ETV Bharat / international

ଭାରତ ଆସୁଥିବା ତୈଳ ଜାହାଜକୁ ଲୋହିତ ସାଗରରେ ମିସାଇଲ ମାଡ !

author img

By ETV Bharat Odisha Team

Published : Feb 17, 2024, 9:58 PM IST

ଆମେରିକାର ଦାବି, ଭାରତ ଆସୁଥିବା ତୈଳ ଜାହାଜକୁ ଲେହିତ ସାଗରରେ ‘ହୁତି’ ଆତଙ୍କବାଦୀଙ୍କ ମିସାଇଲ ମାଡ
ଆମେରିକାର ଦାବି, ଭାରତ ଆସୁଥିବା ତୈଳ ଜାହାଜକୁ ଲେହିତ ସାଗରରେ ‘ହୁତି’ ଆତଙ୍କବାଦୀଙ୍କ ମିସାଇଲ ମାଡ

Houthis fired missiles at India-bound British oil tanker: ଭାରତ ଆସୁଥିବା ତୈଳ ଜାହାଜକୁ ଲୋହିତ ସାଗରରେ ‘ହୁତି’ ଆତଙ୍କବାଦୀଙ୍କ ମିସାଇଲ ମାଡ କରିଥିବା ଦାବି କଲା ଆମେରିକା । ଭାରତ ପକ୍ଷରୁ ନାହିଁ କୌଣସି ସୂଚନା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଲୋହିତ ସାଗରରେ ଭାରତ ଅଭିମୁଖେ ଆସୁଥିବା ଏକ ତୈଳ ଜାହାଜକୁ ମିସାଇଲ ମାଡ କରାଯାଇଥିବା ଆମେରିକା ଦାବି କରିଛି । ଇରାନ ଦ୍ବାରା ସମର୍ଥିତ ୟେମେନର ଆତଙ୍କବାଦୀ ସଂଗଠନ ‘ହୁତି’ ପକ୍ଷରୁ ଏହି ଆକ୍ରମଣ ହୋଇଥିବା ଆମେରିକା ଦାବି କରିଛି । ଏହି ଜାହାଜଟି ଅଶୋଧିତ ତୈଳ ନେଇ ଭାରତ ଅଭିମୁଖେ ଯାତ୍ରା କରିଥିଲା । ଲୋହିତ ସାଗରର ୟେମେନ ଉପକୂଳବର୍ତ୍ତୀ ଏରିଆରେ ଏହି ଆକ୍ରମଣ ହୋଇଛି । ଆମେରିକାର ଏହି ଦାବି ସମ୍ପର୍କରେ ଭାରତ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇନି ।

ଆମେରିକାର ଦାବି ଅନୁସାରେ, ଏହି ତୈଳ ଟ୍ୟାଙ୍କରଟି ପାନାମା ଦ୍ବାରା ପଞ୍ଜୀକୃତ ଜାହାଜ । ଭାରତ ଅଭିମୁଖେ ଯାତ୍ରା କରିବା ବେଳେ ଲୋହିତ ସାଗରରେ ମିସାଇଲ ମାଡର ଶିକାର ହୋଇଛି । ତେବେ ଆମେରିକା ଏହି ଦାବି କରିଥିଲେ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ରଖିନି । ଅନ୍ୟପଟେ ଏହି ଆକ୍ରମଣ ସମ୍ପର୍କରେ ‘ହୁତି’ ସଂଗଠନର ଜଣେ ମୁଖପାତ୍ର ଅଲ-ଜିଜିରା ଟିଭିକୁ ସାକ୍ଷାତକାର ଦେଇ ସ୍ପଷ୍ଟ କରିଛନ୍ତି । ଇସ୍ରାଏଲର ପାଲେଷ୍ଟାଇନ ଉପରେ ଜାରି ରହିଥିବା ଆକ୍ରମଣ ପାଇଁ ଏହି ଆକ୍ରମଣ କରାଯାଇଛି । ପାଲେଷ୍ଟାଇନବାସୀଙ୍କ ଏକତା ପାଇଁ ଯୁଦ୍ଧ ଜାରି ରହିବ ବୋଲି ହୁତି ସଂଗଠନ ପକ୍ଷରୁ କୁହାଯାଇଛି ।

ସଂଯୁକ୍ତ ରାଷ୍ଟ୍ର ନୌବାଣିଜ୍ୟ ବ୍ୟାପାର ସଂଗଠନ (UKMTO) ମଧ୍ୟ ଶୁକ୍ରବାର ଲୋହିତ ସାଗରରେ ଏହିପରି ଏକ ଆକ୍ରମଣ ହୋଇଥିବା ସୂଚନା ଦେଇଛି । ଜାହାଜରେ ନିଆଁ ଲାଗିଥିଲା ଓ ଏହା ଏକ କ୍ଷେପଣାସ୍ତ୍ର ମାଡ ପରି ଅନୁମାନ କରାଯାଉଛି । ହେଲେ କେହି ମୃତାହତ ହୋଇନାହାନ୍ତି । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ବୋଲି UKMTO କହିଛି ।

ଏହା ମଧ୍ୟ ପଢନ୍ତୁ :- ମହାକାଶକୁ ଗଲା ‘ନଟି ବୟ’: ପାଣିପାଗ ଉପଗ୍ରହ INSAT-3DS ର ସଫଳତାପୂର୍ବକ ଉତକ୍ଷେପଣ କଲା ଇସ୍ରୋ

ତେବେ ଲୋହିତ ସାଗର, ପଶ୍ଚିମ- ଆରବ ସାଗର ଉପକୂଳରେ ନିକଟରେ ଏକାଧିକ ଜାହାଜ ଆକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ନୌସେନା ଉକ୍ତ କ୍ଷେତ୍ରରେ ନିଜର ସର୍ଭିଲାନ୍ସ ବଢାଇଛି । ନିକଟରେ ଏକାଧିକ ହାଇଜାକ ଜାହାଜକୁ ମଧ୍ୟ ଭାରତୀୟ ନୌସେନା ଅପହରଣକାରୀ ଦସ୍ୟୁଙ୍କ ଠାରୁ ମୁକ୍ତ କରିବାରେ ସଫଳ ହୋଇଛି । ହେଲେ ଗତକାଲି ହୋଇଥିବା ତଥାକଥିତ ଏହି ଆକ୍ରମଣ ସମ୍ପର୍କରେ ଭାରତ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି । ନିକଟରେ ହୋଇଥିବା ଆକ୍ରମଣଗୁଡିକରେ ମୁଖ୍ୟତଃ ‘ହୁତି’ ଆତଙ୍କବାଦୀ ସଂଗଠନ ଓ ସୋମାଲିଆ ଜଳଦସ୍ୟୁଙ୍କ ଭୂମିକା ରହିଛି । ୟେମେନ ଉପକୂଳରେ ପ୍ରଭାବ ବିସ୍ତାର କରିବାରେ ଲାଗିଥିବା ‘ହୁତି’ ସଂଗଠନ ପଛରେ ଇରାନର ପ୍ରତ୍ୟେକ୍ଷ ସମର୍ଥନ ରହିଥିବା ଆମେରିକା ଦାବି କରିଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.