ETV Bharat / state

ମିଳିଲାନି ଟିକଟ, କଂଗ୍ରେସ ଉପରେ ବର୍ଷିଲେ ସୁଦର୍ଶନ - Congress Ticket Issue

author img

By ETV Bharat Odisha Team

Published : Apr 29, 2024, 8:25 PM IST

Sudarshan Das Press Meet
Sudarshan Das Press Meet

Sudarshan Das Press Meet: 10 ବର୍ଷ ଧରି ଜଳେଶ୍ବରରେ ସଂଗଠନ ବଞ୍ଚାଇଥିବା ସୁଦର୍ଶନ ଦାସଙ୍କୁ ଟିକଟ ଦେଲାନି କଂଗ୍ରେସ । ପ୍ରେସମିଟ୍‌ କରି ରାଜ୍ୟ ନେତୃତ୍ବଙ୍କ ଉପରେ ବର୍ଷିଲେ ସୁଦର୍ଶନ । ଅଧିକ ପଢ଼ନ୍ତୁ

Sudarshan Das Press Meet

ବାଲେଶ୍ଵର: ଜଳେଶ୍ଵର ବିଧାନସଭା ଆସନରେ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏମିତି କି ରାଜ୍ୟ କଂଗ୍ରେସ ଉପରେ ଆଶାୟୀ ପ୍ରାର୍ଥୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବର୍ଷିଛନ୍ତି । ଜଳେଶ୍ବର ବଡବଜାର ନିକଟରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ତାଙ୍କୁ ଦଳ ଚଳିତ ନିର୍ବାଚନ ଲଢ଼ିବାର ସୁଯୋଗ ଦେଇନଥିବାରୁ ସେ ଅସନ୍ତୋଷ ଝାଡ଼ିଥିଲେ ।

ରାଜ୍ୟ ନେତୃତ୍ବ ପ୍ରାର୍ଥୀ ଚୟନରେ ଭୁଲ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ ନକରିବାକୁ ସେ ସହଜରେ ଗ୍ରହଣ କରିପାରିନାହାନ୍ତି । ଦୀର୍ଘ 10 ବର୍ଷ ଧରି ସେ କଂଗ୍ରେସ ସହ ରହିଥିବା ବେଳେ ତାଙ୍କୁ ଟିକଟ ଦିଆ ନଯାଇ ଦେବୀପ୍ରସନ୍ନ ଚାନ୍ଦଙ୍କୁ ଟିକଟ ଦେବା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁଦର୍ଶନ । କଂଗ୍ରେସ ଦଳରେ ଆତ୍ମଘାତୀମାନେ ରହି ଏଭଳି ଚୟନ ପ୍ରକ୍ରିୟା କରୁଥିବା ଅଭିଯୋଗ କରିଛନ୍ତି ସୁଦର୍ଶନ । ଏପରିକି କଂଗ୍ରେସ ଦଳର ପ୍ରାର୍ଥୀ ଚୟନରେ ଯେଉଁସବୁ ନିୟମ ରହିଛି, ତାହା ପାଳନ କରାଯାଉନଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସେ । ଜଳେଶ୍ବରରୁ ଭୁବନେଶ୍ବର ଯାଏଁ କଂଗ୍ରେସ ଦଳର ବହୁ ନେତୃତ୍ବ ଦଳରେ ରହି ବିଜେଡି- ବିଜେପି ସହ ଭିତିରି ସମ୍ପର୍କ ରଖିଥିବା ସେ ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: କଟକ-ବାରବାଟୀରୁ ଲଢିବେ ସୋଫିଆ ଫିରଦୋସ, ବଦଳିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ - Congress Candidate List

ତେବେ ଆଗାମୀ ଦିନରେ ଏଭଳି ନେତାଙ୍କ ବିରୋଧରେ ସ୍ବର ଉଠାଇବା ସହିତ, ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ବାର୍ତ୍ତାକୁ ନେଇ ଘରେ ଘରେ ପହଞ୍ଚାଇବେ ବୋଲି କହିଛନ୍ତି ସୁଦର୍ଶନ । କଂଗ୍ରେସରେ ରହି କଂଗ୍ରେସ ଦଳକୁ ଆବର୍ଜନା ମୁକ୍ତ କରିବାକୁ ସେ ସର୍ବଦା ପ୍ରୟାସ କରୁଥିଲେ ଏବଂ ଆଗାମୀ ଦିନରେ ତାଙ୍କର ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ସୁଦର୍ଶନ ।

ପ୍ରକାଶ ଯୋଗ୍ୟ, ଗତକାଲି (ରବିବାର) ଦୁଇଟି ଲୋକସଭା ଓ 8 ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ସମ୍ବଲପୁର ସାଂସଦ ପ୍ରାର୍ଥୀ ଭାବେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ବଦଳାଇ ନୂଆକରି କଂଗ୍ରେସରେ ଯୋଗ ଦେଇଥିବା ନଗେନ୍ଦ୍ର ପ୍ରଧାନଙ୍କୁ ଟିକଟ ଦେଇଛି ଦଳ । ସେହିଭଳି 8 ବିଧାନସଭା ଟିକେଟ ମଧ୍ୟରେ ରହିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ପ୍ରାର୍ଥୀଙ୍କ ନାମ । ଦୀର୍ଘ ଦିନରୁ ଏଠାରେ ସଂଗଠନ ସମ୍ଭାଳିଥିବା ସୁଦର୍ଶନ ଦାସଙ୍କୁ ଟିକେଟ ନଦେଇ ଦେବୀପ୍ରସନ୍ନ ଚାନ୍ଦଙ୍କୁ ପ୍ରାର୍ଥୀ କରିଛି ଦଳ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.