ETV Bharat / state

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିସ ସଜାଗ, ଆନ୍ଧ୍ର ଓ ଛତିଶଗଡ଼ ସୀମା ସିଲ୍‌: ଡିଜିପି - Lok Sabha Election 2024

author img

By ETV Bharat Odisha Team

Published : May 12, 2024, 9:28 PM IST

Security Arrangements for first phase Election: ରାତି ପାହିଲେ ରାଜ୍ୟରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ । ୮ଟି ଜିଲ୍ଲାରେ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ମତ ସାବ୍ୟସ୍ତ କରିବେ ଭୋଟର । ତେବେ ଏଥିପାଇଁ ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ

Security Arrangements for first phase Election
Security Arrangements for first phase Election (ETV Bharat Odisha)

Security Arrangements for first phase Election (ETV Bharat Odisha)

ଭୁବନେଶ୍ବର: ରାତି ପାହିଲେ ନିର୍ବାଚନ । ସୁରକ୍ଷା ପାଇଁ ତତ୍ପର ପୋଲିସ ପ୍ରଶାସନ । ଫୋକସରେ ୮୭୯ ନେଟୱାର୍କ ନଥିବା ଅଞ୍ଚଳ । VHF (Very High Frequency) ଜରିଆରେ ଚାଲିଛି ସୁରକ୍ଷା ପରିଚାଳନା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ସରିଛି । ଆସନ୍ତାକାଲି ୮ଟି ଜିଲ୍ଲାର ୪ଟି ଲୋକସଭା କ୍ଷେତ୍ର ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ । ଏଥିପାଇଁ ସମସ୍ତ ପୁଲିଂ ବୁଥରେ ପହଞ୍ଚିଛନ୍ତି ପୁଲିଂ ପାର୍ଟି । ସୁରକ୍ଷା ପାଇଁ ପୋଲିସ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ।

ଆନ୍ଧ୍ର-ଓଡିଶା-ଛତିଶଗଡ ସୀମା ସିଲ୍‌: ପୋଲିସ ଡିଜିଙ୍କ ସୂଚନା ମୁତାବକ, "ଓଡ଼ିଶାର ଯେଉଁ ଜିଲ୍ଲା ଗୁଡିକରେ ନିର୍ବାଚନ ହେବ, ସେହି ସବୁ ଜିଲ୍ଲାକୁ ଆନ୍ଧ୍ର ଓ ଛତିଶଗଡ ରାଜ୍ୟ ସୀମା ଲାଗି ରହିଛି । ଏଥିପାଇଁ ସୀମାବର୍ତ୍ତୀ ରାଜ୍ୟର ସୀମାକୁ ସିଲ୍‌ କରଯାଇଛି । ରାଜ୍ୟ ବର୍ଡରରେ ଆନ୍ଧ୍ର ଓ ଛତିଶଗଡ ସୀମାକୁ ଲାଗି ୫୧ଟି ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟ ରହିଛି । ସେସବୁ ସୀମାକୁ ସିଲ୍‌ କରାଯାଇଛି । ଏଥିସହି ସିସିଟିଭି କଭରେଜରେ ରହିଛି ସୀମା ଚେକ୍‌ପୋଷ୍ଟ । ଜିଲ୍ଲା ଗୁଡିକର ସୀମା ଭିତରେ ମଧ୍ୟ ୫୦ ଚେକ୍‌ପୋଷ୍ଟ ରହିଛି । ଯେଉଁଠି ଯାନବାହନ ତନଖି ହେଉଛି । ଇଲେକ୍ସନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୧୦ଟି ଫ୍ଲାଇଂ ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ଯେକୌଣସି ଖବର ପାଇଲେ ତୁରନ୍ତ ଏମ୍‌ସିସି ଭାଓଲେସନ ଆଧାରରେ ଯାଇ ଯାଞ୍ଚ ହେଉଛି ଓ କାର୍ଯାନୁଷ୍ଠାନ ନିଆଯାଉଛି । ୧୯୫ଟି ଏସ୍‌ଏସ୍‌ଏସ୍‌ଟି ବା ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ୍‌ ଗଠନ କରାଯାଇ ପୋଲିସ ସହିତ ଅନ୍ୟ ଅଧିକାରୀ ତଥା କ୍ୟାମେରା ଓ ଅଫିସର ମଧ୍ୟ ଟିମରେ ରହି ଯାଞ୍ଚ ଜାରି ରଖିଛନ୍ତି ।"

ପୋଲିସ ଫୋର୍ସ ମୁତୟନ: ଆସନ୍ତାକାଲି ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ୧୭ ହଜାର ପୋଲିସ ଫୋର୍ସ ନିୟୋଜିତ ହେବେ । ଯେଉଁଥିରେ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବା ସେଣ୍ଟ୍ରାଲ ଫୋର୍ସ ରହିବେ । ଏହା ସହିତ ରାଜ୍ୟ ପୋଲିସର ଆର୍ମଡ୍‌ ପୋଲିସ ୬୬ ପ୍ଲାଟୁନ ଓଡ଼ିଶା ଫୋର୍ସ ମଧ୍ୟ ମୁତୟନ ହେବେ । ନିର୍ବାଚନ ପରିଚାଳନା ପାଇଁ ୨୯ ଜଣ ଅତିରିକ୍ତ ଏସ୍‌ପିଙ୍କ ସହ ୫୭ ଜଣ ଡିଏସ୍‌ପି, ୧୫୪ ଇନସ୍ପେକ୍ଟର, ୧୪୫୭ SI ଓ ASI ରହିବେ । ୬୬୩୯ ଜଣ ହାବିଲଦାର କନଷ୍ଟେବଳ ସହ ୫୫୮୧ଜଣ ହୋମଗାର୍ଡ ରହିବେ । ୬୦୦ଟି ମୋବାଇଲ ପାର୍ଟି କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତ ରଖାଯାଇଛି । ପ୍ରତି ମୋବାଇଲ ପାର୍ଟିରେ ଜଣେ ଅଫିସରଙ୍କ ସହ ଜଣେ ହାବିଲଦାର ଓ ଦୁଇ ଜଣ ବନ୍ଧୁକଧାରୀ କନଷ୍ଟେବଳ ରହିବେ । ଯେଉଁମାନେ ଗୋଟିଏ ୧ ଘଣ୍ଟା ଭିତରେ ୧୦ରୁ ୧୨ବୁଥ କଭରେଜ କରିବେ । ଏନେଇ ସେମାନଙ୍କ ଗାଡିରେ ଜିପିଏସ୍‌ ଲଗାଯାଇଛି । ସେସବୁକୁ ଡିଷ୍ଟ୍ରିକ୍ଟ୍‌ ହେଡକ୍ବାର୍ଟରରୁ ମନିଟର କରାଯିବ । କେଉଁଠାରେ ଗାଡି ଅଟକିଲେ ବା ବିଳମ୍ବ ହେଲେ ତୁରନ୍ତ ତା ପାଇଁ ବ୍ୟବସ୍ଥା ହେବ । ଏନେଇ ମୋବାଇଲ ପାର୍ଟି ନିର୍ବାଚନ ପରିଚାଳନାର ମୁଖ୍ୟ ମୂଳବିନ୍ଦୁ ହେବ ବୋଲି ଡିଜିପି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଥମ ପର୍ଯ୍ୟାୟରେ ୨୪୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ; ମଇଦାନରେ ହେଭିୱେଟ, କାହାକୁ ଭରସା କରିବେ ଭୋଟର ? - Odisha Assembly Election 2024

ଷ୍ଟ୍ରଙ୍ଗରୁମ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ: ନିର୍ବାଚନ ସରିବା ପରେ ଇଭିଏମ୍‌କୁ ଷ୍ଟ୍ରଙ୍ଗ ରୁମରେ ରଖିବା ପାଇଁ ୧୫ଟି ଇଭିଏମ୍‌ ଷ୍ଟ୍ରଙ୍ଗ ରୁମ ବ୍ୟବସ୍ଥା ହୋଇଛି । ନିର୍ବାଚନ ପରେ ଇଭିଏମ୍‌କୁ ସୁରକ୍ଷା ବଳୟରେ ଆଣି ରଖାଯିବ । ଏନେଇ ଷ୍ଟ୍ରଙ୍ଗ ରୁମ ଭିତରେ ୧ ପ୍ଲାଟୁନ ଅର୍ଦ୍ଧସାମରିକ ଫୋର୍ସ । ଏହାସହ ଷ୍ଟ୍ରଙ୍ଗ ରୁମ ବାହାରେ ରାଜ୍ୟ ପୋଲିସର ବନ୍ଧୁକଧାରୀ ପୋଲିସ ୧ ପ୍ଲାଟୁନ ଫୋର୍ସ ଜଗି ରହିବେ ।

ଫୋକସରେ ମାଓ ପ୍ରଭାବିତ ଅଞ୍ଚଳ: ୮ଟି ଜିଲ୍ଲାରୁ ୬ଟି ଜିଲ୍ଲାରେ ନକ୍ସଲ ପ୍ରଭାବିତ ଅଞ୍ଚଳ ରହିଛି । ମାଲକାନଗିରି, ନୂଆପଡା, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ମାଓ ପ୍ରଭାବିତ ଅଞ୍ଚଳ ରହିଛି । ଏହିସବୁ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ପୂର୍ବରୁ ୪ ମାସ ଧରି ପୋଲିସ ଆଣ୍ଟି ନକ୍ସଲ ଅପରେସନ ଜାରି ରହିଛି । ଅପରେସନାଲ ଫୋର୍ସ ଲଗାତାର ଅପରେସନ ଜାରି ରଖିଛନ୍ତି । ଆଣ୍ଟି ନକ୍ସଲ ଇଣ୍ଟେଲିଜେନ୍ସ ଓ ମାଓ ଗତିବିଧି ଉପରେ ନଜର ରଖି ୪ ମାସ ମଧ୍ୟରେ ୫୩୯ଟି ଆଣ୍ଟି ନକ୍ସଲ ଅପରେସନ ଜାରି ରହିଛି । ଆଗାମୀ ଦୁଇ ଦିନ ପାଇଁ ୧୩୮ ସିଏପିଏଫ୍‌ ଅପରେସନାଲ ପାର୍ଟି ତଥା ବିଏସ୍‌ଏଫ, ସିଆର୍‌ପିଏଫ୍‌ ତୟାର ଅଛନ୍ତି ।

ସେହିପରି ରାଜ୍ୟ ପୋଲିସର ୩୭ଟି ପାର୍ଟି ଏସ୍‌ଓଜି ଡିଭିଏଫ୍‌ର ମିଳିତ ଭାବେ ସେହିସବୁ ଦୁର୍ଗମ ଓ ମାଓ ଇଲାକାରେ ୩ ଦିନ ଧରି ଜାଗ୍ରତ ରହି ନିର୍ବାଚନ ଡ୍ୟୁଟି ପାଇଁ ଆଲର୍ଟ ରହିଛନ୍ତି । ପୁଲିଂ ପାର୍ଟି ଯିବା ଠାରୁ ଆରମ୍ଭ କରି ପାର୍ଟି ଫେରିବା ପର୍ଯ୍ୟନ୍ତ, ବୁଥର ସୁରକ୍ଷା ଧ୍ୟାନ, ୧ କିମିରୁ ୫ କିମି ପର୍ଯନ୍ତ ଅଞ୍ଚଳ ସୁରକ୍ଷା, ରୋଡ଼ ଓପନିଂ ପାର୍ଟି ହିସାବରେ ପୁଲିଂ ପାର୍ଟି ଏସକର୍ଟଠୁ ଆରମ୍ଭ କରି ମୁଭ୍‌ମେଣ୍ଟ ପର୍ଯ୍ୟନ୍ତ ଅଞ୍ଚଳ ସୁରକ୍ଷା ଭାବେ ୩ ଦିନ ଧରି ଅପରେସନ ମୁଡ୍‌ରେ ରହିବେ । ସେହିପରି ପଡୋଶୀ ରାଜ୍ୟର ସୀମାରେ ମଧ୍ୟ ଅପରେସନ ଜାରି ରହିଛି । ଛତିଶଗଡ଼ରେ ୫ଟି ଓ ଆନ୍ଧ୍ରର ୯ଟି ଗ୍ରେନ୍‌ହଣ୍ଟ ସୀମାବର୍ତ୍ତୀ ଅଞ୍ଚଳରେ ଅପରେସନ ଜାରି ରହିଛି । ଅପରେସନ ଡିଜି ଦେବଦତ୍ତ ସି କଳାହାଣ୍ଡିରେ କ୍ୟାମ୍ପ କରିଛନ୍ତି । ଆଣ୍ଟି ମାଓ ଅପରେସନ କୋର୍ଡିନେଟ୍‌ କରୁଛନ୍ତି ।

ପୁଲିଂ ପାର୍ଟି ପାଇଁ ହେଲିକପ୍ଟର ବ୍ୟବସ୍ଥା: ଆସନ୍ତାକାଲି ଭୋଟ ପଡ଼ିବାକୁ ଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୬ଟିରେ ପୂର୍ବରୁ ପୁଲିଂ ପାର୍ଟି ଯାଇ ସାରିଛନ୍ତି । ଆଜି ବଳକା ୧୨ଟିରେ ପ୍ରାୟତଃ ପହଞ୍ଚିଯାଇଛନ୍ତି । ବିଶେଷ କରି ନୂଆପଡାର ସୁନାବେଡାରେ ୭ଟି ବୁଥକୁ ହେଲିକପ୍ଟର ଜରିଆରେରେ ପୁଲିଂ ପାର୍ଟି ପହଞ୍ଚିଛନ୍ତି । କୌଣସି ଅପ୍ରିତିକର ପରିସ୍ଥିତି ହେଲେ ମୁକାବିଲା ପାଇଁ ଡେଡିକେଟେଡ୍‌ ହେଲିକପ୍ଟର BSF ପକ୍ଷରୁ ଜଗଦଲପୁରରେ ଫୋର୍ସ ମୁଭମେଣ୍ଟ ବା ଅନ୍ୟ କିଛି ଅଘଟଣ ମୁକାବିଲା ପାଇଁ ତୟାର୍ ରହିଛନ୍ତି । ସେହିପରି ଏୟାର ଆମ୍ବୁଲାନ୍ସ କାଜୁଆଲିଟି ବା ଉଦ୍ଧାର କାର୍ଯ୍ୟ ଇଭାକ୍ୟୁଏସନ ପାଇଁ ଜୟପୁରରେ ଅବସ୍ଥାପିତ ଅଛି । ତେବେ ପ୍ରଥମ ପର୍ଯ୍ୟାୟ ପାଇଁ କୌଣସି ଅଘଟଣ ଏଯାବତ ଘଟିନାହିଁ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.