ETV Bharat / state

ମିଶନ ଶକ୍ତିରେ ମହାଦୁର୍ନୀତି, RTIରୁ ମିଳିଲା କୋଟି କୋଟି ଟଙ୍କା ହେରଫେରର ତଥ୍ୟ - MISSION SHAKTI

author img

By ETV Bharat Odisha Team

Published : Apr 17, 2024, 8:25 PM IST

କେନ୍ଦ୍ରାପଡାରେ ମିଶନ ଶକ୍ତିରେ ମହାଦୁର୍ନୀତି, RTIରୁ ମିଳିଲା କୋଟି କୋଟି ଟଙ୍କା ହେରଫେରର ତଥ୍ୟ
କେନ୍ଦ୍ରାପଡାରେ ମିଶନ ଶକ୍ତିରେ ମହାଦୁର୍ନୀତି, RTIରୁ ମିଳିଲା କୋଟି କୋଟି ଟଙ୍କା ହେରଫେରର ତଥ୍ୟ

Corruption In Mission Shakti: କେନ୍ଦ୍ରାପଡାରେ ମିଶନଶକ୍ତିରେ କୋଟି କୋଟି ଟଙ୍କା ହରିଲୁଟର ଅଭିଯୋଗ ଆଣିଛି ଓଡିଶା ସୂଚନା ଅଧିକାର ଅଭିଯାନ । RTI ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ଜନିତ ବ୍ୟୟର ତଥ୍ୟ ମାଗିଲେ ସୁଦ୍ଧା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉତ୍ତର ରଖୁନାହାନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ମିଶନ ଶକ୍ତିରେ ମହାଦୁର୍ନୀତି, RTIରୁ ମିଳିଲା କୋଟି କୋଟି ଟଙ୍କା ହେରଫେରର ତଥ୍ୟ

କେନ୍ଦ୍ରାପଡା: ମିଶନ ଶକ୍ତି ଆଳରେ ହୋଇଛି ମହାଦୁର୍ନୀତି । ଏଭଳି ଅଭିଯୋଗ ଆସିଛି ଖୋଦ୍ ମିଶନଶକ୍ତି ସଚିବଙ୍କ ପୈତୃକ ଜିଲ୍ଲାରେ । ଗତକାଲି (ମଙ୍ଗଳବାର) ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଭିଯାନର କେନ୍ଦ୍ରାପଡା ଜିଲ୍ଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି କହିଥିଲେ ଯେ,ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗରେ କେନ୍ଦ୍ରାପଡା ଜିଲ୍ଲାରେ ଚାଲିଥିବା ଯୋଜନା ନାମରେ ଆଖି ବୁଜା ଦୁର୍ନୀତି ଓ ମନମୁଖୀ କାର୍ଯ୍ୟ ଚାଲିଛି ।

ସୂଚନା ଅଧିକାର ଆଇନରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଜାତୀୟ ଜୀବିକା ମିଶନରୁ ଓଡିଶା ଜୀବିକା ମିଶନକୁ ପାଣ୍ଠି ପ୍ରଦାନ କରୁଛନ୍ତି ମହିଳା ମାନଙ୍କ ବିକାଶ ନିମନ୍ତେ ଓ ମିଶନ ଶକ୍ତି ବିଭାଗକୁ ପୃଥକ ଭାବେ ୨୦୧୮-୧୯ ଠାରୁ ୨୦୨୩-୨୪ ପର୍ଯ୍ୟନ୍ତ ପୃଥକ ଭାବେ କେତେ ପାଣ୍ଠି ଆସିଛି ଆଉ କେତେ ଖର୍ଚ୍ଚ ହୋଇଛି ତାହାର ସବିଶେଷ ବିବରଣୀ ପ୍ରଦାନ ନିମନ୍ତେ ଆବେଦନ କରାଯାଇଥିଲା । କେନ୍ଦ୍ର ତାହାର ତଥ୍ୟ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମଧ୍ୟ ତଥ୍ୟ ପ୍ରଦାନ କରିଛନ୍ତି । ତଥ୍ୟ କହୁଛି ଜାତୀୟ ଜୀବିକା ମିଶନରୁ ହଜାର ହଜାର କୋଟି ଟଙ୍କା ମିଶନ ଶକ୍ତି ବିଭାଗକୁ ଆସିଛି ଯାହାକୁ ବିଭିନ୍ନ ଯୋଜନାରେ ସେମାନେ କାମରେ ଲଗାଇଛନ୍ତି । କିନ୍ତୁ ଜାତୀୟ ଜୀବିକା ମିଶନ ରାଜ୍ୟ ଜୀବିକା ମିଶନକୁ ଅନୁଦାନ ଦେଇଥିବା ବେଳେ ମିଶନ ଶକ୍ତି ବିଭାଗକୁ ସିଧାସଳଖ କୌଣସି ଅନୁଦାନ ରାଶି ଦେଇ ନଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ସ୍ପଷ୍ଟ କରୁଛି ।

ଏହା ମଧ୍ୟ ପଢନ୍ତୁ... ଦୁର୍ନୀତିର ଗନ୍ତାଘର ପାଲଟିଛି କି ପୁରୀ ପୌର ପାଳିକା ? 3 ବର୍ଷରୁ ହୋଇନି ଅଡିଟ - Corruption Allegation

ପୁନଶ୍ଚ ସୁଚନା ଅଧିକାର ଆଇନରେ ମିଶନ ଶକ୍ତି କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ କୈଳାସ ଚନ୍ଦ୍ର ସେନାପତି ତଥ୍ୟ ପ୍ରଦାନ କରିଛନ୍ତି ଯେ ମିଶନ ଶକ୍ତି ମାଧ୍ୟମରେ ଜିଲ୍ଲା ସ୍ତରରେ କେବଳ ସ୍କୁଟର ଯୋଜନା ଓ ମହିଳା ମାନଙ୍କୁ ଋଣ ପ୍ରଦାନ ବ୍ୟତୀତ ଆଉ କୌଣସି ଯୋଜନା କାର୍ଯ୍ୟକାରୀ ହୋଇ ନାହିଁ । ୨୦୧୮-୧୯ ଠାରୁ ୨୦୨୩-୨୦୨୪ ପର୍ଯ୍ୟନ୍ତ କି ସରକାରଙ୍କ ତରଫରୁ କୌଣସି ଯୋଜନା ବାବଦକୁ ପାଣ୍ଠି ଆସି ନାହିଁ କି ଖର୍ଚ୍ଚ ମଧ୍ୟ ହୋଇ ନାହିଁ । କିନ୍ତୁ ମିଶନ ଶକ୍ତି ବିଭାଗ ଦେଇଥିବା ତଥ୍ୟ କହୁଛି ମହିଳା ମାନଙ୍କ ଦକ୍ଷତା ବିକାଶ ଠାରୁ ଆରମ୍ଭ କରି ମିଶନ ଶକ୍ତି ଗୃହ ନିର୍ମାଣ ଇତ୍ୟାଦି ପର୍ଯ୍ୟନ୍ତ ହଜାର ହଜାର କୋଟି ଖର୍ଚ୍ଚ ହୋଇଛି ଜିଲ୍ଲା ମାନଙ୍କରେ । ସିଡିପିଓ,ମହାକାଳପଡା ପ୍ରଦାନ କରିଥିବା ଅସମ୍ପୂର୍ଣ୍ଣ ତଥ୍ୟ ଅନୁଯାୟୀ ତାଲିମ ଓ ଦଷତା ବିକାଶ ଓ ଯାତାୟତ ସହାୟତା ବାବଦକୁ ୨୫ଲକ୍ଷ ୨୪ହଜାର ୫୨୮ ଟଙ୍କା ମିଳିଥିବା ବେଳେ ସେଥିରୁ ୨୩ଲକ୍ଷ ୯୩ହଜାର ୨୦୩ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୮-୧୯ ରୁ ୨୦୨୩-୨୦୨୪ ରେ ଏବଂ ଅଫିସ କଂଟିଜେନ୍ସି ପାଣ୍ଠି ବାବଦରେ ଖର୍ଚ ୧୨ଲକ୍ଷ ୨ହଜାର ୮୬୭ ଟଙ୍କା ଦର୍ଶାଇ ଥିବା ବେଳେ ତାହାର କୌଣସି ବିଲ/ଭାଉଚର ପ୍ରଦାନ କରି ନାହାନ୍ତି ।

ସୂଚନା ଅଧିକାର କର୍ମୀ ଶରତ କୁମାର ପରିଡା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କେନ୍ଦ୍ରାପଡାଙ୍କୁ ସୂଚନା ଅଧିକାର ଆଇନରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି କେନ୍ଦ୍ରାପଡାଙ୍କ ୨୦୧୮ ମସିହା ଠାରୁ ୨୦୨୩ ଡିଏଲଫକୁ ସରକାରଙ୍କ ଠାରୁ କେଉଁ କେଉଁ ଯୋଜନା ବାବଦକୁ କେତେ ପାଣ୍ଠି ପ୍ରାପ୍ତ ହୋଇଛି ଓ ଏଥିରୁ କେତେ ରାଶି ଖର୍ଚ ହୋଇଛି ସେହି ଖର୍ଚର ବିଲ/ଭାଉଚର,କ୍ୟାସ ବୁକ ଓ ଅଧିବେଶନ ଖାତା,ବ୍ୟାଙ୍କ ପାସବୁକ ଏବଂ ଅଧିବେଶନର ଜିପିଆରଏସ ଫଟୋ କପି ପ୍ରଦାନ ନିମନ୍ତେ ମାଗିଥିବା ବେଳେ କିନ୍ତୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୈାଣସି ତଥ୍ୟ ପ୍ରଦାନ କରିନାହାନ୍ତି । ଏହି ତଥ୍ୟକୁ ଆଧାର କରି ସୂଚନା ଅଧିକାର ଅଭିଯାନ ତରଫରୁ ଏହି ଦୁର୍ନୀତି ଉପରେ ତଦନ୍ତ ନିମନ୍ତେ ଆୟକର ବିଭାଗ, ଅର୍ଥନୈତିକ ଅପରାଧିକ ଶାଖା, ଭିଜିଲାନ୍ସ ନିର୍ଦ୍ଦେଶାଳୟ ଇତ୍ୟାଦିଙ୍କ ନିକଟରେ ଅଭିଯୋଗ କରିଥିଲେ ଓ ସୂଚନା ଅଧିକାର ଆଇନରେ ଅର୍ଥନୈତିକ ଅପରାଧିକ ଶାଖା ଚିଠି ନଂ-୫୮୬ ତା ୮/୨/୨୦୨୪ ରିଖରେ ଜଣାଇଛନ୍ତି । ଅଭିଯୋଗ ଉପରେ ତଦନ୍ତ ନିମନ୍ତେ ଭିଜିଲନ୍ସ କଟକଙ୍କୁ ତଦନ୍ତ ନିମନ୍ତେ ପ୍ରଦାନ କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.