ETV Bharat / sports

LSGକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ KKR - IPL 2024

author img

By ETV Bharat Odisha Team

Published : May 6, 2024, 7:58 AM IST

IPL 2024: ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ 98 ରନରେ ହରାଇଲା କୋଲକାତା । ରାଜସ୍ଥାନକୁ ହଟାଇ ପଏଣ୍ଟ ଟେବୁଲ ଶୀର୍ଷରେ କେକେଆର । ଅଧିକ ପଢନ୍ତୁ

IPL 2024
IPL 2024 (@KKRiders)

ଲକ୍ଷ୍ନୌ: ଆଇପିଏଲର 54ତମ ମ୍ୟାଚରେ କେକେଆରର ବୃହତ ବିଜୟ । ଘରୋଇ ମାଟିରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ 98 ରନରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ । ରାଜସ୍ଥାନକୁ ହଟାଇ ପଏଣ୍ଟ ଟେବୁଲର ଶୀର୍ଷରେ କୋଲକାତା । ସୁନୀଲ ନାରାୟଣଙ୍କ ଧୂଆଁଧାର ଅର୍ଦ୍ଧଶତକ । 3ଟି ଲେଖାଏଁ ୱିକେଟ ନେଇ ଲକ୍ଷ୍ନୌ ପାଇଁ ଘାତକ ସାବ୍ୟସ୍ତ ହେଲେ ହର୍ଷିତ ରଣା ଓ ବରୁଣ ଚକ୍ରବର୍ତ୍ତୀ । ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ନାରାୟଣ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ।

ଏହା ମଧ୍ୟ ପଢନ୍ତୁ-କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଶକ୍ତ ଝଟକା, ଏହି କାରଣରୁ ନିଲମ୍ବନ କଲା NADA - Bajrang Punia Suspended

ରବିବାର ସନ୍ଧ୍ୟା 7ଟା 30ରେ ଏକାନ୍ନା ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଲକ୍ଷ୍ନୌ ଅଧିନାୟକ କେଏଲ୍‌ ରାହୁଲ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଶ୍ରେୟସ ଆୟର ବାହିନୀ । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 235 ରନ କରିଥିଲା । ଆରମ୍ଭରୁ ଆକ୍ରାମକ ବ୍ୟାଟିଂ କରିଥିଲେ ଫିଲ୍‌ ସଲ୍ଟ ଓ ସୁନୀଲ ନାରାୟଣ । ଦଳୀୟ ସ୍କୋର 61 ହୋଇଥିବାବେଳେ 32 ରନ କରି ଆଉଟ ହୋଇଥିଲେ ସଲ୍ଟ । କିନ୍ତୁ ନାରାୟଣଙ୍କୁ ଅଟକାଇବା ସହଜ ହୋଇନଥିଲା ଲକ୍ଷ୍ନୌ ବୋଲରଙ୍କ ପାଇଁ । ଷ୍ଟାଡିୟମରେ ସେ ଛକା ଚୌକା ମାଡ କରି ଅର୍ଦ୍ଧଶତକ ହାସଲ କରିଥିଲେ । 81 ରନ କରି ସେ ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଘୁବଂଶୀ 32, ରସେଲ 12, ରିଙ୍କୁ ସିଂ 16, ଶ୍ରେୟସ ଆୟର 23 ଓ ରମନଦୀପ ଅପରାଜିତ 25 ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ୍‌ ହକ୍‌ ସର୍ବାଧିକ 3ଟି ୱିକେଟ ନେଇଥିଲେ ।

236 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଏଲ୍‌ଏସ୍‌ଜି । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରାହୁଲ ଓ ଆରସିନ କୁଲକର୍ଣ୍ଣି । ଦଳୀୟ ସ୍କୋର 20 ରନ ହୋଇଥିବା ବେଳେ କୁଲକର୍ଣ୍ଣି ମାତ୍ର 9 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ କେଏଲ୍‌ ରାହୁଲ୍‌ 25 ଓ ଷ୍ଟୋଇନିସ 36 ରନ କରି ଆଉଟ ହୋଇଥିଲେ । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆଉ କୌଣସି ବ୍ୟାଟରଙ୍କ ବ୍ୟାଟ ବୋଲରଙ୍କ ଆଗରେ ଚାଲିନଥିଲା । ଶେଷରେ 16.1 ଓଭରରେ ଦଳ ସମସ୍ତ ୱିକେଟ ହରାଇ ମାତ୍ର 137 ରନ କରିବାକୁ ସକ୍ଷମ ହୋଇଥିଲା । କୋଲକାତା ପକ୍ଷରୁ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ 3ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ରସେଲ 2ଟି ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.