ETV Bharat / state

SCBରେ କିଡନୀ ପ୍ରତିରୋପଣ ସଫଳ, ୨୧ବର୍ଷର ସୁନିତା ପାଇଲେ ନୂଆ ଜୀବନ

author img

By ETV Bharat Odisha Team

Published : Mar 2, 2024, 4:12 PM IST

Cadaveric Kidney Transplant
Cadaveric Kidney Transplant

Cadaveric Kidney Transplant: ୨୧ ବର୍ଷର ସୁନିତାଙ୍କ ଶରୀରରେ ଲାଗିଲା କେନ୍ଦ୍ରାପଡ଼ା ଜିଲ୍ଲା ବ୍ରେନଡେଡ ଯୁବକ ଶିବୁଙ୍କ କିଡନୀ । ଏସସିବିରେ ସଫଳ ହେଲା ପ୍ରତିରୋପଣ । ଅଧିକ ପଢନ୍ତୁ

SCBରେ କିଡନୀ ପ୍ରତିରୋପଣ ସଫଳ, ୨୧ବର୍ଷର ସୁନିତା ପାଇଲେ ନୂଆ ଜୀବନ

କଟକ: ନୂଆ ଜୀବନ ପାଇଲେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ୨୧ ବର୍ଷୀୟ ଝିଅ ସୁନିତା ମହାପାତ୍ର । ବ୍ରେନଡେଡ୍‌ ଓମ ଶିବୁଙ୍କ କିଡନୀ ପ୍ରତିରୋପଣ ହେବା ପରେ ନୂଆ ଜୀବନ ପାଇଛନ୍ତି ସେ । ଏଣିକି ସେ ଜଣେ ସାଧାରଣ ଜୀବନ ବଞ୍ଚି ପାରିବେ । ଆଉ ରହିବନି ଡାଏଲିସିସର ଚିନ୍ତା । ଏଣିକି ଏକ ଉଜ୍ଜ୍ବଳ ଭବିଷ୍ୟ ଗଢିବାର ସ୍ବପ୍ନ ଦେଖିପାରିବେ । ଛୋଟ ବେଳୁ କିଡନୀ ରୋଗରେ ଆକ୍ରାନ୍ତ ଥିବା ସୁନିତାଙ୍କ ଶରୀରରେ ଶିବୁଙ୍କ କିଡନୀ ଲାଗିବା ପରେ ସେ ଦ୍ବିତୀୟ ଜୀବନ ପାଇଛନ୍ତି । ଏହାକୁ ନେଇ ପରିବାର ବର୍ଗ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଗତ ମାସ ୨୯ ତାରିଖ ରାତିରେ କେନ୍ଦ୍ରାପଡା ଜିଲ୍ଲା ନୟାକୋଟି ଗ୍ରାମର ଓମ ଶିବୁଙ୍କ ବ୍ରେନ ଡେଥ୍‌ ହୋଇଥିଲା । ଜାନୁଆରୀ ମାସରେ ଏସସିବି ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ ଓମ ଶିବୁ । ଗୋଟିଏ ମାସରୁ ଊର୍ଦ୍ଧ୍ବ ସମୟ ଧରି ଚିକିତ୍ସା କରାଯିବା ପରେ ତାଙ୍କର ସମସ୍ତ ପରୀକ୍ଷା ପରେ ଓମ ଶିବୁଙ୍କୁ ବ୍ରେନ ଟ୍ୟୁମର ଜଣାପଡିବା ପରେ ତାଙ୍କର ନ୍ୟୁରୋ ସର୍ଜରୀ ବିଭାଗରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବ୍ରେନଡେଥ ହୋଇଥିଲା । ତେବେ ଏହି ସମୟରେ ପରିବାରଙ୍କୁ ଅବଗତ କରିବା ପରେ ସ୍ବେଚ୍ଛାକୃତ ଭାବରେ ପୁଅର ଦୁଇ କିଡନୀକୁ ଦାନ କରିବା ପାଇଁ ଆଗେଇ ଆସିଥିଲେ ।

ଏହା ବି ପଢନ୍ତୁ- ଏସସିବିରେ ବିରଳ ଘଟଣା, ମାଆ ହେଲେ କିଡନୀ ପ୍ରତିରୋପଣ କରିଥିବା ମହିଳା

ଏହାପରେ ଗତକାଲି ସକାଳ ସମୟରେ ମୃତକ ଓମ ଶିବୁଙ୍କ ଦୁଇଟି କିଡନୀ ସଫଳ ଭାବରେ ଶରୀରରୁ ଅପରେସନ ପରେ କଢ଼ା ଯାଇଥିଲା । ନେଫ୍ରୋଲୋଜି ୟୁରୋଲୋଜି, ସୋଟୋ ଟିମ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହା ସମ୍ଭବ ହୋଇ ପାରିଥିଲା । ଦୁଇଟି କିଡନୀରୁ ଗୋଟିଏ ଏସସିବି ମେଡିକାଲରେ ସୁନିତା ମହାପାତ୍ରଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା ବେଳେ ଅନ୍ୟଟି ଆପୋଲୋ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି । ଓମ ଶିବୁଙ୍କ କିଡନୀ ପ୍ରତିରୋପଣ ହେବା ପରେ ନୂଆ ଜୀବନ ପାଇଛନ୍ତି ସୁନିତା ।

ଏହି ସଫଳ ଅସ୍ତ୍ରୋପଚାର ପରେ ସୁନିତାଙ୍କ ପରିବାର ବେଶ ଖୁସି ପ୍ରକଟ କରିଥିଲା ବେଳେ ଓମ ଶିବୁ ଓ ତାଙ୍କ ପରିବାରକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଆଗମୀ ଦିନରେ ଯଦି ସୁନିତାଙ୍କୁ ଯଦି ତାଙ୍କ ପରିବାର ଝିଅ କରିବାକୁ ଚାହିଁଲେ ତେବେ ନି ସଙ୍କୋଚ ଭାବରେ ଆମେ ରାଜି ହବୁ ବୋଲି କହିଛନ୍ତି ସୁନିତାଙ୍କ ମାମୁଁ । ଏହି କଷ୍ଟସାଧ୍ୟ ଅପରେସନ ପରେ ସୁନିତା ସୁସ୍ଥ ରହିଥିବା କହିଛନ୍ତି ୟୁରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ସମୀର ସ୍ବାଇଁ । ଅନ୍ୟପଟେ ୧୦ କାଡାଭରିକ ପ୍ରତିରୋପଣ କରି ଏକ ରେକର୍ଡର ଅଧିକାରୀ ହୋଇଛି ଏସସିବି ମେଡିକାଲ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.