ETV Bharat / bharat

ଝାଡ଼ଖଣ୍ଡରେ ମାତିଲେ ନକ୍ସଲ, ଆକ୍ରମଣରେ 2 ଯବାନ ଶହୀଦ

author img

By ETV Bharat Odisha Team

Published : Feb 7, 2024, 7:19 PM IST

ଝାଡଖଣ୍ଡରେ ନକ୍ସଲ ଆକ୍ରମଣରେ ଦୁଇ ଯବାନ ଶହୀଦ
ଝାଡଖଣ୍ଡରେ ନକ୍ସଲ ଆକ୍ରମଣରେ ଦୁଇ ଯବାନ ଶହୀଦ

Soldiers martyred in Chatra: ଝାଡଖଣ୍ଡରେ କମ୍ବିଂ ଅପରେସନ ବେଳେ ନକ୍ସଲ ଆକ୍ରମଣରେ ଦୁଇ ଯବାନ ଶହୀଦ । ଜଣେ ଗୁରୁତର । ଅଧିକ ପଢନ୍ତୁ

ରାଞ୍ଚି: ଛତିଶଗଡ ପରେ ଏବେ ପଡୋଶୀ ଝାଡଖଣ୍ଡରେ ସୁରକ୍ଷାବଳ ଉପରେ ଲାଲବାହିନୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଚାତ୍ରା ଜିଲ୍ଲାର ଜୁରିବେରିଓ ପୋଲିସ ଷ୍ଟେସନ ଅଞ୍ଚଳ ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି । ଏଥିରେ ଅପରେସନରେ ସାମିଲ ଥିବା ଅନ୍ୟ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।

ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରୁ ଜୁରିବେରିଓ ନିକଟବର୍ତ୍ତୀ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ସମ୍ପର୍କରେ ସୂଚନା ମିଳିବା ପରେ କେନ୍ଦ୍ରୀୟ ଫୋର୍ସ ଓ ସ୍ଥାନୀୟ ପୋଲିସ ଫୋର୍ସର ଯବାନଙ୍କ ମିଳିତ ଟିମ ପାଟ୍ରୋଲିଂରେ ବାହାରିଥିଲେ । ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ନକ୍ସଲମାନେ ଅତର୍କିତ ଗୁଳିମାଡ କରିଥିଲା । ସୁରକ୍ଷାବଳ ମଧ୍ୟ ପାଲଟା ଯବାବ ଦେଇଥିଲା । କିଛି ଘଣ୍ଟା ଧରି ଜାରି ରହିଥିବା ଏହି ଗୁଳି ବିନିମୟରେ 2 ଯବାନ ଶହୀଦ ହୋଇଛନ୍ତି । ଅନ୍ୟଜଣେ ଯବାନ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଛନ୍ତି । ନିକଟବର୍ତ୍ତୀ ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :-ଆଉ 5 ଦିନ ବଢ଼ିଲା ହେମନ୍ତ ସୋରେନଙ୍କ ‘ଇଡି’ ରିମାଣ୍ଡ ଅବଧି

ନିକଟରେ ଛତିଶଗଡରେ ଏକାଧିକ ନକ୍ସଲ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ବେଳେ ଝାଡଖଣ୍ଡରେ ଏପରି ଘଟଣା ଦେଖିବାକୁ ମିଳିନଥିଲା । କିଛି ଦିନର ବ୍ୟବଧାନରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଛତିଶଗଡରେ ବିଧାନସଭା ନିର୍ବାଚନ ସମୟରେ ଓ ପରବର୍ତ୍ତୀ ସମୟରେ ଏକାଧିକ ନକ୍ସଲ ହିଂସାର ନଜିର ରହିଛି । ନିର୍ବାଚନ ବେଳେ ନକ୍ସଲମାନେ ପୋଲିସ ଇନଫର୍ମର ସନ୍ଦେହରେ 4 ସ୍ଥାନୀୟ ବାସିନ୍ଦାଙ୍କୁ ହତ୍ୟା କରିଥିଲେ । ମତଦାନ ସଂଧ୍ୟା 5 ଟାରେ ସରିବା ପୂର୍ବରୁ କିଛି ସମ୍ବେଦନଶୀଳ ସ୍ଥାନରେ ଅପରାହ୍ନ 3 ଟାରେ ଭୋଟିଂ ଶେଷ କରି କଡା ସୁରକ୍ଷା ମଧ୍ୟରେ ଭୋଟିଂ ସରଞ୍ଜାମ ଷ୍ଟ୍ରଙ୍ଗ ରୁମରେ ପହଞ୍ଚାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବସ୍ତର ଗସ୍ତ ପୂର୍ବରୁ ନକ୍ସଲମାନେ ଏହି ହିଂସାକାଣ୍ଡ ଭିଆଇ ସେମାନଙ୍କ ଉପସ୍ଥିତି ଓ ପ୍ରଭାବ ଦର୍ଶାଇବାକୁ ପ୍ରୟାସ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.