ETV Bharat / state

ବାଲିପାଟଣା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ମହିଳାଙ୍କ ସମେତ ଗୋଟିଏ ପରିବାରର ୧୦ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Mar 20, 2024, 8:02 AM IST

Balipatna Murder case: ବାଲିପାଟଣା ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ପୂର୍ବ ଶତ୍ରୁତା ତଥା ଚାଟିଂକୁ ନେଇ ହତ୍ୟାକାଣ୍ଡ । ମହିଳାଙ୍କ ସମେତ 10 ଜଣଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ ।

Balipatna murder case
Balipatna murder case

Balipatna murder case

ଭୁବନେଶ୍ୱର: ବାଲିପାଟଣା ଅକ୍ଷୟ ମାଝୀ ହତ୍ୟା ମାମଲାର ଗୁମର ଫିଟାଇଲା ପୋଲିସ । ମୃତକ ଓ ଅଭିଯୁକ୍ତ ଉଭୟ ଗୋଟିଏ ଗ୍ରାମର ହୋଇଥିବା ବେଳେ ପୂର୍ବ ଶତ୍ରୁତା ତଥା ଚାଟିଂକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏହି ମାମଲାରେ ଗୋଟିଏ ପରିବାରର ମହିଳାଙ୍କ ସମେତ 10 ଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସୁଚନା ଅନୁଯାୟୀ, ରବିବାର ରାତିରେ ବାଲିପାଟଣା ଅଞ୍ଚଳର ଅକ୍ଷୟ ମାଝୀଙ୍କୁ ହତ୍ୟା କରାଯାଇଥିବା ନେଇ ବାଲିପାଟଣା ପୋଲିସ ଷ୍ଟେସନରେ 18 ତାରିଖରେ ଏକ ମାମଲା ରୁଜୁ ହୋଇଥିଲା । ଏତଲା ଆଧାରରେ ପୋଲିସ ସାଇଣ୍ଟିଫିକ ଟିମ ସହ ମିଶି ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, ମୃତ ଅକ୍ଷୟ ମାଝୀ ଓ ମୁଖ୍ୟ ଅଭିଯୁକ୍ତ ଦିଲ୍ଲିପ ଭୋଇ ଗୋଟିଏ ଗ୍ରାମର ଅଟନ୍ତି । ଅକ୍ଷୟ ମାଝୀର ସେହି ଗ୍ରାମର ଜଣେ ବ୍ୟକ୍ତି ସହ ବିବାଦ ରହିଥିଲା । ପୂର୍ବରୁ ମଧ୍ୟ ତାଙ୍କ ସହ ଝଗଡା ହୋଇଥିଲା ।

ଏହାମଧ୍ୟ ପଢନ୍ତୁ.. ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ମରଣାନ୍ତକ ଆକ୍ରମଣରେ ଆଖି ବୁଜିଲେ ଯୁବକ

ଦିଲ୍ଲୀପ ଭୋଇ, ଅକ୍ଷୟ ମାଝୀଙ୍କ ସ୍ତ୍ରୀଙ୍କୁ ମେସେଜ କରିବା ସହ କଥାବାର୍ତ୍ତା କରୁଥିଲା । ଏହି ଘଟଣାକୁ ନେଇ ଅକ୍ଷୟ ଓ ଦିଲ୍ଲୀପ ମଧ୍ୟରେ ଝଗଡା ହେବା ସହ ଦିଲ୍ଲୀପଙ୍କୁ ମାରପିଟ କରିଥିଲା ଅକ୍ଷୟ । ଏହାପରେ ଅକ୍ଷୟଙ୍କ ମାଆଙ୍କ ସହ ଦିଲ୍ଲୀପର ବଚସା ହୋଇଥିଲା । ଏହିସବୁ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢିଯାଇଥିଲା । ଗତ ସୋମବାର ଦିନ ରାତି ପାଖାପାଖି 9ଟା ସମୟରେ ଗାଁ ପାଖ ଏକ ନିଛାଟିଆ ସ୍ଥାନରେ ଅକ୍ଷୟଙ୍କୁ ହତ୍ୟା କରାଯାଇଥିଲା । ଦିଲ୍ଲୀପ ତାର ପରିବାର ଏବଂ ସମ୍ପର୍କୀୟଙ୍କ ସହ ମିଶି ଅକ୍ଷୟଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି ।

ତଦନ୍ତ ସମୟରେ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଏକ ରକ୍ତଭିଜା ପଥର ଓ ଛୁରି ଜବତ କରିଛି ପୋଲିସ । ଆଉମଧ୍ୟ ହତ୍ୟା କରିବା ଆଗରୁ ମୋବାଇଲ ମାଧ୍ୟମରେ ଯୋଜନା ପ୍ରସ୍ତୁତ କରିବାର ଅଡିଓ ମଧ୍ୟ ପୋଲିସ ହାତରେ ଲାଗିଛି । ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ମହିଳାଙ୍କ ସମେତ ପୋଲିସ 10 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗିରଫମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ଭୋଇ ଫେରାର ଥିବା ଜଣାପଡିଛି । ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।


ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.