ETV Bharat / state

ସାଙ୍ଗର ଏକତରଫା ପ୍ରେମରେ ବଳି ପଡିଲେ ଯୁବକ, ଅଞ୍ଜନ ହତ୍ୟାକାଣ୍ଡରେ ପ୍ରେମୀ ଯୁଗଳ ଗିରଫ

author img

By ETV Bharat Odisha Team

Published : Mar 19, 2024, 11:37 AM IST

Anjan Death Case: ସାଙ୍ଗର ଏକତରଫା ପ୍ରେମରେ ବଳି ପଡିଲେ ଯୁବକ । ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଯୁବକଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ପ୍ରେମୀ ଯୁଗଳ ଗିରଫ । ଅଧିକ ପଢନ୍ତୁ

Anjan Death Case
Anjan Death Case

Anjan Death Case

ଭୁବନେଶ୍ବର: ରାଜଧାନୀରେ ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଯୁବକଙ୍କୁ ହତ୍ୟା ଘଟଣାର ଫିଟିଛି ଗୁମର । ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରି ଅଭିଯୁକ୍ତ ପ୍ରେମୀ ଯୁଗଳଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଗିରଫ ପ୍ରେମୀ ଯୁଗଳ କାହ୍ନା ପ୍ରଧାନ ଓରଫ ପିଙ୍କୁ ଓ ତା'ର ପ୍ରେମିକା ନିହାରିକା । ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଗତ ଶୁକ୍ରବାର ରାତିରେ ଅଞ୍ଜନ ବେହେରା ନାମକ ଯୁବକକୁ ଚିନ୍ତାମଣିଶ୍ବର ଚମ୍ପା ପୋଖରୀ ନିକଟରେ ହତ୍ୟା କରାଯାଇଥିଲା । ଦୋଷ ନଥାଇ ବି ସାଙ୍ଗକୁ ବଞ୍ଚାଇବାକୁ ଯାଇ ହତ୍ୟାର ଶିକାର ହୋଇଥିଲା ଅଞ୍ଜନ ।

ଘଟଣାଟି ଥିଲା ଏମିତି: ଚିନ୍ତାମଣିଶ୍ବର ହାଇସ୍କୁଲରେ ନିହାରିକା ଓ ଗୌତମ ପାଠ ପଢୁଥିଲେ । ସେହି ସମୟରେ ନିହାରିକାଙ୍କୁ ଏକତରଫା ପ୍ରେମ କରୁଥିଲେ ଗୌତମ । ଅନେକ ଥର ନିହାରିକାକୁ ସେ ପ୍ରେମ ନିବେଦନ କରୁଥିଲେ । ଏମିତିକି ସୋସିଆଲ ମିଡିଆରେ ମଧ୍ୟ ପ୍ରେମ ନିବେଦନ କରୁଥିଲେ । ନିହାରିକା କିନ୍ତୁ ଏହାର କୌଣସି ଜବାବ ଦେଉନଥିଲା । ବର୍ତ୍ତମାନ ନିହାରିକା ଏକାମ୍ର କଲେଜରେ ପଢୁଥିବା ବେଳେ ମାର୍ଚ୍ଚ 15 ତାରିଖରେ ପରୀକ୍ଷା ଦେବାକୁ ଯାଇଥିଲା । ପରୀକ୍ଷା ସାରି ଫେରବା ବେଳେ ବାଟରେ ଗୌତମ ତାଙ୍କୁ ପୁଣି ପ୍ରେମ ନିବେଦନ କରିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଶେଷରେ ଗୌତମ ବିଷୟରେ ନିହାରିକା ତା'ର ପ୍ରେମିକ କାହ୍ନା ପ୍ରଧାନକୁ ଜଣାଇଥିଲା ।

ଏହା ମଧ୍ୟ ପଢନ୍ତୁ-ତ୍ରିକୋଣୀୟ ପ୍ରେମରୁ ସଂଘବଦ୍ଧ ହତ୍ୟା, ରାଜଧାନୀରେ ରାତି ଅଧରେ ଗଡିଲା ମୁଣ୍ଡ

ଏଥିରେ କାହ୍ନା ରାଗି ଯାଇ ଗୌତମକୁ ଫୋନ କରି ଭେଟିବାକୁ କହିଥିଲା । ମାର୍ଚ୍ଚ 16 ତାରିଖ ରାତିରେ ଗୌତମ କାମ ସାରି ଜଟଣୀରୁ ଫେରୁଥିଲା । ତାଙ୍କ ସାଥିରେ ମୃତ ଯୁବକ ଅଞ୍ଜନ ବେହେରା, ସୁବାଷ ଓ ଦୀପକ ପ୍ରଧାନ ମଧ୍ୟ ରହିଥିଲେ । ସେହି ସମୟରେ କାହ୍ନା ଓ ନିହାରିକା ସମେତ ଅନ୍ୟ 4 ଜଣ ଅଭିଯୁକ୍ତ ଗୌତମକୁ ଚିନ୍ତାମଣିଶ୍ବର ରାସ୍ତାରେ ଅଟାଇଥିଲେ । ଏହାପରେ କାହ୍ନା, ନିହାରିକା ଓ ଗୌତମଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଅଞ୍ଜନ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ କାହ୍ନା ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଅଞ୍ଜନର ମୃତ୍ୟୁ ହୋଇଥିଲା ।

ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଲକ୍ଷ୍ମୀସାଗର ପୋଲିସ ତଦନ୍ତ କରିଥିଲା । ଘଟଣାର ଦୁଇ ଦିନ ପରେ ଦୁଇ ଅଭିଯୁକ୍ତ କାହ୍ନା ପ୍ରଧାନ ଓ ତା'ର ପ୍ରେମିକା ନିହାରିକାକୁ ସାଲିଆ ସାହି ପାଖରୁ ପୋଲିସ ଗିରଫ କରିଛି । ଅନ୍ୟ 4 ଜଣ ଫେରାର ଅଛନ୍ତି । ପୋଲିସ ତାଙ୍କୁ ଧରିବାକୁ ଖୋଜାଖୋଜି ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.