ETV Bharat / politics

ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ କଟାକ୍ଷ କଲା କଂଗ୍ରେସ, ଶରତ କହିଲେ ନିର୍ବାଚନରେ ମିଳିବ ଜବାବ

author img

By ETV Bharat Odisha Team

Published : Mar 19, 2024, 8:40 PM IST

Congress on Naveen Patnaik letter
Congress on Naveen Patnaik letter

Congress on Naveen Patnaik letter: ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଥିଲେ । ଆଗାମୀ ୧୦ ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ ବୋଲି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ କଟାକ୍ଷ କରି ଚିଠିର ଜବାବ ଆଗାମୀ ନିର୍ବାଚନରେ ଲୋକେ ଦେବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବାଜି ସାରିଛି ନିର୍ବାଚନୀ ବିଗୁଲ । ୫ ବର୍ଷ ପରେ ପୁଣି ହେବ ଲଢ଼େଇ । ଏହା ପୂର୍ବରୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଏହି ଚିଠିରେ ଆଗାମୀ ଦିନରେ ଓଡିଶା କିଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ଥିତିରେ ରହିବ, ସେନେଇ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି । ଆଗାମୀ ୧୦ ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ନବୀନଙ୍କ ଏହି ଚିଠିକୁ ନେଇ କଂଗ୍ରେସ କଡ଼ା ସମାଲୋଚନା କରିଛି । ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି ଓଡ଼ିଶାବାସୀଙ୍କୁ ଆଉ ଭୁଆଁ ବୁଲାନ୍ତୁ ନାହିଁ ନବୀନ ବାବୁ । ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ନବୀନଙ୍କୁ ସିଧାସଳଖ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ ।

ଶରତ କହିଛନ୍ତି, "ବହୁତ ହୋଇଗଲା ନବୀନ ବାବୁ । ୨୪ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ଠକିଛନ୍ତି ଆପଣ । ବିଜେଡି ଓ ବିଜେପି ମିଶିକି ଅଛନ୍ତି । ଚାଷୀ ଅବସ୍ଥା କହିଲେ ନସରେ । କଟନୀ ଛଟନି ପାଇଁ ଚାଷୀ ହତାଶ, ମଣ୍ଡିରେ ଅବ୍ୟବସ୍ଥା, କୋଟି କୋଟି ଟଙ୍କା ଘୋଟାଲା, ଯୁବ ବର୍ଗଙ୍କ ପାଇଁ ଉତ୍କଟ ବେକାରୀ ସମସ୍ୟା, ଦାଦନ ଖଟିବାକୁ ଲକ୍ଷ ଲକ୍ଷ ଲୋକ ବାହାର ରାଜ୍ୟକୁ ଯାଉଛନ୍ତି, ଖଣି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଛି, ଚିଟଫଣ୍ଡରେ ଗରିବ ଲୋକଙ୍କ ଟଙ୍କା ହଡପ ହୋଇଛି । ଓଡ଼ିଶା ଦରିଦ୍ର ହେଇଯାଉଛି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ନାରୀ ନିର୍ଯାତନା ବଢ଼ି ଚାଲିଛି । ମହିଳାଙ୍କୁ ଶୋଷଣ ପାଇଁ ସାରା ଦେଶରେ ଓଡିଶା ଆଜି ଉପରେ । ବାହାର ଠିକାଦାର ଆସି କାମ କରିବେ, ଓଡ଼ିଆ ଠିକାଦାର କାମ ପାଉ ନାହାଁନ୍ତି । ଖଣିଜ ସମ୍ପଦ ଲୁଟ୍ କରିବା ଉଭୟ ଦଳର ଲକ୍ଷ୍ୟ । ଇଲେକ୍ଟ୍ରୋରାଲ ବଣ୍ଡ ତଥ୍ୟ ଅନୁସାରେ ୯୦୦ କୋଟି ଟଙ୍କା ଚାନ୍ଦା ବିଜେଡିକୁ ମିଳିଛି । କିଏ ଦେଇଛି, କେମିତି ଆସୁଛି ଚାନ୍ଦା ? ଆଉ ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଆହୁରି ୧୦ ବର୍ଷ ପାଇଁ ଲୋକଙ୍କୁ ଚିଠି ମାଧ୍ୟମରେ ନିବେଦନ କରୁଛନ୍ତି । କିନ୍ତୁ ଲୋକେ ଏ ଚିଠିକୁ ବିଶ୍ବାସକୁ ନେବେ ନାହିଁ । ନିର୍ବାଚନରେ ଜବାବ୍‌ ଦେବେ ଲୋକେ । ଆଗକୁ କଂଗ୍ରେସ ହିଁ ବିଜେଡି ଓ ବିଜେପିର ବିକଳ୍ପ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ସାଢେ ଚାରି କୋଟି ଓଡ଼ିଆଙ୍କୁ ନବୀନଙ୍କ ଚିଠି, ସଶକ୍ତ ଓଡିଶା ଗଠନ କରିବାକୁ ଆହ୍ୱାନ

ପ୍ରକାଶ ଥାଉ, ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଥିଲେ । ଆଗାମୀ ଦିନରେ ଓଡିଶା କିଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ଥିତିରେ ରହିବ ସେନେଇ ଚିଠି ମାଧ୍ୟମରେ ଓଡିଶାବାସୀଙ୍କୁ ଅନୁରୋଧ କରିଥିଲେ । ସଶକ୍ତ ଓଡିଶା ଗଠନ କରିବାକୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନବୀନ ଓଡିଶାକୁ ସଶକ୍ତ କରିବା ସହ ଆଉ କିଛି ଦିନରେ ଓଡିଶା ନୂଆ ଇତିହାସ ସୃଷ୍ଟି କରିବ ବୋଲି କହିଥିଲେ । 2036 ସୁଧା ସବୁ କ୍ଷେତ୍ରରେ ଓଡିଶା ଏକ ନମ୍ବର ହେବ ବୋଲି ଚିଠିରେ ଉଲ୍ଲେଖ କରିବା ସହ ଆଗାମୀ ୧୦ ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ ବୋଲି ଲେଖିଥିଲେ । ଯୁବତୀ, ଯୁବକ, ମହିଳା, ଉଦ୍ୟୋଗୀ ତଥା ଚାଷୀ ଓ ଜନଜାତି ଭାଭ ଭଉଣୀମାନଙ୍କ ହାତରେ ରାଜ୍ୟ ବିକାଶର ମଙ୍ଗ ରହିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.