ETV Bharat / state

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, 4 କିମି ଭାରରେ ବୁହାହେଲେ ଗର୍ଭବତୀ - Pregnant woman carried in sling

author img

By ETV Bharat Odisha Team

Published : Apr 9, 2024, 10:34 AM IST

Pregnant woman carried in sling
Pregnant woman carried in sling

Pregnant woman carried in sling: ମାଲକାନଗିରିରେ ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ସମସ୍ୟା ଯୋଗୁଁ ଭାରରେ ବୁହାହେଲେ ଗର୍ଭବତୀ । 4 କିଲୋମିଟର ପାହାଡିଆ ରାସ୍ତା ଓ ନାଳ ପାର କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଲେ ସମ୍ପର୍କୀୟ । ଅଧିକ ପଢନ୍ତୁ

Pregnant woman carried in sling

ମାଲକାନଗିରି: ପୁଣି ଭାରରେ ବୁହାହେଲେ ଗର୍ଭବତୀ । ମାଓ ପ୍ରବଣ ଜିଲ୍ଲା ମାଲକାନଗିରିରୁ ଜନନୀ ଯନ୍ତ୍ରଣାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ଯାହା ସରକାରଙ୍କ ଢୋଲପିଟା ବିକାଶର ଅସଲ ଚିତ୍ର ପଦାରେ ପକାଇଛି । ରାସ୍ତା ସମସ୍ୟା ଯୋଗୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ପାଖାପାଖି 4 କିଲୋମିଟର ଭାରରେ ବୋହି ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଲେ ସମ୍ପର୍କୀୟ ଲୋକେ ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଧୁଲିପୁଟ ପଞ୍ଚାୟତ ଅନ୍ତର୍ଗତ ଅନୁବିରିଡା ଗ୍ରାମର ଶ୍ୟାମ ଦୁରୁଆଙ୍କ ପତ୍ନୀ ଆପାଲାମା ଇଙ୍ଗିଙ୍କୁ ସୋମବାର ସକାଳେ ଗର୍ଭଯନ୍ତ୍ରଣା ହୋଇଥିଲା । ଗ୍ରାମରେ ମୋବାଇଲ ନେଟଓ୍ୱର୍କରେ ସମସ୍ୟା ଯୋଗୁଁ ଶେଷରେ ପାହାଡ ଚଢି 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଶ୍ୟାମ ଦୁରୁଆ । ଖବର ପାଇ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗ୍ରାମକୁ ରାସ୍ତା ନଥିବାରୁ ପାଖାପାଖି 4 କିଲୋମିଟର ଦୂରରେ ଅଟକି ରହିଥିଲା । ଫଳରେ ଅନ୍ୟ କିଛି ଉପାୟ ନପାଇ ପ୍ରବଳ ଗର୍ଭ ଯନ୍ତ୍ରଣା ମଧ୍ୟରେ ମହିଳାଙ୍କୁ ଏକ ଭାରରେ ବୋହି ପାହାଡିଆ ରାସ୍ତା ଓ ଆଣ୍ଠୁଏ ଉଚ୍ଚର ପାଣି ଥିବା ନାଳ ପାର କରି ଶେଷରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ ଆମ୍ବୁଲାନ୍ସ କର୍ମଚାରୀ ଓ ଗର୍ଭବତୀଙ୍କ ସମ୍ପର୍କୀୟ ।

ଏହାମଧ୍ୟ ପଢନ୍ତୁ.. ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନଥିବାରୁ ୩ କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ଗର୍ଭବତୀଙ୍କୁ ପ୍ରଥମେ ଜନବାଇ ଡାକ୍ତରଖାନା ଓ ପରେ ଚିତ୍ରକୋଣ୍ଡା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ସୌଭାଗ୍ୟବଶତଃ ଦୁହେଁ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ବି ବିଭିନ୍ନ ମୌଳିକ ସୁବିଧା ବଞ୍ଚିତ ମାଲକାନଗିରି । ରାସ୍ତା, ମୋବାଇଲ ନେଟୱର୍କ ଭଳି ସମସ୍ୟାରେ ଯୁଝି ହେଉଛି ଉପାନ୍ତ ଜିଲ୍ଲା । ସରକାର ଏଠି ଗୁରୁପ୍ରିୟା ସେତୁ କରି ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଘୋଷଣା କଲେ କିନ୍ତୁ ଏଠାକାର ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ସ୍ୱାଭିମାନ ଅଞ୍ଚଳ ବିକାଶ ପଥେ ବୋଲି ସରକାର ଡିଣ୍ଡିମ ପିଟି ବାଃ ବାଃ ନେଉଥିବା ବେଳେ ସାଧାରଣ ଲୋକେ ଏବେବି ସମସ୍ୟା ଘେରରେ ରହିଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଅନୁବିରିଡା ଗାଁ ।

ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ । ଯାହା ଅତ୍ୟନ୍ତ ବିଡମ୍ୱନାର ବିଷୟ । ଗର୍ଭଯନ୍ତ୍ରଣା ମଧ୍ୟରେ ଏଭଳି ବିପଦପୂର୍ଣ୍ଣ ଭାବେ ଭାରରେ ବୁହାହେବା ମାଲକାନଗିରିରେ ନିତିଦିନିଆ ଘଟଣା ହୋଇଗଲାଣି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏଭଳି ସମସ୍ୟାର ସମାଧାନ ସରକାର କେବେ କରୁଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.