର ଉଦ୍ଦେଶ୍ୟ:- 'ବଡ଼ ଦିଦି ଓ ଜଙ୍ଗଲ ରାଣୀ' ସଂଗଠନ ଜରିଆରେ ପଛୁଆ ଅଞ୍ଚଳର ଝିଅଙ୍କୁ ଶିଖାଇଛନ୍ତି ସ୍ଵାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟାର କଥା । ୨୦୧୭ରେ ୨୦ ଜଣ ଶିକ୍ଷିତ ଯୁବତୀଙ୍କୁ ନେଇ ଜୟନ୍ତୀ ଏକ ଦଳ ଗଠନ କରି ଏହାର ନାମ 'ବଡ଼ ଦିଦି' ରଖିଥିଲେ । ସୁଦୂର ବୃନ୍ଦା ଘାଟିର ବିଭିନ୍ନ ଗ୍ରାମକୁ ଯାଇ ଅପରିଷ୍କାର କପଡା ବ୍ୟବହାର ପରିବର୍ତ୍ତେ ଯୁବତୀମାନଙ୍କୁ ସାନିଟାରୀ ପ୍ୟାଡ୍ ବ୍ୟବହାର ବିଷୟରେ ବୁଝାଇଥିଲେ । ପରେ ୨୦୧୮ ମସିହାରେ ଜୟନ୍ତୀ ବାଡା ଦିଦି ୟୁନିଅନ୍ ଆରମ୍ଭ କରିଥିଲେ । ଏଥିସହ ପ୍ରଥମେ ୩ରୁ ୪ ଟି ସ୍ଥାନରେ ପ୍ୟାଡ୍‌ ବ୍ୟାଙ୍କ ଖୋଲିଥିଲେ । ବର୍ତ୍ତମାନ ଋତୁସ୍ରାବ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଗ୍ରାମରେ ଜୟନ୍ତୀ 'ପ୍ୟାଡ୍ ବ୍ୟାଙ୍କ' ପ୍ରତିଷ୍ଠା କରାଯାଇଛି । ଯାହା ମହିଳାଙ୍କୁ ସଚେତନ କରିବା ସହ ମାସିକ ଋତୁସ୍ରାବ ସମୟର ଅନେକ ସମସ୍ୟା ଦୂର କରିଛି ।

ପଛୁଆବର୍ଗର ଝିଅଙ୍କୁ ମାଗଣାରେ ଦିଆଯାଉଛି ତାଲିମ୍:- ୨୦ ଜଣରୁ ବର୍ତ୍ତମାନ 'ବଡ ଦିଦି' ୟୁନିଅନରେ ପ୍ରାୟ ୧୦୦ ସ୍ବେଚ୍ଛାସେବୀ ଅଛନ୍ତି । ଯେଉଁମାନେ କି ଉଚ୍ଚଶିକ୍ଷା, ବାଲ୍ୟ ବିବାହ, ମାସିକ ଋତୁସ୍ରାବ, ଆଦିବାସୀ ପ୍ରାଧାନ୍ୟ ପ୍ରାପ୍ତ ଜିଲ୍ଲାରେ ଭଲ ସ୍ପର୍ଶ ଏବଂ ଖରାପ ସ୍ପର୍ଶ ବିଷୟରେ କିଶୋରୀ ବାଳିକାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି । ପଛୁଆବର୍ଗର ଝିଅଙ୍କୁ ତିନି ଦିନିଆ ମାଗଣା ତାଲିମ୍ ଜରିଆରେ ଶିଖାଉଛନ୍ତି ସ୍ବାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟାର କଥା ।

'ଜଙ୍ଗଲ ରାଣୀ' ଲଞ୍ଚ କରିବାର କାରଣ କ'ଣ ? :- ସେହିପରି ଜୟନ୍ତୀ 'ଜଙ୍ଗଲ ରାଣୀ' ନେଟୱର୍କ ଲଞ୍ଚ କରିଥିଲେ । ଏହା ଏକ ସାମାଜିକ ଗଣମାଧ୍ୟମ ଆଧାରିତ ନ୍ୟୁଜ୍ ପ୍ଲାଟଫର୍ମ । ଯାହା ଜରିଆରେ ବଣ୍ଡାଘାଟିର ଲୋକେ ଗାଁର ସମସ୍ୟାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିପାରିବେ । ଏହି ପ୍ଲାଟଫର୍ମଟି ମାଲକାନଗିରିର ସମସ୍ତ ସାତଟି ବ୍ଲକର ୫୦ ଆଦିବାସୀ ମହିଳା ଦ୍ୱାରା ପରିଚାଳିତ । ଆଦିବାସୀ ମହିଳାମାନେ ଅନେକ ସମସ୍ୟା ପାଇଁ ସ୍ୱର ଉତ୍ତୋଳନ କରିବାରେ ଅସମର୍ଥ । ତେଣୁ ସେମାନଙ୍କୁ ନିଜ କାହାଣୀ କହିବା ଏବଂ ଆତ୍ମବିଶ୍ୱାସ ହାସଲ କରିବାରେ ସାହାଯ୍ୟ କରିବାକୁ ଏକ ପ୍ଲାଟଫର୍ମ ସୃଷ୍ଟି କରିବ ମନେ କରି ଜୟନ୍ତ୍ରୀ ଏହି ପ୍ଲାଟଫର୍ମ ଲଞ୍ଚ କରିଥିଲେ । ମୋବାଇଲ୍ ଫୋନ୍ ବ୍ୟବହାର କରି ସେମାନଙ୍କ ଜୀବନକୁ ଆଲୋକିତ କରୁଥିବା କାହାଣୀ ଏଥିରେ ଅପଲୋଡ କରାଯାଏ । ଏହା ପରେ ସର୍ବସାଧାରଣ ଦେଖିବା ପାଇଁ ଜଙ୍ଗଲ ରାନୀ ଫେସବୁକ୍ ପୃଷ୍ଠାରେ ଅପଲୋଡ୍ ହୁଏ । ଏପର୍ଯ୍ୟନ୍ତ, ପ୍ରକାଶିତ କାହାଣୀଗୁଡିକ ଆଦିବାସୀ ସମ୍ପ୍ରଦାୟ ଏବଂ ଜଙ୍ଗଲ ଏବଂ ଜୈବ ବିବିଧତା ମଧ୍ୟରେ ସମ୍ପର୍କ ଉପରେ ଆଧାରିତ ।
ଏହା ମଧ୍ୟ ପଢନ୍ତୁ: ଅନ୍ୟମାନଙ୍କ ପାଇଁ ପ୍ରେରଣା, ହାତଗୋଡ ନଥାଇ ବି ସଂଘର୍ଷ କରୁଛନ୍ତି ଛାତ୍ର

ସଫଳତା ନଥିଲା ସହଜ, ସଂଘର୍ଷମୟ ଜୟନ୍ତୀ ବୁରୁଦାଙ୍କ ଜୀବନୀ:- ପ୍ରଥମରୁ ସ୍ନାତକ ଯାଏଁ ଜୟନ୍ତୀ ନିଜ ପାଠପଢା ନିଜ ଗାଁରେ ମାଲକାନଗିରିରେ ସାରିଥିଲେ । ପରେ ସାମ୍ୱାଦିକା ଭାବରେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହୁଁଥିବାବେଳେ ତାଙ୍କ ପିତାମାତା ଏହାକୁ ବିରୋଧ କରିଥିଲେ । ତଥାପି ସେ ନିଜ ଇଚ୍ଛାକୁ ବାଦ୍ ଦେଇନଥିଲେ । ସେ ତାଙ୍କ ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ସାଙ୍ଗମାନଙ୍କ ସାହାଯ୍ୟରେ କୋରାପୁଟ ଭିତ୍ତିକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା କରିଥିଲେ । କାରଣ ମାଲକାନଗିରି ସର୍ବଦା ନକ୍ସଲ ବିରୋଧୀ କାର୍ଯ୍ୟକଳାପ ପାଇଁ ଧ୍ୟାନ ଆକର୍ଷଣ କରିଆସୁଥିଲେ । ମାଓବାଦୀ କାର୍ଯ୍ୟକଳାପ ବ୍ୟତୀତ ଅନେକ ପ୍ରସଙ୍ଗକୁ ହାଇଲାଇଟ୍ କରିବା ଆବଶ୍ୟକ । ସେ ନିଜ ଜିଲ୍ଲାର ଆଦିବାସୀ ମହିଳାଙ୍କ ଦୁଃଖ ବିଷୟରେ ଆଲୋକିତ କରିବାକୁ ଚାହୁଁଥିଲେ । ଏଣୁ ସେ ଜଣେ ଲେଖିକା ବା ସାମ୍ୱାଦିକା ହେବାକୁ ଚାହୁଁଥିଲେ, ଯାହାଦ୍ୱାରା ସେ ନିଜ ଜିଲ୍ଲାବାସୀ ଏବଂ ଆଦିବାସୀ ମହିଳାଙ୍କ ପ୍ରତି ହେଉଥିବା ଅବେହଳାକୁ ଲୋକଲୋଚନକୁ ଆଣିପାରିବେ । ତେବେ ଆଜି ତାଙ୍କର ଏହି ଚେଷ୍ଟା ଆଜି ସଫଳ ହୋଇଥିବା ପରିଲକ୍ଷିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଅନ୍ତର୍ଜାତୀୟ ଖବରକାଗଜରେ ଚମକିଲେ ଆଦିବାସୀ ଝିଅ ଜୟନ୍ତୀ

ଜୟନ୍ତୀଙ୍କ ପ୍ରଶଂସାରେ ଜିଲ୍ଲାବାସୀ:- ତେବେ ଏହିପରି ମହାନ କାର୍ଯ୍ୟ କରି ଆଜି ଜୟନ୍ତୀ ବିଦେଶରେ ମାନ୍ୟତା ହାସଲ କରି ଜିଲ୍ଲା ଏବଂ ରାଜ୍ୟକୁ ଗୌରାବାନ୍ୱିତ କରିବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାଦାୟୀ । ସେପଟେ ଜୟନ୍ତୀଙ୍କ ସହ କାମ କରି ଅନେକ କିଛି ଶିଖିବା ସହ ଖୁସି ଲାଗୁଥିବା କହିଛନ୍ତି ବଡ଼ ଦିଦି ସଙ୍ଗଠନର ସଦସ୍ୟ । ଅନ୍ୟପଟେ ତାଙ୍କ ଅଦମ୍ୟ ସାହାସ, ଚେଷ୍ଟା ଏବଂ ଦୃଢ ବିଶ୍ୱାସ ଦେଖି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ମାଲକାନଗିରି ଜିଲ୍ଲାବାସୀ ।

ଇଟିଭି ଭାରତ, ମାଲକାନଗିରି

Last Updated :Apr 15, 2024, 6:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.