ETV Bharat / state

ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାଁରେ ନାମିତ ହେବ ISBT ବସଷ୍ଟାଣ୍ଡ

author img

By ETV Bharat Odisha Team

Published : Feb 5, 2024, 7:32 PM IST

Baramunda Inter State Bus Terminal
Baramunda Inter State Bus Terminal

CM Naveen Patnaik Announcement: ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନେଇଛନ୍ତି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାଁ'ରେ ନାମିତ ହେବ ISBT ବସଷ୍ଟାଣ୍ଡ । ଡକ୍ଟର ଆମ୍ବେଦକରଙ୍କ ଜୀବନ ଓ ଆଦର୍ଶକୁ ନେଇ ଭୁବନେଶ୍ୱର ବସଷ୍ଟାଣ୍ଡରେ କରାଯିବ ସ୍ଵତନ୍ତ୍ର ଗ୍ୟାଲେରୀ ।

ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏହା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଭାବରେ ପରିଚିତ ହେବ ।

ଅଧିକ ପଢନ୍ତୁ- ଫେବୃଆରୀରେ ବରମୁଣ୍ଡା ବସଷ୍ଟାଣ୍ଡ ଲୋକାର୍ପଣ! ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ୍

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡକ୍ଟର ଆମ୍ବେଦକର ଜଣେ ଦୂରଦର୍ଶୀ ନେତା । ସମର୍ପିତ ସମାଜ ସଂସ୍କାରକ ଥିଲେ । ସମାଜର ଦଳିତ ନିଷ୍ପେଶିତଙ୍କ ପାଇଁ ସେ ଥିଲେ ଆଶାର ଆଲୋକ । ଏକ ନ୍ୟାୟ ପୂର୍ଣ ସମାଜ ଗଠନ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି । ଦେଶ ଗଠନରେ ତାଙ୍କର ମହାନ ଅବଦାନ ଓ ଆଦର୍ଶ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଡକ୍ଟର ବାବାସାହେବ ଆମ୍ବେଦକର ବସଷ୍ଟାଣ୍ଡରେ 900 ବର୍ଗ ଫୁଟ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ ନିର୍ମାଣ କରାଯିବ । ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର ଜରିଆରେ ଡକ୍ଟର ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ କରାଯିବ । ଭାରତୀୟ ସମ୍ବିଧାନର ଏକ ନକଲ ସହିତ ବାବା ସାହେବ ଦ୍ଵାରା ବ୍ୟବହୃତ ବିଭିନ୍ନ ଜିନିଷ ମଧ୍ୟ ଏଠାରେ ପ୍ରଦର୍ଶିତ ହେବ ।

15.5 ଏକର ପରିମିତ ଜମିରେ ନିର୍ମିତ ଏହି ବସଷ୍ଟାଣ୍ଡ ଦୈନିକ ତିରିଶ ହଜାର ଯାତ୍ରୀଙ୍କ ପରିବହନର ମୁଖ୍ୟ ମାଧ୍ୟମ ହେବ । ଏହାକୁ ଦୃଷ୍ଟିରେ ରଖି ଏଠାରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ । ଏହା ନିରାପତ୍ତା ପ୍ରତି ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ବସ ଟର୍ମିନାଲକୁ ଆସୁଥିବା ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପାର୍କିଂ ବ୍ୟବସ୍ଥା କରାଯାଇଛି । ବେସମେଣ୍ଟରେ ୧୧୫ଟି କାର ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି । ବସ ଟର୍ମିନାଲରେ ୫୦ଟି ବସ ବେ’ ରହିବା ସହ ୨୦୦ଟି ବସ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି । ବସ ବେ’ରେ କେବଳ ସିଟି ବସ ପାଇଁ ୫ଟି ସ୍ଥାନ ସଂରକ୍ଷିତ ରଖାଯିବ । ଯାତ୍ରୀଙ୍କ ଦୁଇଚକିଆ ଯାନ ରଖିବା ପାଇଁ ମଧ୍ୟ ଆବଶ୍ୟକ ସ୍ଥାନ ହୋଇଛି । ପଦଚାରୀଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ସହ ବସ ପ୍ରବେଶ ଓ ପ୍ରସ୍ଥାନ ଗେଟ ଅଲଗା ଅଲଗା କରାଯାଇଛି ।

ଫେବ୍ରୁଆରୀ ମଧ୍ୟଭାଗରେ ISBTକୁ ଲୋକାର୍ପଣ କରିବାକୁ ଯୋଜନା ରହିଛି । ଯେଉଁ ସୁବିଧା ବିମାନ ବନ୍ଦରରେ ଯାତ୍ରୀଙ୍କୁ ମିଳେ ସେହି ବ୍ୟବସ୍ଥା ବସ ଷ୍ଟାଣ୍ଡରେ କରାଯାଇଛି । ଅତ୍ୟାଧୁନିକ ସୁବିଧା ଗୁଡ଼ିକ ସହିତ ଆହାର ସେଣ୍ଟର, ରେଷ୍ଟୁରାଣ୍ଟ, ବହୁମୁଖୀ କାର ପାର୍କିଂ, ପିକ ଅପ / ଡ୍ରପ ଅଫ ସୁବିଧା ମିଳିବ । ବସଷ୍ଟାଣ୍ଡରେ ପ୍ରି ପେଡ ଅଟୋ ଏବଂ ଟ୍ୟାକ୍ସି ବ୍ୟବସ୍ଥା ରହିବ । ଯାତ୍ରୀଙ୍କ ସୁରକ୍ଷା, ଟର୍ମିନାଲ ଅପରେସନ ପରିଚାଳନା ପାଇଁ ପ୍ରଶାସନିକ ଭବନ, ଅଳିଆ ଆବର୍ଜନା ପରିଚାଳନା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଯାତ୍ରୀମାନଙ୍କ ପାଇଁ ଶୌଚାଳୟ ସୁବିଧା, ବିଦ୍ୟୁତ ପାଇଁ ସୋଲାର ପ୍ୟାନେଲ, ଭିନ୍ନକ୍ଷମ ଯାତ୍ରୀଙ୍କ ସୁବିଧା ପାଇଁ ରେମ୍ପ ଏବଂ ଶିଶୁମାନଙ୍କ ସହିତ ଯାତ୍ରା କରୁଥିବା ମା’ମାନଙ୍କ ପାଇଁ ଶିଶୁ ଖାଇବା କକ୍ଷ ଓ ପୁଲିସ ସୁବିଧା କେନ୍ଦ୍ର ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ପିଲାଙ୍କ ଖେଳିବା ବ୍ୟବସ୍ଥା ସହ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅତିରିକ୍ତ ପାର୍କିଂ ପାଇଁ ସ୍ଥାନ ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.