ETV Bharat / state

୩ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ବଦଳିଲେ ଦେବଗଡ଼ ପ୍ରାର୍ଥୀ - BJD CANDIDATE LIST

author img

By ETV Bharat Odisha Team

Published : May 2, 2024, 2:33 PM IST

Updated : May 2, 2024, 3:12 PM IST

BJD Announce Candidates
BJD Announce Candidates

BJD Announce Candidates: ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବଦଳିଲେ ଦେବଗଡ ପ୍ରାର୍ଥୀ । ଅଧିକ ପଢନ୍ତୁ

BJD CANDIDATE LIST

ଭୁବନେଶ୍ବର: ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି 3 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଥିବା ବେଳେ ଆଜି ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । କୋରେଇରୁ ସଂଧ୍ୟାରାଣୀ ଦାସ, ଖଣ୍ଡପଡାକୁ ସାବିତ୍ରୀ ପ୍ରଧାନ ଏବଂ ନୀଳଗିରିରୁ ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଦଳ ଏହି ତାଲିକା ଘୋଷଣା କରିଛି । ସବୁଠାରୁ ଅଧିକ ରୋଚକ ହୋଇଛି କୋରେଇ ନାଁ । ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ କରିଛନ୍ତି ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ଅଶୋକ ଦାସଙ୍କ ପତ୍ନୀ ସଂଧ୍ୟାରାଣୀ ଦାସ । ଅନ୍ୟପଟେ ଦେବଗଡ ପ୍ରାର୍ଥୀ ବଦଳାଇଛି ବିଜେଡି । ଅରୁନ୍ଧତୀ ଦେବୀଙ୍କ ସ୍ଥାନରେରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

BJD CANDIDATE LIST
BJD CANDIDATE LIST

ବଦଳିଲେ ଦେବଗଡ ପ୍ରାର୍ଥୀ: ପ୍ରଥମେ ବାମଣ୍ଡା ରାଜ ପରିବାର ଉପରେ ଆସ୍ଥା ପ୍ରକଟ କରିଥିଲା ବିଜେଡି । ବିଜେଡି ଦେବଗଡ଼ ବିଧାନସଭା ଆସନ ପାଇଁ ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା କରିଥିଲା । କିନ୍ତୁ ଆଜି ପୁଣି ପ୍ରାର୍ଥୀ ପରିବର୍ତ୍ତନ କରି ଟିକଟ କାଟିଛି ବିଜେଡି । ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ଶାସକ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି । କିନ୍ତୁ ଏହାର ପ୍ରକୃତ କାରଣ ଖୁଲାସା ହୋଇନାହିଁ । ଯଦି ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ କଥା ଦେଖିବା ତେବେ 2019 ବିଧାନସଭା ନିର୍ବାଚନରେ ମଧ୍ୟ ତାଙ୍କୁ ଟିକେଟ ଦେଇଥିଲା ଦଳ ।

କିନ୍ତୁ ସେ 67ହଜାର 249 ଖଣ୍ଡ ଭୋଟ ପାଇ ଖୁବ ଅଳ୍ପ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କଠାରୁ ପରାଜୟ ବରଣ କରିଥିଲେ । ପ୍ରାୟ 5 ହଜାର ଭୋଟରେ ସେ ପରାସ୍ତ ହୋଇଥିଲେ । ଗୋଟିଏ ପଟେ ସେ ସଙ୍ଗଠନକୁ ସୁଦୃଢ କରୁଥିବା ବେଳେ ପ୍ରାର୍ଥୀ ଘୋଷଣା କରି ତାଙ୍କୁ ନିରାଶ କରିଥିଲା ଦଳ । ଅରୁନ୍ଧତୀ ଦେବୀଙ୍କୁ ଟିକେଟ ମିଳିବା ପରେ ତାଙ୍କୁ ଅନେକ ସ୍ଥାନରେ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ସମର୍ଥକମାନେ ଅରୁନ୍ଧତୀଙ୍କୁ ବିରୋଧ କରିବା ସହିତ ତାଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଟିକଟ କଟିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ହେଁ ବିରୋଧ ଏକ ପ୍ରକାର କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ଅରୁନ୍ଧତୀ ଦେବୀ ଦେବଗଡ଼ ପ୍ରାର୍ଥୀ: ବଜାୟ ରହିବ ରାଜ ପରିବାରର ବିଜୟଧାରା ନା ଆଶାୟୀଙ୍କ ଅସହଯୋଗର ପଡ଼ିବ ପ୍ରଭାବ ? - Royal Family Politics

ବବିଙ୍କ ମା'ଙ୍କୁ ଟିକଟ: ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ କରିଛନ୍ତି ସ୍ବର୍ଗତ ନେତା ଅଶୋକ ଦାସଙ୍କ ପତ୍ନୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା' । କୋରେଇ ଆସନରୁ ଲଢ଼ିବେ ସଂଧ୍ୟାରାଣୀ ଦାସ । ସଂଧ୍ୟାରାଣୀ ଦାସଙ୍କୁ କେବେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳେନାହିଁ । କିନ୍ତୁ ଦଳ ସେଠାରେ ତାଙ୍କୁ ଭରସା କରିଛି । ପ୍ରଣବଙ୍କୁ ସମ୍ବଲପୁର ଲୋକସଭା ଟିକେଟ ମିଳିବା ପରେ ତାଙ୍କ ପରିବାରରୁ ଜଣେ କାହାକୁ ଯାଜପୁର ବିଧାନସଭା ଆସନ ପାଇଁ ଟିକେଟ ମିଳିବ ବୋଲି ଚର୍ଚ୍ଚା ହୋଇଥିଲା ।

ଅଶୋକଙ୍କ ଆଶା ନିରାଶ: କୋରେଇ ଆସନରୁ ବିଧାୟକ ଥିବା ଅଶୋକ ବଳଙ୍କ ଟିକଟ କାଟିଛି ଦଳ । କୋରେଇ ଆସନ ଲାଗି ବହୁ ନାଁ ଚର୍ଚ୍ଚା ମଧ୍ୟ ହେଉଥିଲା । ଏହି ଆସନରୁ ଅଶୋକ ଦାସ, ପ୍ରଫୁଲ ଘଡେଇ ଏକାଧିକ ବାର ଲଢ଼ି ଜିତିଛନ୍ତି । ଘଡେଇ ଓ ଦାସ ପରିବାରର ପାରମ୍ପରିକ ଆସନ ଥିଲା । ତେଣୁ ଏଥର ଉଭୟ ପରିବାରର କାହାକୁ କିମ୍ବା ସମର୍ଥିତ ପ୍ରାର୍ଥୀକୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ଏମିତିକି ପ୍ରଫୁଲ୍ଲଙ୍କ ବୋହୂ ତଥା ଅଭିନେତ୍ରୀ ଝିଲିକଙ୍କ ନାଁ ଚର୍ଚ୍ଚା ହେଉଥିଲା । କିନ୍ତୁ ସଂଧ୍ୟାରାଣୀଙ୍କୁ ଟିକେଟ ଦେଇ ବିଜେଡି ସଭାପତି ସମସ୍ତଙ୍କୁ ତାଜୁବ କରିଛନ୍ତି ।

ଅନୁଭବ ନିରାଶ: ସେହିପରି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଆଶା ଭାଙ୍ଗିଛି । ଦଳ ଏଥର ବି ଅନୁଭବଙ୍କୁ ଟିକେଟ ଦେଇନାହିଁ । ଗତଥର ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳରେ ସାମିଲ କରି ବିଜେଡ଼ି ପ୍ରାର୍ଥୀ କରିଥିଲା । ଏଥର ଦଳ ସାବିତ୍ରୀ ପ୍ରଧାନଙ୍କୁ ଭରସା କରିଛି । ସାବିତ୍ରୀ ଭାପୁର ବ୍ଲକ ଅଧ୍ୟକ୍ଷ ଅଛନ୍ତି । ତାଙ୍କ ସ୍ୱାମୀ ବ୍ଳକ ଉପାଧ୍ୟକ୍ଷ ଅଛନ୍ତି ।

ସୁକାନ୍ତଙ୍କ ଉପରେ ବିଜେଡିର ଆସ୍ଥା: ସେହିପରି ଶାସକ ଦଳ ନୀଳଗିରିରେ ସୁକାନ୍ତ ନାୟକଙ୍କୁ ଟିକଟ ଦେଇଛି । ଘର ବାହୁଡା ପରେ ଦଳ ସେଠାରେ ତାଙ୍କୁ ପ୍ରାର୍ଥୀ କରିଛି । ସୁକାନ୍ତ 2014ରେ ବିଜେଡି ଟିକଟରେ ବିଧାୟକ ହୋଇଥିଲେ । 2019 ନିର୍ବାଚନ ପୂର୍ବରୁ ବିଜେଡି ଛାଡି ସେ ବିଜେପି ଟିକେଟରେ ଲଢ଼ି ଜିତିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 2, 2024, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.