ETV Bharat / bharat

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଟି ପାଇଁ ଇ-ପାସ ବାଧ୍ୟତାମୂଳକ, ଏହି ଦିନଠୁ ନିୟମ ଲାଗୁ - E Pass for Ooty and Kodaikanal

author img

By ETV Bharat Odisha Team

Published : Apr 29, 2024, 10:23 PM IST

E Pass Mandatory for Ooty
E Pass Mandatory for Ooty

E Pass Mandatory for Ooty and Kodaikanal: ଏଣିକି ଉଟି ଯିବାକୁ ହେଲେ ଆବଶ୍ୟକ ଇ-ପାସ୍‌ । ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଦିନଠୁ ଲାଗୁ ହେବ ନିୟମ । ଅଧିକ ପଢନ୍ତୁ

ଚେନ୍ନାଇ: ତାମିଲନାଡୁର ପଶ୍ଚିମ ଘାଟ ପର୍ବତମାଳାରେ ଉଟି ଏକ ପ୍ରମୁଖ ହିଲ୍ ଷ୍ଟେସନ ହୋଇଥିବା ବେଳେ କୋଡାଇକାନାଲ ହେଉଛି ପ୍ରସିଦ୍ଧ ହନିମୁନ ଡେଷ୍ଟିନେସନ । ଟିକେ ଥଣ୍ଡା ପଡ଼ିଲେ ଏହି ହିଲ ଷ୍ଟେସନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ ଏଣିକି ଏହି 2ଟି ପର୍ଯ୍ୟଟନ ସ୍ଥଳୀକୁ ଯିବା ଲାଗି ଇ-ପାସ୍‌ ବାଧ୍ୟତାମୂଳକ । ଆଜି ମାଡ୍ରାସ ହାଇକୋର୍ଟ ଏ ନେଇ ନିର୍ଦ୍ଦେଶ ଜାରି କରିବା ପରେ ଆସନ୍ତା ମେ 7 ତାରିଖରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାକୁ ଯାଉଛି ।

ଜଷ୍ଟିସ ସତୀଶ କୁମାର ଓ ଭରତ ଚକ୍ରବର୍ତ୍ତୀଙ୍କ 2 ଜଣିଆ ଖଣ୍ଡପୀଠ ପରିବେଶ ସୁରକ୍ଷା ସମ୍ବନ୍ଧିତ ଏକ ମାମଲାର ଆଜି ଶୁଣାଣି କରିଥିଲେ । ଏହି ସମୟରେ ନୀଳଗିରି ଓ ଡିଣ୍ଡିଗୁଲ ଜିଲ୍ଲାର ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ । ସରକାର ପକ୍ଷରୁ କୁହାଯାଇଥିଲା ଯେ ଆଇଆଇଟି ଚେନ୍ନାଇ ଏବଂ ଆଇଆଇଏମ୍ ବାଙ୍ଗଲୋରକୁ ଅଧ୍ୟୟନ କରିବାକୁ ଯାଉଥିବା କେତୋଟି ଗାଡି ଉଟି ଏବଂ କୋଡାଇକାନାଲକୁ ଯାଇପାରିବେ ? ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ପ୍ରତିଦିନ ଉଟିକୁ 1300 ଭ୍ୟାନ ସମେତ 20 ହଜାର ଗାଡି ଆସିଥାଏ ।

ଏହା ବି ପଢନ୍ତୁ- ରାମୋଜୀ ଫିଲ୍ମ ସିଟି ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଗ୍ରୀଷ୍ମ ଋତୁରେ ଆସୁଛି ଆକର୍ଷଣୀୟ ଅଫର

ଜଷ୍ଟିସ କହିଥିଲେ ଯେ, ଯଦି ଏତେ ସଂଖ୍ୟକ ଯାନବାହାନ ଅତିକ୍ରମ କରେ ତେବେ ପରିସ୍ଥିତି ଅଧିକ ଜଟିଳ ହେବ । ସ୍ଥାନୀୟ ଲୋକେ ଚଳାଚଳ କରିପାରିବେ ନାହିଁ ଏବଂ ପରିବେଶ ଓ ପଶୁପକ୍ଷୀ ପ୍ରଭାବିତ ହେବେ । ଆଇଆଇଟି ଚେନ୍ନାଇ ଏବଂ ଆଇଆଇଏମ ବାଙ୍ଗଲୋରର ଯାଞ୍ଚ ଏବଂ ରିପୋର୍ଟ ଆସିବା ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀ କାଳୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଏହାପରେ ବିଚାରପତି ଡିଣ୍ଡିଗୁଲ ଓ ନୀଳଗିରି ଜିଲ୍ଲାପାଳଙ୍କୁ କୋରୋନା ସମୟରେ ଲାଗୁ କରିଥିବା ନିୟମକୁ ପୁଣି ଦୋହରାଇବା ଲାଗି କହିଥିଲେ । କୋରୋନା ସମୟରେ ଯେପରି ଇ-ପାସ୍‌କୁ ବାଧ୍ୟତାମୂଳକ କରାଯାଇଥିଲା, ଠିକ ସେହିପରି ଆସନ୍ତା ମେ 7ରୁ ଜୁନ 30 ତାରିଖ ପର୍ଯ୍ୟନ୍ତ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ ।

ଏହି ଇ-ପାସ୍‌ ଜାରି କରିବା ପୂର୍ବରୁ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରକାରର ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ । କେଉଁ ପ୍ରକାରର ଯାନ, କେତେ ଲୋକ ଆସୁଛନ୍ତି, ଗୋଟିଏ ଦିନର ଯାତ୍ରା ବା ସେଟାରେ ଲମ୍ବା ସମୟ ଧରି ରହିବାର ଯୋଜନା ରହିଛି ଏଭଳି ତଥ୍ୟ ସଂଗ୍ରହ କରିବାକୁ କୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସ୍ଥାନୀୟ ବାସିନ୍ଦା ଲାଗି ଇ-ପାସ୍‌ ବାଧ୍ୟତାମୂଳକ ନୁହେଁ । ଅନ୍ୟପଟେ ଉଟିରେ ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ 5 ତାରିଖରେ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.