ETV Bharat / international

ସାଧା ପୋଷାକରେ ମଧ୍ୟ ରହିପାରିବେନି ଜଣେ ବି ଭାରତୀୟ ସୈନିକ: ମାଳଦ୍ବୀପ ରାଷ୍ଟ୍ରପତି

author img

By ETV Bharat Odisha Team

Published : Mar 5, 2024, 5:59 PM IST

No Indian Troops to Stay in Maldives Even in Civilian Clothing: ମାଳଦ୍ବୀପରେ ସାଧା ପୋଷାକରେ ମଧ୍ୟ ରହିପାରିବେନି ଜଣେ ମାତ୍ର ଭାରତୀୟ ସୈନିକ, କହିଲେ ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ । ଅଧିକ ପଢନ୍ତୁ

ମାଳଦ୍ବୀପରେ ସାଧାପୋଷାକରେ ମଧ୍ୟ ରହିପାରିବେନି ଜଣେ ହେଲେ ଭାରତୀୟ ସୈନିକ: ମାଳଦ୍ବୀପ ରାଷ୍ଟ୍ରପତି
ମାଳଦ୍ବୀପରେ ସାଧାପୋଷାକରେ ମଧ୍ୟ ରହିପାରିବେନି ଜଣେ ହେଲେ ଭାରତୀୟ ସୈନିକ: ମାଳଦ୍ବୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ମାଳଦ୍ବୀପରୁ ସୈନ୍ଯ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛି ଭାରତ । ସଶସ୍ତ୍ର ବଳର ଯବାନଙ୍କୁ ଅପସାରଣ କରଯାଇ ତାଙ୍କ ସ୍ଥାନରେ ବେସାମରିକ ଅଧିକାରୀଙ୍କୁ ନିଯୁକ୍ତି କରାଯାଉଛି । ଦୁଇ ଦେଶ ମଧ୍ୟରେ ଏକାଧିକ ରାଉଣ୍ଡର ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିଲା । ହେଲେ ଏବେ ଏହାକୁ ସ୍ଥାନୀୟ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବେ ବିରୋଧ କରିଛନ୍ତି । ମାଳଦ୍ବୀପରେ ଜଣେ ହେଲେ ମାତ୍ର ଭାରତୀୟ ସୈନିକ ସାଧା ପୋଷାକରେ ମଧ୍ୟ ରହିପାରିବେ ନାହିଁ ବୋଲି ମୁଇଜୁ କହିଛନ୍ତି ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ମୁଇଜୁ ଏକ ସଭାକୁ ସମ୍ବୋଧିତ କରିବା ବେଳେ ଏହି ମନ୍ତବ୍ୟ ରଖିଛନ୍ତି । କହିଛନ୍ତି, ‘‘ଦେଶରେ ଜଣେ ହେଲେ ମଧ୍ୟ ଭାରତୀୟ ବଳର ଯବାନଙ୍କୁ ରହିବାକୁ ଦିଆଯିବ ନାହିଁ । ସେ ସେନା ପୋଷାକରେ ହୁଅନ୍ତୁ, କିମ୍ବା ସାଧା ପୋଷାକରେ । କୌଣସି ଆକାରରେ ମଧ୍ୟ ଭାରତୀୟ ସେନାର ଉପସ୍ଥିତି ମାଳଦ୍ବୀପରେ ଦେଖିବାକୁ ମିଳିବନାହିଁ । ଏହା ମୁଁ ଦୃଢତାର ସହ କହିପାରିବି ।’’

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ରାଷ୍ଟ୍ରପତି ମୁଇଜୁ ଭାରତକୁ ପରୋକ୍ଷ ସମାଲୋଚନା କରିଥିଲେ । ଭାରତ ନାଲିଆଖି ଦେଖାଉଛି ଓ ଏହାକୁ ବରଦାସ୍ତ କରାଯିବନି ବୋଲି ମୁଇଜୁ ପରୋକ୍ଷରେ କହିଥିଲେ । ବିଦେଶ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏହାକୁ କଡା ଭାଷାରେ ଜବାବ ଦେଇଥିଲେ । ଭାରତ ପଡୋଶୀ ପ୍ରଥମ ନୀତିରେ ବିଶ୍ବାସ କରେ, ଏବେ ନିକଟରେ ଭାରତ କେଉଁ ସବୁ ଦେଶକୁ କେଉଁ କ୍ଷେତ୍ରରେ ସହଯୋଗ କରିଛି ତାର ଉଦାହରଣ ଦେଇଥିଲେ ଜୟଶଙ୍କର ।

ଏହା ମଧ୍ୟ ପଢନ୍ତୁ :- ଇସ୍ତଫା ଦେଲେ କୋଲକାତା ହାଇକୋର୍ଟ ଜଷ୍ଟିସ ଅଭିଜତ ଗଙ୍ଗୋପାଧ୍ୟାୟ, 7ରେ BJPରେ ହେବେ ସାମିଲ

ମାଳଦ୍ୱୀପରେ ନିର୍ବାଚନ ହେବା ପୂର୍ବରୁ ଏହି ଅଭିଯାନ ଜୋର ଧରିଥିଲା । ମୁଇଜୁଙ୍କ ନେତୃତ୍ୱରେ ‘ଆଉଟ ଇଣ୍ଡିଆ’ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ଯାହାର ପ୍ରଭାବ ନିର୍ବାଚନ ଫଳାଫଳରେ ମଧ୍ୟ ଦେଖାଯାଇଥିଲା । ମୁଇଜୁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ । ସେ ଜଣେ ଚୀନ ଅନୁଗାମୀ ନେତା ଭାବେ ମଧ୍ୟ ପରିଚିତ । ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ପକ୍ଷରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଅଂଶଗ୍ରହଣ କରିଥିଲେ । ସେତେବେଳେ ଦ୍ବିପାକ୍ଷିକ ଆଲୋଚନାରେ ମଧ୍ୟ ଏହି ପ୍ରସଙ୍ଗରେ ମୁଇଜୁ ଗୁରୁତ୍ୱାରୋପ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ମାଳଦ୍ୱୀପର ରାଷ୍ଟ୍ରପତିମାନେ ପ୍ରଥମ ବିଦେଶ ଗସ୍ତ ଭାବେ ଭାରତ ଆସିବାର ପରମ୍ପରା ରହିଥିଲା । ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ମୁଇଜୁ ପ୍ରଥମ ଗସ୍ତରେ ତୁର୍କୀ ଯିବା ସହ ପରେ ଚୀନ ଗସ୍ତ କରି ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ବେଜିଂର ପ୍ରରୋଚନାରେ ମାଳଦ୍ୱୀପ ଭାରତ ସହ ଦୂରତା ବଢାଇବା ସହ ଚୀନର ନିକଟତର ହେବାରେ ଲାଗିଥିବା ବିଦେଶ ବ୍ୟାପାର ବିଶେଷଜ୍ଞ କୁହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.