ETV Bharat / sports

ଡିପଫେକ ଜାଲରେ ବିରାଟ କୋହଲି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Feb 21, 2024, 7:51 AM IST

Virat Kohli Deepfake Video
Virat Kohli Deepfake Video

Virat Kohli Deepfake Video: କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଡିପ୍‌ଫେକ୍‌ର ଶିକାର ହେଲେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି । କ୍ରିକେଟରଙ୍କ ଏହି ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜିକାଲି ଡିପଫେକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଡିପଫେକ ଜାଲରେ ଛନ୍ଦି ହେଉଛନ୍ତି ଅନେକ ସେଲିବ୍ରିଟି । ନିକଟରେ ବଲିଉଡ ତାରକାଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଡିପଫେକ ମାମଲାର ଶିକାର ହୋଇଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଏହି ତାଲିକାରେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ନାଁ ଯୋଡି ହୋଇଛି । କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଡିପଫେକର ଶିକାର ହୋଇଛନ୍ତି ବିରାଟ । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଡିପଫେକ୍ ଭିଡିଓ ଭାଇରାଲ ହେବାର ଲାଗିଛି । ଭିଡିଓରେ ବିରାଟଙ୍କ ଅବିକଳ ଚେହେରା ସହ ସ୍ୱରର ମଧ୍ୟ ନକଲ କରାଯାଇଛି । ଯାହାଫଳରେ ଜଣେ ସାଧାରଣ ଲୋକ ଜାଣିବା ମୁସ୍କିଲ ।

ଭିଡ଼ିଓରେ ବିରାଟ ଏକ ଅନଲାଇନ୍ ବେଟିଂ ଆପ୍‌ ଉପରେ କିଛି କହୁଥିବା ଦେଖିବାକୁ ମିଳୁଛି । କଥା କହିବାର ଶୈଳୀ ଓ ବିରାଟଙ୍କ ଚେହେରାକୁ ନକଲ କରାଯାଇଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ସତ୍ୟାସତ୍ୟକୁ ଅନୁଧ୍ୟାନ କରାଯାଇଥିଲା । ଏହାପରେ କୋହଲିଙ୍କ ଏହି ସ୍ୱର ୨୦୧୮ର ବୋଲି ଜଣାପଡ଼ିଛି । କୋହଲି ଏକ ସାକ୍ଷାତକାରରେ ଏପରି କହିଥିବା ସୂଚନା ମିଳିଛି । ସେହି ସମୟର ସାକ୍ଷାତକାରର କୋହଲିଙ୍କ ସ୍ୱରକୁ ଡିପଫେକ୍ ଭିଡିଓରେ ବ୍ୟବହାର କରାଯାଇଛି । ଯେଭଳି ଭାବରେ ଦର୍ଶକମାନେ ଖୁବ୍‌ଶୀଘ୍ର ଏହାକୁ ବିଶ୍ୱାସ କରିପାରିବେ ସେହିଭଳି ଭିଡିଓଟିକୁ ତିଆରି କରାଯାଇଛି ।

ଭିଡିଓରେ କୋହଲି କହୁଛନ୍ତି, ୩ ଦିନ ମଧ୍ୟରେ ମାତ୍ର ୧୦୦୦ ଟଙ୍କା ବିନିଯୋଗ କରି ୮୧,୦୦୦ ଟଙ୍କା ରୋଜଗାର କରିଛନ୍ତି । ତା’ ସହ ଏହି ଆପ୍‌କୁ ସମସ୍ତେ ବ୍ୟବହାର କରନ୍ତୁ ବୋଲି ସେ କହୁଥିବା ଶୁଣିବାକୁ ମିଳୁଛି । ଖାଲି ସେତିକି ନୁହେଁ, ଏହି ଆପ୍‌ ୨୦୦୦% ଜିତିବା ପକ୍କା ବୋଲି ସେ କହିଛନ୍ତି । ତେବେ ଏପରି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବା ପରେ ବର୍ତ୍ତମାନ ଡିପଫେକକୁ ନେଇ ଚିନ୍ତା ଆହୁରି ବଢ଼ିଛି ।

ଏହା ମଧ୍ୟ ପଢନ୍ତୁ- ତେନ୍ଦୁଲକରଙ୍କ ଆସିଲା ଡିପ୍‌ଫେକ୍‌ ଭିଡିଓ, ସୋସିଆଲ ମିଡିଆରେ ବର୍ଷିଲେ

ବର୍ତ୍ତମାନ ଅନେକ ସେଲିବ୍ରିଟିଙ୍କ ଡିପଫେକ ଭିଡିଓ ଭାଇରାଲ ହେଉଛି । ନିକଟରେ କ୍ରିକେଟର ସଚିନ ତେନ୍ଦୁଲକର ଗେମିଂ ଆପ୍‌ର ପ୍ରଚାର କରୁଥିବାର ଏକ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ସେ ସ୍ପଷ୍ଟ କରିଥିଲେ ଯେ ସେ ନୁହଁନ୍ତି ବୋଲି । ଏହା ପୂର୍ବରୁ ସଚିନଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ଡିପଫେକର ଶିକାର ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.