ETV Bharat / politics

ବଲାଙ୍ଗୀର ଲୋକସଭା ଆସନ; ପୁରୁଖା ନେତାଙ୍କୁ ସାମ୍ନା କରିବେ ନବାଗତ, ହେବ ତ୍ରୀମୂଖୀ ଲଢେଇ - Balangir Lok Sabha constituency

author img

By ETV Bharat Odisha Team

Published : Apr 9, 2024, 5:56 PM IST

ବଲାଙ୍ଗୀର ଲୋକସଭା ଆସନ
ବଲାଙ୍ଗୀର ଲୋକସଭା ଆସନ

Balangir Lok Sabha constituency: ବଲାଙ୍ଗୀର ଲୋକସଭା ଆସନରେ ହେବ ତ୍ରୀମୂଖୀ ଲଢେଇ । ବିଜେପି ଓ ବିଜେଡିର 2 ପୁରୁଖା ନାତାଙ୍କୁ ସାମ୍ନା କରିବେ କଂଗ୍ରେସର ନବାଗତ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ଲୋକସଭା ଆସନ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ପ୍ରମୁଖ ସଂସଦୀୟ କ୍ଷେତ୍ର ବଲାଙ୍ଗୀର ଲୋକସଭା ଆସନ । ଗତ ନିର୍ବାଚନରେ ଏହି ଆସନ ବିଜେପି ଖାତାକୁ ଯାଇଥିବା ବେଳେ ସଂଗୀତା କୁମାରୀ ସିଂ ଦେଓ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନ ପାଇଁ ପୁଣିଥରେ ସଂଗୀତାଙ୍କୁ ରିପିଟ କରି ସପ୍ତମ ଥର ପାଇଁ ଟିକେଟ ଦେଇଛି ଦଳ । ସେପଟେ ଶାସକ ଦଳର ସୈନିକ ସାଜିଛନ୍ତି କଂଗ୍ରେସ ଛା଼ଡି ବିଜେଡିରେ ଯୋଗ ଦେଇଥିବା ସୁରେନ୍ଦ୍ର ସିଂହ ଭୋଇ । ବିଜେଡି ଏଠାରୁ ତାଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପକ୍ଷେ ବଲାଙ୍ଗୀର ଲୋକସଭା ଆସନରେ ପ୍ରଥମ ଥର ପାଇଁ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ଅଭିନେତାରୁ ନେତା ସାଜିଥିବା ତଥା ମନୋଜ ମିଶ୍ର । ତେବେ ଚଳିତ ନିର୍ବାଚନରେ ବଲାଙ୍ଗୀରରେ ପୋଖତ ନେତାଙ୍କ ସହ ଜଣେ ନବାଗତ ନେତାଙ୍କ ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।

ବଲାଙ୍ଗୀର ଲୋକସଭା ଆସନ:

ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ଆସନ ଭାବରେ ଗଣତି ହୋଇଆସିଛି । ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ନେଇ ଗଠିତ ଏହି ଆସନ । ବଲାଙ୍ଗୀର ଲୋକସଭା ଆସନ ଅଧୀନରେ ବଲାଙ୍ଗୀର ଜିଲ୍ଲାର 5ଟି ବିଧାନସଭା ଆସନ ରହିଛି । ସେଗୁଡିକ ହେଲା ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜୀ, ପାଟଣାଗଡ ଓ ଲୋଇସିଂହା । ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ଥିବା 2ଟି ବିଧାନସଭା ଆସନ ହେଉଛି ବୀରମହାରାଜପୁର ଓ ସୋନପୁର ବିଧାନସଭା ଆସନ । ଚଳିତ ନିର୍ବାଚନରେ 30 ଲକ୍ଷ 23 ହଜାର 162 ଭୋଟର ମତଦାନ କରିବେ । ତେବେ ଏହି ଆସନରେ ବିଜେପି 4 ଥର, କଂଗ୍ରେସ 4ଥର ଓ ବିଜେଡି 2 ଥର ସଫଳ ହୋଇ ଆସିଛି ।

2024 ନିର୍ବାଚନ ପ୍ରାର୍ଥୀ:

ବିଜେପି ପ୍ରାର୍ଥୀ:- ଚଳିତ ସାଧାରଣ ନିର୍ବାଚନ ପାଇଁ ବଲାଙ୍ଗୀର ଲୋକସଭା ଆସନରୁ ସଂଗୀତା କୁମାରୀ ସିଂ ଦେଓଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେବେ ଚଳିତ ଥରକୁ ମିଶାଇ ସପ୍ତମ ଥର ପାଇଁ ସଂଗୀତାଙ୍କୁ ଟିକେଟ ଦେଇଛି ଦଳ । ଗତ 2019 ନିର୍ବାଚନରେ ମଧ୍ୟ ସଂଗୀତା ବଲାଙ୍ଗୀର ଲୋକସଭା ଆସନରୁ ସାଂସଦ ହୋଇଥିଲେ । ସେହିପରି 4 ଥର ଏହି ଆସନରେ ନିଜର ପତିଆରା ଜାହିର କରିଛନ୍ତି ସଂଗୀତା । ପଞ୍ଚମ ଥର ବିଜୟ ପାଇଁ ସେ ଏଥର ମୈଦାନକୁ ଓହ୍ଲାଇଛନ୍ତି । ଚାରି ଥରର ରିପୋର୍ଟ କାର୍ଡ ଭୋଟରଙ୍କ ସାମନାରେ ରଖିବାକୁ ପ୍ରୟାସ କରିଛନ୍ତି । ତେବେ ଚଳିତ ନିର୍ବାଚନକୁ ନେଇ ସଂଗୀତା କହିଛନ୍ତି, "ମୋଦି ଗ୍ୟାରେଣ୍ଟି ବିକଶିତ ଭାରତ ଭଳି ପ୍ରତିଶ୍ରୁତି ନେଇ ଭୋଟରଙ୍କ ପାଖକୁ ଯିବି । ଗତ ଚାରି ଥର ସାଂସଦ ଥିବା ସମୟରେ ହୋଇଥିବା ବିକାଶ କାମର ଆଗକୁ ମଧ୍ୟ ଏହି ବିକାଶ ଜାରି ରହିବ । ପ୍ରତିଦ୍ବନ୍ଦୀଙ୍କୁ ହାଲୁକାର ନେଉ ନାହିଁ । ବଲାଙ୍ଗୀରରେ ବିଜେପିର ନିଶ୍ଚିନ୍ତ ବିଜୟ ହେବ ।"



ବିଜେଡି ପ୍ରାର୍ଥୀ:- ଗତ ନିର୍ବାଚନରେ ବଲାଙ୍ଗୀନ ଲୋକସଭା ଆସନରୁ କଳିକେଶ ନାରାୟଣ ସିଂ ଦେଓଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । କିନ୍ତୁ ଚଳିତ ନିର୍ବାଚନ ପାଇଁ ଅଭିଜ୍ଞ ରାଜନେତା ସୁରେନ୍ଦ୍ର ସିଂହ ଭୋଇଙ୍କୁ ପ୍ରାର୍ଥୀ କରିଛି ଶାସକ ଦଳ । ସୁରେନ୍ଦ୍ର ଦୀର୍ଘ 38 ବର୍ଷରୁ କଂଗ୍ରେସ ସହିତ ରହି ରାଜନୀତି କରି ଆସୁଥିଲେ । ଏଥିରେ ସେ ବିଧାୟକ ଭାବରେ ନିର୍ବାଚିତ ହୋଇ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଭାବରେ ଦାୟିତ୍ୱ ତୁଲାଇ ଥିଲେ । ଗତ କିଛିଦିନ ପୂର୍ବରୁ କଂଗ୍ରେସର ହାତ ଛାଡି ବିଜେଡିରେ ସାମିଲ ହୋଇଥିଲେ ସୁରେନ୍ଦ୍ର । ଆଉ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା କ୍ଷଣୀ ଶାସକ ଦଳ ପକ୍ଷରୁ ସାଂସଦ ଟିକେଟ ପାଇଛନ୍ତି । ତେବେ ସୁରେନ୍ଦ୍ର ଏବେ ନିର୍ବଚନୀ ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରିଛନ୍ତି । ଏନେଇ ସୁରେନ୍ଦ୍ର କହିଛନ୍ତି, "ବଲାଙ୍ଗୀରରେ କୌଣସି ମୋଦି ଲହର କାମ ଦେବ ନାହିଁ । ଏଠି କେବଳ ନବୀନ ପଟ୍ଟନାୟକଙ୍କ ବିକାଶ ଲହର ଅଛି ଓ ସେହି ବିକାଶ ଧାରା ଆଗକୁ ମଧ୍ୟ ଜାରି ରହିବ । ନବୀନ ବ୍ରାଣ୍ଡ ଏଠି ସଫଳ ହେବ ଓ ବିଜେଡି ନିଶ୍ଚୟ ବିଜୟୀ ହେବେ ।"

କଂଗ୍ରେସର ନବାଗତ ପ୍ରାର୍ଥୀ:- ବିଜେଡି ଓ ବିଜେପିର 2 ଅଭିଜ୍ଞ ନେତାଙ୍କୁ ସାମ୍ନା କରିବା ପାଇଁ ଜଣେ ନବାଗତଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଦଳ ପକ୍ଷରୁ ମୈଦାନକୁ ଓହ୍ଲାଇଛନ୍ତି ଅଭିନେତାରୁ ନେତା ସାଜିଥିବା ମନୋଜ ମିଶ୍ର । ଚଳିତ ଥର ପ୍ରଥମ କରି ଅଭିନୟରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ମନୋଜ । ମନୋଜ କହିଛନ୍ତି, "ଯେଭଳି ସିନେମା ଅଭିନେତା ଭାବରେ ଲୋକେ ମୋତେ ଭଲ ପାଉଥିଲେ ଏବେ ମଧ୍ୟ ନେତା ଭାବରେ ସମାନ ଭଲ ପାଇବା ଲୋକ ଦେବେ । ପଶ୍ଚିମ ଓଡ଼ିଶା ପ୍ରତି ହୋଇ ଆସୁଥିବା ବୈମାତୃମ ମନୋବାହ ବିରୋଧରେ ଲଢେଇ କରିଆସିଛି ଓ ଆଗକୁ ମଧ୍ୟ ଏହି ଲଢେଇ କରିବି । ବଲାଙ୍ଗୀରର ଦାଦନ ସମସ୍ୟା, ବେକାରି ସମସ୍ୟା, ଜଳସେଚନ, କୃଷି ଭଳି ସବୁ କ୍ଷେତ୍ରର ବିକାଶ ପାଇଁ କାମ କରିବାକୁ ଆଗକୁ ଆସିଛି । ଲୋକ ମୋତେ ସହଯୋଗ କରିବେ । ମୋର ବିଜୟ ନିଶ୍ଚୟ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ଭବାନୀପାଟଣା ନିର୍ବାଚନ ମଣ୍ଡଳୀ; ପ୍ରମୁଖ ଦଳ ମଧ୍ୟରେ ହେବ ତ୍ରିମୁଖୀ ଲଢେଇ, କିଏ ହେବ ଜନତାଙ୍କ ପ୍ରିୟଭାଜନ ? - Bhawanipatna Assembly Constituency

ବଲାଙ୍ଗୀର ସଂସଦୀୟ କ୍ଷେତ୍ର ନିର୍ବାଚନ ମୈଦାନ ତୟାର । ଲଢିବା ପାଇଁ ଯୋଦ୍ଧା ତୟାର । ଯୋଦ୍ଧାଙ୍କ ରଣ କୌଶଳ ବି ପ୍ରସ୍ତୁତ । ତେବେ କାହାର ପଲ୍ଲା ହେବ ଭାରି ? କାହାର ଏଜେଣ୍ଡା କରିବ କାମ ? ପାର୍ଟୀ ନାଁରେ ନେତା ଡଙ୍ଗା ପାରି ହେବେ ନା ତାଙ୍କର ବ୍ୟକ୍ତିତ୍ୱ ହେବ ନିର୍ଣ୍ଣାୟକ । ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିବା ବେଳେ କେଉଁ ନେତା ଜନତା ଜନାର୍ଦ୍ଦନଙ୍କ ପ୍ରିୟଭାଜନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.