ETV Bharat / bharat

ସଲାମ ଡାକ୍ତର ଦିଦି ନିଲମ: କ୍ଲିନିକରେ ଝିଅ ଜନ୍ମ ହେଲେ ମିଠା ବାଣ୍ଟନ୍ତି, ଉପହାର ଦିଅନ୍ତି

author img

By ETV Bharat Odisha Team

Published : Mar 20, 2024, 2:05 PM IST

Bihar Doctor didi Neelam
Bihar Doctor didi Neelam

Bihar Doctor didi Neelam: କନ୍ୟା ସନ୍ତାନଙ୍କ ସୁରକ୍ଷା ଦିଗରେ ଡାକ୍ତର ଦିଦିଙ୍କ ଭିନ୍ନ ପଦକ୍ଷେପ । ଝିଅ ଜନ୍ମହେଲେ ଦିଅନ୍ତି ଉପହାର । ଜାଣନ୍ତୁ କିଏ ସେହି ଡାକ୍ତର ଦିଦି ।

ପାଟନା: ଯୁଗ ଯେତେ ଆଧୁନିକତା ଆଡକୁ ପ୍ରବେଶ କରିଥିଲେ ମଧ୍ୟ ଆଜିମଧ୍ୟ କନ୍ୟା ସନ୍ତାନ ଅପେକ୍ଷା ପୁତ୍ର ସନ୍ତାନ ହେଲେ ପରିବାର ଅଧିକ ଖୁସି ହୋଇଥାଏ । ଅନେକ ପରିବାର ଏଭଳି ଅଛନ୍ତି ଯେଉଁମାନେ ପୁତ୍ର ସନ୍ତାନ ଜନ୍ମ ହେଲେ ଆଶୀର୍ବାଦ ଓ କନ୍ୟା ସନ୍ତାନ ଜନ୍ମକୁ ଅଭିଶାପ ବୋଲି ଭାବନ୍ତି । ଲୋକମାନଙ୍କ ଏଭଳି ଚିନ୍ତାଧାରାକୁ ବଦଳାଇବା ପାଇଁ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି ବିହାରର ଜଣେ ଡାକ୍ତର ଦିଦି ନିଲମ ।

ତାଙ୍କ କ୍ଲିନିକରେ ଯେତେବେଳେ କନ୍ୟା ସନ୍ତାନ ଜନ୍ମ ନିଅନ୍ତି ତେବେ ସାରା ହସ୍ପିଟାଲରେ ଖୁସିର ମାହୋଲ ଖେଳିଯାଏ । ହସ୍ପିଟାଲ ଷ୍ଟାଫ ଓ ଉପସ୍ଥିତ ଥିବା ଲୋକମାନଙ୍କୁ ମିଠା ବାଣ୍ଟିବା ସହ କନ୍ୟା ସନ୍ତାନର ପିତାମାତାଙ୍କୁ ଉପହାର ପ୍ରଦାନ କରିଥାନ୍ତି ଡାକ୍ତର ଦିଦି । ତାଙ୍କର ଏଭଳି କାର୍ଯ୍ୟ ପାଇଁ ଲୋକମାନେ ତାଙ୍କର ବେଶ ପ୍ରଶଂସା କରିଥାନ୍ତି ।

କନ୍ୟା ସନ୍ତାନ ଜନ୍ମ ହେଲେ ଦିଅନ୍ତି ଉପହାର: ବିହାରର ରୋହତାସ ଅଞ୍ଚଳର ଚର୍ଚ୍ଚିତ ଡାକ୍ତର ଦିଦି ନିଲମ । ତାଙ୍କର ରୋହତାସରେ ସୂର୍ଯ୍ୟା କ୍ଲିନିକ ରହିଛି । ଏହି କ୍ଲିନିକକୁ ପ୍ରସବ ପାଇଁ ଆସିଥିବା ଗର୍ଭବତୀ ଯଦି କନ୍ୟା ସନ୍ତାନ ଜନ୍ମ ଦେଇଥାଏ ତେବେ ସାରା କ୍ଲିନିକରେ ଖୁସିର ମାହୋଲ ଖେଳିଯାଏ । କନ୍ୟା ସନ୍ତାନ ଜନ୍ମ ହେଲେ ଷ୍ଟାଫ ଓ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ମିଠା ବାଣ୍ଟିଥାନ୍ତି ଡାକ୍ତର ଦିଦି ନିଲମ ।

ଏହାମଧ୍ୟ ପଢନ୍ତୁ.. କୁନି ଝିଅର କମାଲ: ଆଖିରେ ପଟିବାନ୍ଧି ଖେଳିଲା ସ୍କେଟିଂ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲା ସ୍ଥାନ

ଡାକ୍ତର ନିଲମ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଟନ୍ତି । ସେ ଏଭଳି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଅନୁପ୍ରାଣିତ ହୋଇଥିବା କୁହନ୍ତି । ପ୍ରଧାନମନ୍ତ୍ରୀଙ୍କ 'ବେଟି ବଚାଓ, ବେଟି ପଢାଓ' ଅଭିଯାନରୁ ଅନୁପ୍ରାଣିତ ହୋଇ ନିଜ ଅଞ୍ଚଳରେ କନ୍ୟା ସନ୍ତାନ ଜନ୍ମକୁ ନେଇ ଲୋକମାନଙ୍କୁ ସଚେତନ କରିବା ପାଇଁ ଆରମ୍ଭ କରିଥିଲେ ଭିନ୍ନ ପ୍ରୟାସ । ଡାକ୍ତର ନିଲମଙ୍କ କ୍ଲିନିକକୁ ପ୍ରତିଦିନ ଅନେକ ଗର୍ଭବତୀ ଚେକଅପ ପାଇଁ କିମ୍ୱା ପ୍ରସବ ଆସୁଥିବା ବେଳେ ସେମାନଙ୍କ ମଧ୍ୟରେ ଯେଉଁମାନଙ୍କ କନ୍ୟା ସନ୍ତାନ ଜନ୍ମ ହୁଏ ତାଙ୍କୁ 1 ହଜାର ଟଙ୍କା ଲେଖାଏଁ ଉପହାର ଦେଇଥାନ୍ତି ଡାକ୍ତର ନିଲମ । ଆଉ ମଧ୍ୟ କ୍ଲିନିକ ସବୁ ଷ୍ଟାଫ ଏବଂ ଉପସ୍ଥିତ ଲୋକମାନଙ୍କୁ ମିଠା ଖୁଆଇଥାନ୍ତି । କନ୍ୟା ସନ୍ତାନ ଜନ୍ମକୁ ନେଇ ଲୋକମାନଙ୍କ ମଧ୍ୟରେ ଏକ ସକରାତ୍ମକ ବାତାବରଣ ସୃଷ୍ଟି କରିବା ପାଇଁ ଏଭଳି ପନ୍ଥା ଆପଣାଇଛନ୍ତି ଡାକ୍ତର ଦିଦି ।

ଅନ୍ଯପଟେ ଭ୍ରୁଣ ହତ୍ୟା ଓ ଲିଙ୍ଗ ଯାଞ୍ଚକୁ ମଧ୍ୟ ଡାକ୍ତର ଦିଦି ବିରୋଧ କରିଥାନ୍ତି । ଏଭଳି ନିଆରା ପ୍ରୟାସ ପାଇଁ ସମଗ୍ର ଅଞ୍ଚଳରେ ବେଶ ଚର୍ଚ୍ଚିତ ଡାକ୍ତର ନିଲମ । ଡାକ୍ତରଙ୍କ ଏଭଳି କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଡାକିଥାନ୍ତି ଡାକ୍ତର ଦିଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.