ETV Bharat / state

ଆରମ୍ଭ ହେଲା ସାହିଯାତ, ବୀର ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର - SAHI JATA

author img

By ETV Bharat Odisha Team

Published : Apr 18, 2024, 6:09 PM IST

ରାମ ନବମୀରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପ୍ରସିଦ୍ଧ ସାହିଯାତ
ରାମ ନବମୀରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପ୍ରସିଦ୍ଧ ସାହିଯାତ

Sahi Jata Festival: ପାରମ୍ପରିକ ବୀର ବାଦ୍ୟରେ କମ୍ପିଲା ଶ୍ରୀକ୍ଷେତ୍ର । ସାହି ସାହିରେ ବୁଲିଲା ସାହିଯାତ ମେଢ଼ । ଏହା ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ମେ ୧ ତାରିଖରେ ଶେଷ ହେବ । ଅଧିକ ପଢନ୍ତୁ

ରାମ ନବମୀରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପ୍ରସିଦ୍ଧ ସାହିଯାତ

ପୁରୀ: ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ସାହିଯାତ । ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ ଲୀଳା ସାହିଯାତର ପରିବେଷଣ ହେଉଛି । ପାରମ୍ପରିକ ବୀର ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର ମାଟି । ସାହିଯାତରେ ରାମଲୀଳା ସହ ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ନାଗା, ମେଢ଼ ସମେତ ପାରମ୍ପରିକ କ୍ରୀଡ଼ା ଆଦି ପ୍ରଦର୍ଶନ କରାଯାଉଛି ।

ପରମ୍ପରା ଅନୁଯାୟୀ ପ୍ରଥମ ଦିବସରେ କାଳୀକାଦେବୀ ସାହି ପକ୍ଷରୁ ରାମାୟଣର ପୌରାଣିକ ଚରିତ୍ର ବାହାରି ପ୍ରଭୁ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଛି । ରାମ, ଲକ୍ଷ୍ମଣ, ଶତ୍ରୁଘ୍ନ, ଭରତ, ଋଷ୍ୟଶୃଙ୍ଗ ମୁନି ଚରିତ୍ର ବାହାରି ପ୍ରଥମେ ଦକ୍ଷିଣ କାଳୀଙ୍କୁ ଦର୍ଶନ କରିବା ସହ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲେ । ପରେ ଏହି ଚରିତ୍ର ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେଠାରେ ରାମଜନ୍ମ ନୀତି ସମ୍ପାଦନା କରିବା ପରେ ନଗର ପରିକ୍ରମା କରିଥିଲେ । ସେହିପରି ଜାଗା ଘରର ଯୁବକମାନେ ପାରମ୍ପରିକ କ୍ରୀଡ଼ା କୌଶଳ ଦେଖାଇଥିବା ବେଳେ କାଳୀକାଦେବୀ ସାହିରୁ ବାହାରି ବନ୍ଧୁ ସାହି ମାଟି ମଣ୍ଡପ ସାହିକୁ ଏହା ପ୍ରଦକ୍ଷଣ କରିଥିଲା ।

ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବ ମୁଖରିତ । ଆମୋଦ ପ୍ରିୟ ଶ୍ରୀକ୍ଷେତ୍ରବାସୀ ବେକରେ ମଲ୍ଲି ଫୁଲ ଓ ଗଜରା ମାଳ ପକାଇ ସାହିଯାତକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ତେବେ ସାହିଯାତର ଦ୍ବିତୀୟ ଦିବସରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞରକ୍ଷା ପ୍ରସ୍ତାବ ଆଗତ ହେବା ସହ ନାକ, କାନ ଅସୁର ବାହାରି ନିଜ ସାହି ଓ ବନ୍ଧୁ ସାହି ବାଲି ସାହିରେ ନୃତ୍ୟ ପ୍ରଦର୍ଶନ କରିବେ । ପରେ ଏମାନେ ଜଗନ୍ନାଥ ବଲ୍ଲଭ ମଠ ଯିବା ସହ ଠାକୁରଙ୍କ ଚଳନ୍ତି ପ୍ରତିମା ମଧ୍ୟ ସେଠାରେ ବିଜେ କରିବେ । ଏହାପରେ ଶ୍ରୀରାମ ଲୀଳାର ଯଜ୍ଞରକ୍ଷା ନୀତି ସମ୍ପନ୍ନ ହେବ । ତେବେ ପୁରୀର ପାରମ୍ପରିକ ସାହିଯାତ ଏକ ଅନନ୍ୟ ପରମ୍ପରା ।

ଏହା ମଧ୍ୟ ପଢନ୍ତୁ.....ଖପୁରିଆ ପହଞ୍ଚିଲା ଆଜ୍ଞାମାଳ, ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥକାଠ ଚିରଟ ଅନୁକୂଳ - Ratha Katha Chirat

ଆଗାମୀ ଦିନରେ ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ବଜେଟ ଅନୁମୋଦନ କରିବା ପାଇଁ ଉଦ୍ୟମ କରାଯିବା ଆବଶ୍ୟକ ବୋଲିସାହି ମୁରବି ଅନୁରୋଧ କରିଥିବା ବେଳେ ଏଥିରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସପି ପିନାକ ମିଶ୍ର ଯୋଗ ଦେଇଥିଲେ । ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସାହିଯାତକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଏହି ସାହିଯାତ ଆସନ୍ତା ମେ ୧ ତାରିଖରେ ଶେଷ ହେବ । ତେବେ ଏହି ପ୍ରସିଦ୍ଧ ସାହିଯାତକୁ ସହରବାସୀ ବେଶ୍ ଉପଭୋଗ କରୁଥିବା ବେଳେ ଏଥିରେ ଭକ୍ତ ଓ ପର୍ଯ୍ୟଟକଙ୍କ ବେଶ୍‌ ଭିଡ ମଧ୍ୟ ଦେଖିବାକୁ ମିଳିଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.