ETV Bharat / state

ହାଇକୋର୍ଟ ନିର୍ଦ୍ଦେଶକୁ ଫୁ ! ରାତି ଅଧରେ ଉଠୁଛି ଶହଶହ ଟ୍ରିପ ବାଲି, କୋଟିକୋଟି ଟଙ୍କା ରାଜସ୍ବ ହାନି

author img

By ETV Bharat Odisha Team

Published : Feb 17, 2024, 9:43 PM IST

ରାତି ଅଧରେ ଉଠୁଛି ଶହଶହ ଟ୍ରିପ ବାଲି
ରାତି ଅଧରେ ଉଠୁଛି ଶହଶହ ଟ୍ରିପ ବାଲି

Sand mafia active in Cuttack: ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା । ସୀମା ପାର କରି ରାତି ଅଧରେ ଚାଲିଛି ବାଲି ଲୁଟ, ଦେବୀ ନଦୀ ଦୁର୍ବଳ ହେବା ଆଶଙ୍କା । କୋଟି କୋଟି ଟଙ୍କା ରାଜସ୍ବ ହାନି । ଅଧିକ ପଢ଼ନ୍ତୁ

ରାତି ଅଧରେ ଉଠୁଛି ଶହଶହ ଟ୍ରିପ ବାଲି

ନିଆଳି: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମୋଡିମକଚି ଦେଇଛନ୍ତି ବାଲି ମାଫିଆ । ରାତି ଅଧରେ ଅବାଧରେ ମେସିନ ସାହାଯ୍ୟରେ ହେଉଛି ବାଲି ଲୁଟ । ନଦୀବନ୍ଧ କୂଳବର୍ତ୍ତୀ ଓ ନିଷେଧାଞ୍ଚଳରୁ ବାଲି ଖନନ ଚାଲିଥିବା ନେଇ ଅଭିଯୋଗ ହୋଇଛି । ସେହିପରି ବିନା ୱାଇଫର୍ମରେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ ଅଧିନସ୍ଥ ବ୍ରାହ୍ମଣବାଟି ପଞ୍ଚାୟତରୁ । ଦେବୀ ନଦୀର ବଡ଼ ଖରମଙ୍ଗା ପୂର୍ବର ବାମ ପାର୍ଶ୍ବର ଅଲିପଡା ବାଲିଘାଟରୁ ଚାଲିଛି ଏଭଳି ଚୋରାଚାଲାଣ । ଏବେ ଏସବୁ ବାଲିଘାଟକୁ ତଦାରଖ ସହ ଚୋରା ବାଲିକୁ ରୋକିବା ପାଇଁ ମାଇନ୍ସ ବିଭାଗକୁ ଦିଆଯାଇଛି ଦାୟିତ୍ଵ ।

କଣ୍ଟାପଡ଼ା ବ୍ଲକ ଅଲିପଡା ଦେବୀ ନଦୀ ବାଲିଘାଟରୁ ରାତି ଅଧରେ ଅବାଧରେ ମେସିନ ସାହାଯ୍ୟରେ ଚାଲିଛି ବାଲି ଲୁଟ ।‌ ଯାହାଦ୍ବାରା ରାଜ୍ୟ ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି । ଏହି ଘାଟିରୁ ପ୍ରତ୍ୟେକ ଦିନ ରାତିରେ ପ୍ରାୟ ୫ ଶହରୁ ଊର୍ଦ୍ଧ୍ବ ଟ୍ରକ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏହି ବାଲିଘାଟ କାହା ନାମରେ ଅଛି, ତାହା ସାଧାରଣ ଲୋକେ ଜାଣିବା ପାଇଁ କୌଣସି ସୂଚନା ଫଳକ ଲାଗିନଥିବା ସୂଚନା ମିଳିଛି । ଏପରିକି ଏହି ବାଲିଘାଟ ସରକାରୀ ସ୍ଵୀକୃତି ଅନୁସାରେ ଚାଲିଛି କି ନାହିଁ, ତାହା ମଧ୍ୟ ଅସ୍ପଷ୍ଟ ବୋଲି ସ୍ଥାନୀୟ ଲୋକେ ଏବଂ ଆଇନଜୀବୀ ମାନେ କହିଛନ୍ତି । ଯଦି ସରକାରୀ ସ୍ଵୀକୃତିପ୍ରାପ୍ତ, ତେବେ ଏହି ବାଲିଘାଟ କାହା ନାଁରେ ରହିଛି ଏବଂ କେତେ ପରିମିତ ଓ ପରିଧି ମଧ୍ୟରେ ବାଲି ଉଠିପାରିବ, କୌଣସି ସୂଚନା କିମ୍ବା ଘାଟ ନିକଟରେ ସୂଚନା ଫଳକଟିଏ ନାହିଁ । ସେତିକି ନୁହେଁ, ଟ୍ରକ ଯୋଗେ ଅବାଧରେ ଓଭରଲୋଡ ବାଲି ଚାଲାଣ ହେଉଥିଲେ ସୁଦ୍ଧା କଣ୍ଟାପଡ଼ା ତହସିଲ ଅଧିକାରୀ କିମ୍ବା କଟକ ଜିଲ୍ଲା ପରିବହନ ବିଭାଗର ଧରପଗଡ ହେଉନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବେଆଇନ ବାଲି ଉଠାଣରେ ରୋକ୍, ଖଣି ବିଭାଗ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

ଅଲିପଡା ଦେବୀ ନଦୀ କୂଳ ଓ ଗର୍ଭରୁ ଲକ୍ଷାଧିକ ଟ୍ରିପ ବାଲି ଚାଲାଣ ହୋଇସାରିଲାଣି । କିନ୍ତୁ ଏହି ବାଲି ରାଜସ୍ବ ରାଜ୍ୟ ସରକାରଙ୍କ ତହବିଲକୁ ଯାଇଛି ନାଁ ଆଉ କାହା ପକେଟକୁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ବାଲିଘାଟରୁ ଲୁଟକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହିତ ନିତି ନିୟମ ଅନୁସାରେ ଚାଲିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହାସତ୍ତ୍ବେ କିପରି ଏଭଳି ରାତିଅଧରେ ମେସିନ ସାହାଯ୍ୟରେ ବିନା ୱାଇଫର୍ମରେ ବାଲି ଚାଲାଣ ହେଉଛି ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି । ଏପରିକି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଏଭଳି ବେଆଇନ କାର୍ଯ୍ୟ ଅଭିଯୋଗ ସମ୍ପର୍କରେ କଟକ ଜିଲ୍ଲା ମାଇନ୍ସ ଅଧିକାରୀ ସମ୍ବିଦ ସାହୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା । କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଦେବୀ ନଦୀ ଅଲିପଡା ବାଲିଘାଟ ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.