ETV Bharat / state

୪ ମାସରେ ହୋଇଛି ୧୨୬ ଆଣ୍ଟି ନକ୍ସଲ ଅପରେସନ, ୪ ମାଓବାଦୀ ନିହତ - Anti Naxal Operation for Election

author img

By ETV Bharat Odisha Team

Published : May 12, 2024, 11:00 PM IST

Anti Naxal Operation for Election: ସୁରକ୍ଷିତ ନିର୍ବାଚନ ପାଇଁ ପଡୋଶୀ ରାଜ୍ୟ ସହ ମିଶି ଆଣ୍ଟି ନକ୍ସଲ ଇଣ୍ଟେଲିଜେନସ୍‌ ଆଧାରରେ ଜାରି ରହିଛି ଅପରେସନ । ଗତ ୪ ମାସ ମଧ୍ୟରେ ୧୨୬ ଥର ଅପରେସନ ହୋଇଥିବା ବେଳେ ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି । ଅଧିକ ପଢ଼ନ୍ତୁ

Anti Naxal Operation for Election
Anti Naxal Operation for Election (ETV Bharat Odisha)

ଭୁବନେଶ୍ବର: ଚଳିତ ନିର୍ବାଚନରେ ସୁରକ୍ଷାକୁ ଦୃଷ୍ଟିରେ‌ ରଖି ମାଓ ଗତିବିଧି ଉପରେ ନଜର ରଖିଛି ପୋଲିସ । ଏନେଇ ପଡୋଶୀ ରାଜ୍ୟ ସହ ମିଶି ଆଣ୍ଟି ନକ୍ସଲ ଇଣ୍ଟେଲିଜେନସ୍‌ ଆଧାରରେ ଜାରି ରହିଛି ଅପରେସନ । ଗତ ୪ ମାସ ମଧ୍ୟରେ ୧୨୬ ଥର ଅପରେସନ ହୋଇଥିବା ବେଳେ ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି, ସେହିଭଳି ୧୭ ମାଓବାଦୀ ଆତ୍ମସମର୍ପଣ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।

ନିର୍ବାଚନ ପାଇଁ ଓଡିଶା ପୋଲିସର ସୁରକ୍ଷା ପ୍ରସ୍ତୁତି ଉପରେ ସୂଚନା ଦେଇ ଡିଜି କହିଛନ୍ତି, "ରାଜ୍ୟରେ ୩୭,୮୯୮ ପୁଲିଂ ବୁଥରେ ଭୋଟ ଗ୍ରହଣ ହେବ । ୨୩ ହଜାର ଲୋକେସନରେ ମତଦାନ କେନ୍ଦ୍ର ରହିଛି । ହେଲେ ମୋଟ ୧୧ଟି ଜିଲ୍ଲା ନକ୍ସଲ ପ୍ରଭାବିତ ଅଛି । ଏନେଇ ପଡୋଶୀ ରାଜ୍ୟ ସହ କୋର୍ଡିନେସନ ମିଟିଂ ଅନେକ ଥର ସରିଛି । ଡିଜି ଆଇଜି, ରେଞ୍ଜ ଆଇଜି ଓ ଏସପିଙ୍କ ସ୍ତରରେ ବୈଠକ କରି ଏନେଇ ସମନ୍ବୟ ରକ୍ଷା କରି ନକ୍ସଲ ଗତିବିଧି ଓ ଆଣ୍ଟି ନକ୍ସଲ ଅପରେସନ ଉପରେ ଜୋର ଦେଇଛି ପୋଲିସ । କାରଣ ବିଗତ କିଛି ଦିନ‌ହେବ ଆଣ୍ଟି ନକ୍ସଲ ଅପରେସନ ବେଳେ ସୂଚନା ମିଳିଛି ଯେ, ଛତିଶଗଡ଼ ନିର୍ବାଚନ ସରିବା ପରେ କିଛି ଛୋଟ ଛୋଟ ନକ୍ସଲ ଗ୍ରୁପ ଓଡ଼ିଶା ବର୍ଡର ଦେଇ ଛୋଟ ଛୋଟ ଗ୍ରୁପରେ ବିଚରଣ କରୁଛନ୍ତି । ଏନେଇ ସଠିକ ଗୁଇନ୍ଦା ଆଧାରରେ ଆଣ୍ଟି ନକ୍ସଲ ଅପରେସନ କରି ଅନେକ କ୍ୟାଡର ମାଓବାଦୀଙ୍କୁ ନିହତ କରଯାଇଛି । ଏପରିକି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ମଧ୍ୟ ଅନେକ ଦୁର୍ଦ୍ଦାନ୍ତ ମାଓବାଦୀ ରହିଛନ୍ତି ।"

ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ୮ଟି ଜିଲ୍ଲାରୁ ୬ଟି ଜିଲ୍ଲା ନକ୍ସଲ ପ୍ରଭାବିତ ରହିଛି । ମାଲକାନଗିରି, ନୂଆପଡ଼ା, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଭଳି ଜିଲ୍ଲା ମାଓ ପ୍ରଭାବିତ ରହିଛି । ତେଣୁ ମାଓବାଦୀ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପାଇଁ ପୂର୍ବରୁ ୪ ମାସ ଧରି ପୋଲିସ ଆଣ୍ଟି ନକ୍ସଲ ଅପରେସନ ଜାରି ରହିଛି । ଅପରେସନାଲ ଫୋର୍ସ ଲଗାତାର ଅପରେସନ ଜାରି ରଖିଛନ୍ତି । ଆଣ୍ଟି ନକ୍ସଲ ଇଣ୍ଟେଲିଜେନସ୍‌ ଓ ମାଓ ଗତିବିଧି ଉପରେ ନଜର ରଖି ୪ ମାସ ମଧ୍ୟରେ ୫୩୯ଟି ଆଣ୍ଟି ନକ୍ସଲ ଅପରେସନ ହୋଇଥିବା ଡିଜି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିସ ସଜାଗ, ଆନ୍ଧ୍ର ଓ ଛତିଶଗଡ଼ ସୀମା ସିଲ୍‌: ଡିଜିପି - Lok Sabha Election 2024

ଡିଜିପିଙ୍କ ସୂଚନା ଅନୁସାରେ, ଯେଉଁ ଜିଲ୍ଲା ଗୁଡିକରେ ନିର୍ବାଚନ ହେବ, ସେହି ସବୁ ଜିଲ୍ଲାକୁ ଲାଗି ଆନ୍ଧ୍ର ଓ ଛତିଶଗଡ ସୀମା ରହିଛି । ତେଣୁ ସୀମବର୍ତ୍ତୀ ରାଜ୍ୟର ସୀମାକୁ ସିଲ୍‌ କରଯାଇଛି । ଯେହେତୁ ଆନ୍ଧ୍ର ଓ ଛତିଶଗଡ ସୀମାକୁ ଲାଗି ୫୧ଟି ଆନ୍ତଃରାଜ୍ୟ ଚେକପୋଷ୍ଟ ରହିଛି, ସେସବୁ ସୀମାକୁ ସିଲ୍ କରାଯାଇଛି । ବିଶେଷ କରି ନକ୍ସଲ ଅଞ୍ଚଳରେ ମୋବାଇଲ ନେଟୱାର୍କ ନଥିବା ଅଞ୍ଚଳ ବିଶେଷ ଫୋକସ ରହିଛି । ସେସବୁ ଅଞ୍ଚଳରେ ପୋଲିସ ଭିଏଚ୍‌ଏଫ୍‌ ଜରିଆରେ ମନିଟର କରାଯାଉଛି । ଯେଉଁ ଅଞ୍ଚଳ ନେଟୱାର୍କ ନାହିଁ, ସାଡୋ (Shadow) ଏରିଆ ଭାବେ ଚିହ୍ନଟ କରାଯାଇ ଭିଏଚ୍‌ଏଫ୍‌ ନଚେତ କମ୍ୟୁନିକେସନ ପାଇଁ ରନର୍ସ ବା ବାଇକ୍‌ ମେସେଞ୍ଜର ବ୍ୟବସ୍ଥା କରାଇଛି । ପ୍ରାୟ ୮୭୯ଟି ଲୋକେସନକୁ ମୋବାଇଲ ନେଟୱାର୍କ ନାହିଁ ବୋଲି ଡିଜି ସୂଚନା ଦେଇଛନ୍ତି । ତେଣୁ ସେସବୁ ଅଞ୍ଚଳର ସୁରକ୍ଷା ପୋଲିସ ପାଇଁ ଚ୍ୟାଲେଞ୍ଜିଂ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.