ETV Bharat / bharat

'କେଜ୍ରିୱାଲଙ୍କୁ ଇନସୁଲିନ ଦିଅ'; ତିହାର ଜେଲ ବାହାରେ ଦାବି କଲେ ଆପ୍‌ ନେତା ଓ କର୍ମୀ - Kejriwal Ko Insulin Do

author img

By ETV Bharat Odisha Team

Published : Apr 21, 2024, 9:10 PM IST

AAP Workers Protest
AAP Workers Protest

AAP Workers Protest Outside Tihar Jail: ତିହାର ଜେଲ ବାହାରେ ଆପ୍‌ ନେତା ଓ କର୍ମୀ ଆନ୍ଦୋଳନ । 'କେଜ୍ରିୱାଲଙ୍କୁ ଇନସୁଲିନ ଦିଅ' ନେଇ କଲେ ଦାବି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 'ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇନସୁଲିନ ଦିଅ' । ହାତରେ ଇନସୁଲିନ ଧରି ଆଜି (ରବିବାର) ଆପ୍‌ ନେତା ଓ କର୍ମୀ ତିହାର ଜେଲ ବାହାରେ ଏଭଳି ଦାବି କରିଛନ୍ତି । ଏହି ଆନ୍ଦୋଳନ ବେଳେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶୀ ଓ ଆମ ଆଦମି ପାର୍ଟି ବିଧାୟକ ସଞ୍ଜୀବ ଝା ମଧ୍ୟ ଉପସ୍ଥିତ ଥିଲେ । ଏହାସହିତ ଆନ୍ଦୋଳନକାରୀ ମଧ୍ୟ 'ରଘୁପତି ରାଘବ ରାଜା ରାମ' ଗାନ କରୁଥିବା ଦେଖିବାକୁ ମିଳିଛି । କେଜ୍ରିୱାଲଙ୍କୁ ଜେଲ ଭିତରେ ହତ୍ୟା କରିବା ଷଡ଼ଯନ୍ତ୍ର ଚାଲୁଥିବା ଆପ୍‌ ନେତାମାନେ ଅଭିଯୋଗ ଆଣିଛନ୍ତି ।

ଏନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଆତିଶୀ କହିଛନ୍ତି, "ଏହା କୌଣସି ଆନ୍ଦୋଳନ ନୁହେଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡାଇବେଟିସ ଥିବାରୁ ଦିଲ୍ଲୀବାସୀ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି । କେଜ୍ରିୱାଲଙ୍କୁ କ୍ଷତି ପହଞ୍ଚାଇବା ଲାଗି ତିହାର ଜେଲ ମଧ୍ୟରେ ଷଡ଼ଯନ୍ତ୍ର ଚାଲୁଛି । ତିହାର ଜେଲ କର୍ତ୍ତୃପକ୍ଷ ପୂର୍ବରୁ କହିଥିଲେ ଯେ ତାଙ୍କର ଜେଲ ମଧ୍ୟରେ ସ୍ବତନ୍ତ୍ର ଡାକ୍ତର ଅଛନ୍ତି । ହେଲେ ଗତକାଲି ସେ ମଧୁମେହ ବିଶେଷଜ୍ଞ ଆବଶ୍ୟକତା ନେଇ ଏମ୍ସକୁ ଚିଠି ଲେଖିଥିଲେ । ଏଥିରୁ ଜଣାପଡ଼ୁଛି ଜେଲ ଭିତରେ ଷଡ଼ଯନ୍ତ୍ର ଚାଲିଛି । ତାଙ୍କ ଶରୀରରେ ଏବେ ସୁଗାର ମାତ୍ରା ଏବେ ଅଧିକ ଅଛି, ଏଣୁ ଇନସୁଲିନ ଦେବାକୁ ମନା କରିବା ତାଙ୍କ ପାଇଁ ବିପଦ ।" ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗତ 20 ଦିନ ଧରି ନ୍ୟାୟିକ ହେପାଜତରେ ଅଛନ୍ତି ।

ଏହା ବି ପଢନ୍ତୁ- ବଢୁଛି କେଜ୍ରିୱାଲଙ୍କ ସୁଗାର ଲେଭଲ, ଡାଏଟ ଚାର୍ଟ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଅନ୍ୟପଟେ ଜଣେ ଜେଲ ଅଧିକାରୀ କହିଛନ୍ତି, "ପ୍ରାୟ 40 ମିନିଟ ଧରି ଡାକ୍ତରଙ୍କ ପରାମର୍ଶ ନେବା ପରେ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥାବସ୍ଥା ଠିକ ଥିବା ନେଇ ଡାକ୍ତର କହିଛନ୍ତି । ଏହାସହିତ ତାଙ୍କୁ ଔଷଧ ମଧ୍ୟ ଖାଇବାକୁ କୁହାଯାଇଛି । ଯାହାକୁ ପ୍ରତିଦିନ ଡାକ୍ତରଙ୍କ ନିରୀକ୍ଷଣରେ ଦିଆଯାଉଛି ।" କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଅଗ୍ରୱାଲଙ୍କ ଅନୁରୋଧ ପରେ ଏକ ଭିଡିଓ ବାର୍ତ୍ତା ଜେଲ ପକ୍ଷରୁ ଜାରି କରାଯାଇ ଏହି ସୂଚନା ଦିଆଯାଇଛି ।

ସୂଚନା ଥାଉ କି ଶରୀରରେ ସୁଗାର ମାତ୍ରା ବଢୁଥିବାରୁ ଡାକ୍ତରଙ୍କ ପରାମର୍ଶ ନେବା ଲାଗି ଜାମିନ ଆବଶ୍ୟକ କରିଥିଲେ କେଜ୍ରିୱାଲ । ଏ ନେଇ ସେ ରାଉଜ ଆଭେନ୍ୟୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟରେ ଶୁଣାଣି ସମୟରେ ଇଡି ଅଭିଯୋଗ ଆଣିଥିଲା ଯେ କେଜ୍ରିୱାଲ ଜାଣିଶୁଣି ମିଠା, ଆମ୍ବ, ଆଳୁ ଖାଇ ସୁଗାର ମାତ୍ରା ବଢାଉଛନ୍ତି । ଯାହାଦ୍ବାରା ସେ ଏହି ଆଳ ଦେଖାଇ କୋର୍ଟଙ୍କ ନିକଟରୁ ଜାମିନ ପାଇପାରିବେ । ଏହାପରେ କୋର୍ଟ ଜେଲକୁ କେଜ୍ରିୱାଲଙ୍କ ଡାଏଟ ଚାର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.