ETV Bharat / state

ଦୁର୍ନୀତିର ଗନ୍ତାଘର ପାଲଟିଛି କି ପୁରୀ ପୌର ପାଳିକା ? 3 ବର୍ଷରୁ ହୋଇନି ଅଡିଟ - Corruption allegation

author img

By ETV Bharat Odisha Team

Published : Apr 10, 2024, 9:46 AM IST

ଦୁର୍ନୀତିର ଗନ୍ତାଘର ପୁରୀ ପୌର ପାଳିକା
ଦୁର୍ନୀତିର ଗନ୍ତାଘର ପୁରୀ ପୌର ପାଳିକା

Puri Municipality: ଦୁର୍ନୀତିର ଗନ୍ତାଘର ପାଲଟିଛି ପୁରୀ ପୌରପାଳିକା । ଦୀର୍ଘ 3 ବର୍ଷ ହେବ ଅଡିଟ ହୋଇନଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଦୁର୍ନୀତିର ଗନ୍ତାଘର ପୁରୀ ପୌର ପାଳିକା

ପୁରୀ: ଦୁର୍ନୀତିର ଗନ୍ତାଘର ପାଲଟିଛି ପୁରୀ ପୌର ପାଳିକା । ଦୀର୍ଘ 3 ବର୍ଷ ହେବ ଅଡିଟ ହୋଇନଥିବା ଅଭିଯୋଗ । ବିଭିନ୍ନ ଯୋଜନା ନାଁରେ ଆସୁଥିବା କୋଟି କୋଟି ଟଙ୍କାର ଅର୍ଥକୁ କରାଯାଇଛି ହେରଫେର୍ । ପୌର କାର୍ଯ୍ୟାଳୟର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କେତେକ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ମିଳିତ କଳା କାରନାମା ଯୋଗୁ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରାଯାଇଛି । ରାଜ୍ୟ ନଗର ଉନ୍ନୟନ ଏବଂ ଅର୍ଥ ବିଭାଗକୁ ରାଜ୍ୟ ଲୋକାଲ୍ ଫଣ୍ଡ ଅଡିଟ୍ ନିର୍ଦ୍ଦେଶାଳୟ ଚିଠି କରିବା ପରେ ଏହି ଘଟଣା ନଜରକୁ ଆସିଛି ।

ସୂଚନା ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରୁ ୨୦୨୦-୨୧ ବର୍ଷ ପର୍ଯ୍ୟନ୍ତ ତଥା ଏହି ତିନିବର୍ଷ ପୌର ସଂସ୍ଥାର ଆର୍ଥିକ କାରବାରର ଅଡିଟ୍ ହୋଇପାରିନାହିଁ । ପୌର ସଂସ୍ଥାର କ୍ୟାସ ବୁକ୍ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ରେକର୍ଡ ଠିକ୍ ଭାବେ ପରିଚାଳନା କରାଯାଉ ନଥିବାରୁ ଅଡିଟ୍ ହୋଇପାରୁ ନଥିବା ସୂଚନା ମିଳିଛି । ତେବେ ଏହି ସମୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ନଗର କଂଗ୍ରେସ୍ ସଭାପତି ଓ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଅଡିଟ୍ କରାଯାଉ ବୋଲି ଦାବି କରିଛନ୍ତି । ୨୦୧୮-୧୯ ରୁ ୨୦୨୦-୨୧ ପର୍ଯ୍ୟନ୍ତ ଅଡିଟ୍ ହୋଇନଥିବାରୁ ୨୦୨୩-୨୪ ଆର୍ଥିକ ବର୍ଷର ମଧ୍ୟ ଅଡିଟ୍ ହୋଇପାରୁନାହିଁ । ନିୟମ ମୁତାବକ ପୂର୍ବ ବର୍ଷର ଅଡିଟ୍ କାର୍ଯ୍ୟ ଶେଷ ହେବା ପରେ ପରବର୍ତ୍ତୀ ବର୍ଷ ଗୁଡ଼ିକର ଅଡିଟ୍ ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ... ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, 4 କିମି ଭାରରେ ବୁହାହେଲେ ଗର୍ଭବତୀ - Pregnant Woman Carried In Sling

ସେପଟେ ପୌର କାର୍ଯ୍ୟାଳୟର ଅଡିଟ୍ ହୋଇପାରିନଥିବା ବେଳେ ଏନେଇ ଖୋଦ୍ ପୁରୀ ଜିଲ୍ଲାପାଳ ମଧ୍ୟ ଅବଗତ ନଥିବା କହିଛନ୍ତି । ତେବେ ପୁରୀ ପୌର ସଂସ୍ଥାର ଜିଲ୍ଲାପାଳ ମୁଖ୍ୟ ଦାୟିତ୍ଵରେ ଥିବାବେଳେ ସେ କିଭଳି ଅଡିଟ୍ ସମ୍ପର୍କରେ ଜାଣି ନାହାଁନ୍ତି ସେନେଇ ପ୍ରଶ୍ନ ଉଠିଛି । କେବଳ ସେତିକି ନୁହେଁ କୋଣାର୍କ NACରେ ମଧ୍ୟ ଅଡିଟ୍ କାର୍ଯ୍ୟ ହୋଇନଥିବା ଲୋକାଲ ଫଣ୍ଡ ଅଡିଟ ନିର୍ଦ୍ଦେଶାଳୟ ଚିଠିରୁ ଜଣାପଡିଛି । ସେପଟେ ଜିଲ୍ଲାପାଳଙ୍କ କହିବା କଥା ଏନେଇ ସେ ଅବଗତ ହେବା ପରେ ଖୁବଶୀଘ୍ର ପରବର୍ତ୍ତୀ ପଦକ୍ଷେପ ନେବେ । ପୁରୀ ପୌର ପାଳିକା ଏବଂ କୋଣାର୍କ NACରେ ଦୀର୍ଘ ତିନି ବର୍ଷ ହେବ ଅଡିଟ୍ ହୋଇନଥିବା ବେଳେ ବ୍ୟାପକ ଦୁର୍ନୀତିକୁ ନେଇ ପୁରୀ ଜିଲ୍ଲା ପ୍ରଶାସନକୁ ବୁଦ୍ଧିଜୀବୀ କଡ଼ା ସମାଲୋଚନା କରିଛନ୍ତି । ତେବେ ପୁରୀ ଜିଲ୍ଲାପାଳ ଏ ଦିଗରେ ବିହିତ ପଦକ୍ଷେପ ନେଇ ପ୍ରଶାସନ ଉପରେ ଲାଗିଥିବା କଳଙ୍କକୁ ହଟାଇବା ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.