ETV Bharat / bharat

କୃଷକଙ୍କ ଦିଲ୍ଲୀ ଚଲ୍ଲୋ ଡାକରା: 13 ଯାଏଁ ହରିୟାଣାରେ ଇଣ୍ଟରନେଟ ସେବା ବନ୍ଦ

author img

By ETV Bharat Odisha Team

Published : Feb 11, 2024, 9:50 AM IST

Farmers Protest: ନିର୍ବାଚନ ପୂର୍ବରୁ ପୁଣି ମୁଣ୍ଡ ଟେକିଲା କୃଷକ ଆନ୍ଦୋଳନ । ଫେବୃଆରୀ 13 ତାରିଖରୁ କୃଷକମାନଙ୍କ 'ଦିଲ୍ଲୀ ଚଲୋ' ଆନ୍ଦୋଳନ ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣାର 7 ଜିଲ୍ଲାରେ ଆଜିଠୁ( ରବିବାର) ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଅଧିକ ପଢନ୍ତୁ

Farmers Protest
ଆନ୍ଦୋଳନ ମୁହାଁ କୃଷକ

ଚଣ୍ଡିଗଡ: ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ମୁଣ୍ଡ ଟେକିଛି ଚାଷୀ ଆନ୍ଦୋଳନ । ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗରେ ଫେବୃଆରୀ 13 ତାରିଖରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଚାଷୀମାନେ 'ଦିଲ୍ଲୀ ଚଲୋ' ଡାକରା ଦେବା ସହ ବିଶାଳ ଆନ୍ଦୋଳନ କରିବାକୁ ଯାଉଛନ୍ତି । ସେପଟେ ଆନ୍ଦୋଳନ ମୁହାଁ ଚାଷୀଙ୍କୁ ରୋକିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଆଜିଠୁ( ରବିବାର) ଫେବୃଆରୀ 13 ତାରିଖ ଯାଏ ରାଜ୍ୟର 7 ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ସେହିପରି ଦିଲ୍ଲୀରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୀମାଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କିଷାନ ମଜଦୂର ମୋର୍ଚ୍ଚା ସମେତ ଅନେକ କୃଷକ ସଂଗଠନ 13 ଫେବୃଆରୀରେ 'ଦିଲ୍ଲୀ ଚଲୋ' ଡାକରା ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ବିଶାଳ ଆନ୍ଦୋଳନ କରିବା ନେଇ ଘୋଷଣା କରିଛନ୍ତି । ପଞ୍ଜାବର କୃଷକମାନେ ଟ୍ରାକ୍ଟର ରାଲି କରି ଦିଲ୍ଲୀ ଯିବା ପାଇଁ ପ୍ରଥମେ ହରିୟାଣାରେ ପ୍ରବେଶ କରିବେ । ଏହାପରେ ଦିଲ୍ଲୀ ଯିବେ । ଏହାକୁ ନଜରରେ ରଖି ଆନ୍ଦୋଳରେ ବ୍ରେକ୍ ଲଗାଇବା ପାଇଁ ହରିୟାଣା ରାଜ୍ୟର ଅମ୍ବାଲାରେ 144 ଧାରା ଲାଗୁ କରିଛନ୍ତି ସରକାର । କୃଷକମାନଙ୍କୁ ଅଟକାଇବା ପାଇଁ ପଞ୍ଜାବ ଓ ହରିୟାଣା ସୀମା ଶମ୍ଭୁ ବର୍ଡରରେ ବ୍ୟାରିକେଡ୍ ସହ ଭାରି ମାତ୍ରାରେ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଶମ୍ଭୁ ସୀମା ଓ ହଲଦାନା ସୀମାରେ ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ଏହାମଧ୍ୟ ପଢନ୍ତୁ...ପୁଣି ଦାନା ବାନ୍ଧୁଛି କୃଷକ ଆନ୍ଦୋଳନ, 26ରେ ଟ୍ରାକ୍ଟର ରାଲି !

ହରିୟାଣାରେ ଟ୍ରାଫିକ ଆଡଭାଇଜରି ଜାରି: କୃଷକ ଆନ୍ଦୋଳନକୁ ନଜରରେ ରଖି ହରିୟାଣା ପୋଲିସ ପକ୍ଷରୁ ସାଧାରଣ ଜନତାଙ୍କ ନିମନ୍ତେ ଟ୍ରାଫିକ ନିୟମ ଜାରି କରାଯାଇଛି । ଅତି ଆବଶ୍ୟକ ନଥିଲେ ରାଜ୍ୟର ସମସ୍ତ ମୁଖ୍ୟ ରାସ୍ତାଗୁଡିକରେ ନଯିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛି ପୋଲିସ । ହରିୟାଣାରୁ ପଞ୍ଜାବ ଯିବାକୁ ସମସ୍ତ ରାସ୍ତାରେ ଯାତାୟାତ ଯଥାସମ୍ଭବ ଏଡାଇବାକୁ ପରାମର୍ଶ ଦିଆଯାଇଛି ।

ହରିୟାଣାରେ ଇଣ୍ଟରନେଟ ସେବା ବନ୍ଦ: ଚାଷୀ ଆନ୍ଦୋଳନରେ ବ୍ରେକ ଲଗାଇବାକୁ ହରିୟାଣା ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରବିବାର ସକାଳ 6ଟାରୁ ଆସନ୍ତା ମଙ୍ଗଳବାର ରାତି 11.59 ପର୍ଯ୍ୟନ୍ତ ରାଜ୍ୟର 7 ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ କରାଯିବା ନେଇ ଘୋଷଣା କରିଛନ୍ତି । 3 ଦିନ ଧରି 7ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସେହି ଜିଲ୍ଲାଗୁଡିକ ହେଲା ଅମ୍ବାଲା, କୁରୁକ୍ଷେତ୍ର, କୈଥଲ, ଜିନ୍ଦ, ହିସାର, ଫତେହାବାଦ୍ ଓ ସିରସା । ଅନ୍ୟପଟେ ରାଜ୍ୟର ପଞ୍ଚକୁଲା, ଅମ୍ବାଲା, ରୋହତକରେ 144 ଧାରା ଜାରି କରାଯାଇଛି । କୌଣସି ସ୍ଥାନରେ 5ରୁ ଅଧିକ ଜଣ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଏହାମଧ୍ୟ ପଢନ୍ତୁ...ଦେଶରେ ପୁଣି ଏକ ଚାଷୀ ଆନ୍ଦୋଳନର ରହିଛି ଆବଶ୍ୟକତା, କିଷାନ ମହାପଞ୍ଚାୟତରେ ଖୋଲା ଆହ୍ବାନ

କୃଷକ- ସରକାରଙ୍କ ମଧ୍ୟରେ ଆଲୋଚନା: ଅନ୍ୟପଟେ ଦିଲ୍ଲୀରେ ଆନ୍ଦୋଳନ ଘୋଷଣା ପରେ ସରକାର ଦ୍ୱିତୀୟ ଥର କୃଷକମାନଙ୍କ ସହ ଆଲୋଚନା କରିବା ନିମନ୍ତେ ପ୍ରସ୍ତୁତ ଥିବା କହିଛନ୍ତି । ଭାରତ ସରକାର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଦ୍ୱିତୀୟ ଥର ଆଲୋଚନା ପାଇଁ ଚାଷୀ ନେତାମାନଙ୍କୁ ଡକାଇଛନ୍ତି ସରକାର । ସଂଯୁକ୍ତ କିଷାନ ମୋର୍ଚ୍ଚାର ଜଗଜିତ ସିଂହ ଉଲ୍ଲେବାଲ ଓ କିଷାନ ମଜଦୂର ମୋର୍ଚ୍ଚାର ସବଓ୍ୱନ ସିଂହ ପନ୍ଧେରଙ୍କୁ ଆଲୋଚନ ପାଇଁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ପକ୍ଷରୁ ଜାରି ଚିଠି ଅନୁଯାୟୀ, କୃଷକମାନଙ୍କ ସହ ଆଲୋଚନା ପାଇଁ 12 ଫେବୃଆରୀ (ସୋମବାର) ସନ୍ଧ୍ୟା 5ଟାରେ ଚଣ୍ଡିଗଡଠାରେ ଏକ ବୈଠକ ବସିବ । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପିୟୁଷ ଗୋୟଲ, ନିତ୍ୟାନନ୍ଦ ରାୟ ଉପସ୍ଥିତ ରହିବେ । ଏହାପୂର୍ବରୁ ଫେବୃଆରୀ 9 ତାରିଖରେ ମଧ୍ୟ କେନ୍ଦ୍ର ସରକାର କୃଷକମାନଙ୍କ ସହ ଆଲୋଚନା କରିଥିଲେ ହେଁ ଆଲୋଚନା ବିଫଳ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.