ETV Bharat / state

ସମୀରଙ୍କ ପରି ବିଜେପି ନେତାଙ୍କୁ ମଧ୍ୟ ମିଳିବ ବିଜେଡିର ବିଜୁଳି ବ୍ୟବସ୍ଥାର ଲାଭ: ଭୃଗୁ - Bhrugu Baxipatra targets bjp

author img

By ETV Bharat Odisha Team

Published : May 16, 2024, 10:37 AM IST

BHRUGU BAXIPATRA TARGETS BJP: ବିଜୁଳି ରାଜନୀତି । ବିଜେପି ନେତା ସମୀର ମହାନ୍ତିଙ୍କୁ କଡ଼ା ଜବାବ ଦେଲେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ଅଧିକ ପଢନ୍ତୁ

ସମୀରଙ୍କ ପରି ବିଜେପି ନେତାଙ୍କୁ ମଧ୍ୟ ମିଳିବ ବିଜେଡିର ବିଜୁଳି ବ୍ୟବସ୍ଥାର ଲାଭ:- ଭୃଗୁ
ସମୀରଙ୍କ ପରି ବିଜେପି ନେତାଙ୍କୁ ମଧ୍ୟ ମିଳିବ ବିଜେଡିର ବିଜୁଳି ବ୍ୟବସ୍ଥାର ଲାଭ:- ଭୃଗୁ (ETV Bharat Odisha)

ଭୁବନେଶ୍ବର: ବିଜେପିକୁ ଟାର୍ଗେଟ କଲେ ଭୃଗୁ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡିଶା ବିଜେପି ଶୋଚନୀୟ ପରାଜୟକୁ ସାମ୍ନା କରୁଛି ବୋଲି ଜାଣି ସାରିଛି । ବିଜେଡି 90% ଆସନରେ ବାଜିମାତ କରିବାକୁ ଯାଉଥିବାରୁ ଏହା ବିଜେପି ମନୋବଳକୁ ଭାଙ୍ଗି ଦେଇଛି । ଯେଉଁଥିପାଇଁ ସେମାନେ ଅଭ୍ୟାସଗତ ଭାବେ ମିଛ କହିବା ଆରମ୍ଭ କରିଛନ୍ତି । ବିଚଳିତ ହୋଇ ମନଗଢା କଥା କହୁଛି ବିଜେପି । ନିଜ ଦଳ ସରକାର ବିରୁଦ୍ଧରେ ତଦନ୍ତ ଦାବି କଲେଣି ବିଜେପି ନେତା ସମୀର ମହାନ୍ତି । ଏହା କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର ।

ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଗଣମାଧ୍ୟମରେ ଆମେ ଦେଖିବାକୁ ପାଇଲୁ । ବିଜେଡ଼ିର ଘୋଷଣା କରିଥିବା ଇସ୍ତାହାର ବାବଦରେ ସମୀର ଆଲୋଚନା କରିଛନ୍ତି । ବିଜେଡି ଘୋଷଣା କରିଛି ଯେ, ସରକାରକୁ ଆସିଲେ ଆସନ୍ତା ଜୁଲାଇ ମାସରୁ ବିଦ୍ୟୁତ୍ ଦର ମାଗଣା କରାଯିବ । 100 ୟୁନିଟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା, ତା'ପରେ 50 ୟୁନିଟର ଏକ ସ୍ଲାପ ହେବ । ବିଜେଡି ଇସ୍ତାହାରରେ ଯାହା ଯାହା କହିଛି, ତାହା ଦଳ କରିକି ଦେଖାଇଛି । ଏବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପୂରଣ କରାଯାଉଛି । ବିଜେଡି ସରକାର ଏକମାତ୍ର ସରକାର ହେବ, ଯିଏ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ ଘୋଷଣା କରି ଶେଷ କରୁଛି ।



ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ଗରିବ ଜନସାଧାରଣଙ୍କ ଲାଗି ବିଜେଡି ସରକାର ବିଦ୍ୟୁତ ଦର ନିଜ କାନ୍ଧକୁ ନେଇଥିବାରୁ ବିଜେପିକୁ ହଜମ ହେଉନାହିଁ । ବିଜେପି ଲୋକଙ୍କ ଲାଗି କିଛି କରିନାହିଁ କିମ୍ବା କରିବା ପାଇଁ ସୁଯୋଗ ନାହିଁ । ବିଦ୍ୟୁତ ଦର ବିଜେଡି ସରକାର ଦେବେ କିନ୍ତୁ ବିଜେପି ଅଫିସରେ କରେଣ୍ଟ ଲାଗୁଛି । ବିଜେପିର ଇସ୍ତାହାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କରିଛନ୍ତି । ବିଜେପିର ଇସ୍ତାହାର କମିଟି କ'ଣ କ'ଣ କରେ ସମୀର ତାହା ଜାଣିଛନ୍ତି । ବିଜେପି ଇସ୍ତାହାର ପ୍ରସ୍ତୁତ ହୋଇ କେଉଁ ରୁମରେ ରୁହେ ତାହା ସମୀର ମଧ୍ୟ ଜାଣିଛନ୍ତି । ବିଜେପିର ଲିଖିତ ଇସ୍ତାହାରକୁ ପାଳନ କରିବା ଲାଗି ଜନସାଧାରଣ କେବେ ସୁଯୋଗ ଦେଇ ନାହାନ୍ତି । ବିଜେଡିକୁ ଓଡିଶାବାସୀ ବାରମ୍ବାର ସୁଯୋଗ ଦେଇଛନ୍ତି । ଲୋକ ସୁଯୋଗ ଦେଉଛନ୍ତି, ନବୀନ ସରକାର ଏହାର ସୁ - ଉପଯୋଗ କରୁଛନ୍ତି ।



ଓଡିଶାର ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ବର୍ତ୍ତମାନ ପ୍ରାୟ 96 ଲକ୍ଷ ପରିବାର । ଏଥିରେ ପାଖାପାଖି 45 ଲକ୍ଷ ପରିବାର 100 ୟୁନିଟ କମ ବିଦ୍ୟୁତ ବ୍ୟବହାର କରୁଥିବେ । ଅର୍ଥାତ ଜୁଲାଇ 1 ତାରିଖରୁ 45 ଲକ୍ଷ ପରିବାରକୁ ମାଗଣା ବିଜୁଳି ରାଜ୍ୟ ସରକାର ଯୋଗାଇବେ । 100ରୁ 150 ୟୁନିଟ ବ୍ୟବହାରକାରୀଙ୍କ ସଂଖ୍ୟା 15ରୁ 18 ଲକ୍ଷ ପରିବାର । ପାଖାପାଖି 60 ଲକ୍ଷ ପରିବାରକୁ ସିଧାସଳଖ ଲାଭ ଏହି ଯୋଜନାରୁ ମିଳିବ । ସମୀର ମହାନ୍ତିଙ୍କ ପରି ବିଜେପି ନେତା ମଧ୍ୟ ବିଜୁଳି ବ୍ୟବସ୍ଥାର ଲାଭ । ତେଣୁ ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦନ୍ତୁ ନାହିଁ । ବିଜୁଳି ଯୋଗାଣ ସଂକ୍ରାନ୍ତରେ ମଧ୍ୟ ବିଜେପିର ମିଛ ଧରାପଡିଛି । ଓଡିଶା ବିଜୁଳି ଉତ୍ପାଦନ କରିବା ପରେ ଏହା କେଉଁ ରାଜ୍ୟକୁ କେତେ ବିଜୁଳି ଯୋଗାଣ କରାଯିବ ଏବଂ କେତେ ଦରରେ କରାଯିବ, ଏହା କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥାନ୍ତି । ରାଜ୍ୟକୁ ବିଜୁଳି ଯୋଗାଇବାକୁ ଚାପ ସବୁବେଳେ କେନ୍ଦ୍ର ସରକାର ପକାଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ.....'ବିଜୁଳି-ବିଏସକେଓ୍ୱାଇ-ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି'; ପୁଣି ନବୀନଙ୍କ ସହ ଭିଡିଓ ଛାଡ଼ିଲେ ପାଣ୍ଡିଆନ - Pandian Shares Video With Naveen

ସେହିପରି ବିଜେପି ଶାସିତ ବିହାର, ଉତ୍ତରପ୍ରଦେଶ ତୁଳନାରେ ଓଡିଶାର ବିଜୁଳି ଦର ବହୁତ ଶସ୍ତା । ଏସବୁ ରାଜ୍ୟରେ ଓଡିଶା ତୁଳନାରେ ବିଜୁଳି ଦର ଦୁଇଗୁଣା ଅଧିକ । ରାଜସ୍ଥାନରେ ବିଜୁଳି ଦର ଓଡିଶା ତୁଳନାରେ ୭୫ ପ୍ରତିଶତ ଅଧିକ । ସମୀରଙ୍କ ପ୍ରତିକ୍ରିୟା ଶୁଣି ଲାଗିଲା, କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରୁଛନ୍ତି ବୋଲି ସେ କହିବାକୁ ଚାହୁଁଛନ୍ତି । ଆମେ ଶୁଣୁଥିଲୁ, ଚଳିତ ନିର୍ବାଚନରେ ଟିକଟ ମିଳିଲା ନାହିଁ ବୋଲି ସେ ରାଗରେ ଥିଲେ । ଲାଗୁଛି ସେ ଏତେ ରାଗରେ ଅଛନ୍ତି ଯେ, ନିଜ ଦଳର ସରକାର ବିରୋଧରେ ତଦନ୍ତ କରିବାକୁ ଦାବି କରୁଛନ୍ତି । ତଦନ୍ତ ହେଉ, ସବୁ ସତ ପଦାକୁ ଆସିଯିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡିଶା ବିଜେପି ଭଲ ଭାବେ ଜାଣି ସାରିଲାଣି ଯେ ସେମାନେ ଶୋଚନୀୟ ପରାଜୟକୁ ସାମ୍ନା କରୁଛନ୍ତି । ଆଉ ବିଜେଡି ୯୦ % ଆସନରେ ବାଜିମାତ କରିବାକୁ ଯାଉଛି । ଏହା ବିଜେପି ମନୋବଳକୁ ଭାଙ୍ଗି ଦେଇଛି । ଯେଉଁଥିପାଇଁ ସେମାନେ ଅଭ୍ୟାସଗତ ଭାବେ ମିଛ କହିବା ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.