ETV Bharat / state

‘ପ୍ରୋଜେକ୍ଟ ଓଡିସର୍ଭ’ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Mar 2, 2024, 8:07 AM IST

Dharmendra Pradhan
Dharmendra Pradhan

Project ODISERV Inaugurates: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ‘ପ୍ରୋଜେକ୍ଟ ଓଡିସର୍ଭ”ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ l ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କିଂ, ଫାଇନାନ୍ସ ଓ ବୀମା କ୍ଷେତ୍ରରେ ଅଧିକ ଦକ୍ଷ ଓ ରୋଜଗାରକ୍ଷମ କରାଇବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ଏହା କାର୍ଯ୍ୟକରିବ । ଅଧିକ ପଢନ୍ତୁ

ODISERV

ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଠାରେ “ପ୍ରୋଜେକ୍ଟ ଓଡିସର୍ଭ”ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଭାରତ ସରକାରଙ୍କ ଅଧୀନ ଏନଏସଡିସି ଓ ବଜାଜ ଫିନସର୍ଭର ମିଳିତ ବୁଝାମଣାରେ ଏହି ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା । ସମ୍ବଲପୁର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କିଂ, ଫାଇନାନ୍ସ ଓ ବୀମା କ୍ଷେତ୍ରରେ ଅଧିକ ଦକ୍ଷ ଓ ରୋଜଗାରକ୍ଷମ କରାଇବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ଏହା କାର୍ଯ୍ୟ କରିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣିତ ହୋଇଥିବା ଜାତୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ସହାୟକ ହେଉଛି । ରୋଜଗାରକ୍ଷମ କରିବା ପାଇଁ କେବଳ ଡିଗ୍ରୀ ପର୍ଯ୍ୟାପ୍ତ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ସାମର୍ଥ୍ୟ ଓ ଦକ୍ଷତା ବଢାଇବା ପାଇଁ ପଡିବ । ତେଣୁ ଡିଗ୍ରୀ ଯେତିକି ଗୁରୁତ୍ୱପୂର୍ଣ୍ଣ, ଦକ୍ଷତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସମାଜର ନୂଆପିଢି ବିଶେଷତଃ ଗ୍ରାଜୁଏସନ କରୁଥିବା ସାଧାରଣ ଘରର ପିଲାମାନଙ୍କ ଦକ୍ଷତା ବଢିବା ଦରକାର । ସେହି ପରିପ୍ରେକ୍ଷୀରେ ବ୍ୟାଙ୍କିଂ, ଆର୍ଥିକ ସେବା ଏବଂ ବୀମାକ୍ଷେତ୍ରରେ ଯୁବପିଢିଙ୍କ ଦକ୍ଷତା ବିକାଶ ପାଇଁ ଦେଶର ଅଗ୍ରଣୀ ଫାଇନାନ୍ସ କମ୍ପାନୀ ବଜାଜ୍ ଫିନସର୍ଭ ଓ ଏନଏସଡିସି ମଧ୍ୟରେ ବୁଝାମଣା ହେବା ଖୁସିର ବିଷୟ । ଏହି ଆର୍ଥିକ ସେବା ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶାର ଯୁବଶକ୍ତିଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବ । ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସେବା କ୍ଷେତ୍ରରେ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଚାରୀଙ୍କୁ ପ୍ରସ୍ତୁତ କରିବ । ''

ସେ ଆହୁରି ମଧ୍ୟ କହିଥିଲେ, '' ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଅଧୀନରେ ବ୍ୟାଙ୍କିଂ, ଫାଇନାନ୍ସ, ବୀମା କ୍ଷେତ୍ରରେ ରୋଜଗାରକ୍ଷମ ହେବା ପାଇଁ ଏନଏସିଡିସିର ସହଯୋଗରେ ଛାତ୍ରଛାତ୍ରୀଙ୍କୁ ୧୦୦ ଦିନିଆ ପ୍ରଶିକ୍ଷଣ ଦିଆଯିବ । ଆର୍ଥିକ ସେବା, ଆକାଉଣ୍ଟ୍ ସହାୟକ, ସେଲ୍ ସହାୟକ, ବ୍ୟବସାୟ ପ୍ରତିନିଧି, ବୀମା ଏଜେଣ୍ଟ, ଡାଟା ଆନାଲିଷ୍ଟ, କ୍ରେଡିଟ୍ ପ୍ରୋସେସିଂ ଅଫିସର, ଲୋନ ଏଜେଣ୍ଟ ଏବଂ ଜିଏସଟି ସହାୟକ ଆଦି ପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯୁବକ ମାନଙ୍କୁ ପ୍ରଶିକ୍ଷିତ କରିବ । ଓଡ଼ିଶାରେ ମୋଟ ୬୦ଟି କଲେଜରେ ଏହି ପ୍ରଶିକ୍ଷଣ ଆରମ୍ଭ କରାଯିବାର ଯୋଜନା ଥିବା ବେଳେ ସମ୍ବଲପୁରରେ ପ୍ରାୟ ୧୭ଟି କଲେଜରେ ଏଭଳି ପ୍ରଶିକ୍ଷଣ ଆରମ୍ଭ ହେଉଛି । ବର୍ତ୍ତମାନ ସୁଦ୍ଧା ୧୧୦୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ଏହି ପ୍ରଶିକ୍ଷଣରେ ନାମ ଲେଖାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଜଣ ନିଯୁକ୍ତି ପତ୍ର ପାଇଛନ୍ତି । ପ୍ରୋଜେକ୍ଟ ଓଡିସର୍ଭ ଆମର ଯୁବବର୍ଗଙ୍କୁ ସଶକ୍ତ କରିବ, ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରିବା ସହ ଆକାଂକ୍ଷା ପୂରଣ କରିବ l ''

ଏହା ମଧ୍ୟ ପଢନ୍ତୁ-IIM ସମ୍ବଲପୁରରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପର ଶୁଭାରମ୍ଭ
'' ଆଜି ଭାରତର ଅଭିବୃଦ୍ଧି ହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ ୬ରୁ ୮ ପ୍ରତିଶତ ବୃଦ୍ଧି ହେଉଛି । ଏହି ସମୟରେ ନିଜ ଗୋଡରେ ଠିଆ ହେବା ତଥା ଆତ୍ମନିର୍ଭର ହେବା ସମୟର ଆହ୍ୱାନ ଅଟେ । ଏହି ଅବସରରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଫାଇନାନ୍ସ ସେକ୍ଟରରେ ସୁଯୋଗ ଦେବା ପାଇଁ ଦେଶର ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ବଜାଜ୍ ଫିନସର୍ଭ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ବଜାଜ କେବଳ ଔଦୋଗିକ ସମୂହ ନୁହେଁ ଏହା ସାମାଜିକ ଉତ୍ତର ଦାୟିତ୍ୱର ବିକଳ୍ପ ନାମ । ଏହି ଶିକ୍ଷାନୁଷ୍ଠାନର ପିଲାମାନେ ଏହି ପ୍ରଶିକ୍ଷଣ ନେବା ପରେ ସେମାନଙ୍କୁ ବଜାରରେ ନିଯୁକ୍ତି ପାଇଁ ପ୍ରସ୍ତୁତି ଦରକାର । ଏହା ଆତ୍ମନିର୍ଭରତାର ପ୍ରଶିକ୍ଷଣ । ଏହି ସାର୍ଟିଫିକେଟ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଅଭିବୃଦ୍ଧିରେ ସହାୟକ ହେବ । '' ଏହି ଅବସରରେ ସ୍କିଲ ଇଣ୍ଡିଆ ଡିଜିଟାଲ, ଅପାର ଆଇଡି ସହ ଯୋଡି ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ୱାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବ୍ୟାଙ୍କିଂ, ଫାଇନାନ୍ସ ସହ ଇନ୍ସୁରାନ୍ସରେ ଅନେକ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଟ୍ରେନିଂ ନେଇ ନିଯୁକ୍ତ ପାଇଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । କାର୍ଯ୍ୟକ୍ରମରେ ବଜାଜ ଫିନସର୍ଭର ସିଏମଡି ସଞ୍ଜୀବ ବଜାଜ୍ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.