ETV Bharat / state

ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି ବିଜେପି ନେତା; ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି - BJD Meets CEO

author img

By ETV Bharat Odisha Team

Published : Apr 13, 2024, 5:07 PM IST

ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି ବିଜେପି ନେତା
ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି ବିଜେପି ନେତା

BJD Meets CEO: ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବ ସରକାରୀ ଅଧିକାରୀଙ୍କୁ ଧମକାଉଥିବା ନେଇ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ବିଜେଡି । ଅଧିକ ପଢ଼ନ୍ତୁ

ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି ବିଜେପି ନେତା

ଭୁବନେଶ୍ବର: ସରକାରୀ ଅଧିକାରୀଙ୍କୁ ଧମକାଉଛନ୍ତି ବିଜେପି ନେତା । ତୃଣମୂଳରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଥିବା ଅଧିକାରୀଙ୍କୁ ଦିଆଯାଉଛି ଧମକ । ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବ ସରକାରୀ କର୍ମଚାରୀଙ୍କୁ ଦେଉଛନ୍ତି ଧମକ । ତେବେ ଏଭଳି କିଛି ଅଭିଯୋଗ ଆଣି ଆଜି (ଶନିବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି ବିଜୁ ଜନତା ଦଳ ।

ବିଜେଡି ଅଭିଯୋଗ କରିଛି ଯେ, ବିଜେପି ନେତାମାନେ ଗୁଣ୍ଡାଗିରି କରୁଛନ୍ତି । ସରକାରୀ ଅଧିକାରୀଙ୍କୁ ଧମକାଉଛନ୍ତି । ଯାହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, "ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଖୋଲାମଞ୍ଚରୁ ନିର୍ବାଚନୀ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛନ୍ତି । ଗଣମାଧ୍ୟମ ସାମ୍ନାରେ ସେ ଧମକାଇଛନ୍ତି । ଗଞ୍ଜାମ ଓ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ପ୍ରଦୀପ ଧମକାଉଛନ୍ତି । ଅଭିଯୋଗ ସତ୍ତ୍ୱେ ବିଜେପି ନେତା ଓ କର୍ମୀଙ୍କ ଦାଦାଗିରି ଜାରି ରଖିଛନ୍ତି । ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସିବାକୁ ବାଧ୍ୟ ହୋଇଛୁ । କେବଳ ଏତିକି ନୁହେଁ, ବିଜେପି ନେତା ନିର୍ବାଚନ କମିଶନଙ୍କ ନାଁ ନେଇ ଦାଦାଗିରି କରୁଛନ୍ତି । ଆମକୁ ସହଯୋଗ କର ନହେଲେ ନିର୍ବାଚନ କମିଶନଙ୍କ ଦ୍ୱାରା ବଦଳାଇ ଦେବୁ ବୋଲି ଚେତାବନୀ ଦେଉଛନ୍ତି । ନିର୍ବାଚନୀ କାର୍ଯ୍ୟକ୍ରମରେ ସାମିଲ ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଦ୍ୱାରା କେମିତି ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀକ୍ଷେତ୍ର ଶଙ୍ଖ ଓ ଲକ୍ଷ୍ମୀ ବସରୁ ଯୋଡି ଶଙ୍ଖର ଅନାବରଣ ଦାବି, ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେଡି - BJD Moves CEO

ସସ୍ମିତ ଏହା ମଧ୍ୟ କହିଛନ୍ତି, "ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ବିଜେପି ଅପମାନିତ କରିବା ସହ ଧମକାଉଛି । ଆଇଆଇସି, ତହସିଲଦାର, ବିଡିଓ ଓ ଏସଡିପିଓଙ୍କୁ ଓଡ଼ିଶା ବିଜେପିର ନେତା ଧମକ ଦେଉଛନ୍ତି । ବିଜେପି କର୍ମୀ ବାରମ୍ବାର ସରକାରୀ କର୍ମୀଙ୍କୁ ଧମକାଉଛନ୍ତି । ପ୍ରଶାନ୍ତ ଖୋଲାଖୋଲି ଜଙ୍କିଆରେ ଜଣେ ସାମ୍ବାଦିକଙ୍କୁ ମାଡ ମାରିଛନ୍ତି । କେବଳ ଏତିକି ନୁହେଁ ସେ ଗତକାଲି ରାତିରେ ମଦ ପିଇ ଜଙ୍କିଆ ଥାନାକୁ ଯାଇ ପୋଲିସକୁ ଧମକାଇଛନ୍ତି । ଏଫଆଇଆର ନରଖିବାକୁ ସେ ପୋଲିସକୁ ଧମକ ଦେଇଛନ୍ତି । ଏହା ପୂର୍ବରୁ ସେ ଜଙ୍କିଆ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଧମକ ଦେଇଥିଲେ । ଫୋନରେ ଧମକ ଦେବା ପରେ ପ୍ରଶାନ୍ତ ଜଗଦ୍ଦେବ ରାତି ସାଢେ ୧୦ରେ ଥାନାରେ ପହଞ୍ଚି ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଇଛନ୍ତି ।" ତେବେ ସିଇଓଙ୍କ ପାଖରେ ଫେରାଦ ହୋଇଥିବା ବିଜେଡି ପ୍ରତିନିଧି ଦଳରେ ସାଂସଦ ସୁଲୋତା ଦେଓ, ସ୍ବୟଂ ପ୍ରକାଶ ମହାପାତ୍ର, ଇପ୍ସିତା ସାହୁ, ଅମିତ ମଲ୍ଲିକ ଓ ମିହିର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.