ETV Bharat / bharat

ଚେନ୍ନାଇରେ ଏକାଧିକ ସ୍କୁଲକୁ ବମରେ ଉଡ଼ାଇ ଦେବାକୁ ଧମକ

author img

By ETV Bharat Odisha Team

Published : Feb 8, 2024, 4:37 PM IST

Bomb threat to four private schools in chennai by email: ସ୍କୁଲବସରେ ବୋମା ଧମକ, ଆଲର୍ଟମୋଡରେ ଚେନ୍ନାଇ ପୋଲିସ । ଅଧିକ ପଢନ୍ତୁ

ସ୍କୁଲବସରେ ବୋମା ଧମକ, ଆଲର୍ଟମୋଡରେ ଚେନ୍ନାଇ ପୋଲିସ
ସ୍କୁଲବସରେ ବୋମା ଧମକ, ଆଲର୍ଟମୋଡରେ ଚେନ୍ନାଇ ପୋଲିସ

ଚେନ୍ନାଇ: ଏକାଧିକ ସ୍କୁଲକୁ ବୋମା ବିସ୍ଫୋରଣରେ ଉଡ଼ାଇଦେବା ପାଇଁ ଧମକ । ଚାରିଟି ସ୍କୁଲରେ ବୋମା ରଖାଯାଇଥିବା ନେଇ କେହି ଜଣେ ଦୁର୍ବୃତ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମେଲ୍ ଯୋଗେ ଧମକ ଦେଇଛି । ଆଜି ପୂର୍ବାହ୍ନରେ କିଛି ସମୟ ବ୍ୟବଧାନରେ ସ୍କୁଲଗୁଡିକୁ ଏହି ମେଲ୍ ମିଳିବା ପରେ ସ୍କୁଲ ପ୍ରଶାସନ ପୋଲିସକୁ ସୂଚନା ଦେଇଥିଲା । ପୋଲିସ ଟିମ୍‌ ଏହି ସବୁ ସ୍କୁଲରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ବମ୍ ସ୍କ୍ବାଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନଖି କରିଥିଲା । ହେଲେ କୌଣସି ସ୍କୁଲରୁ ବୋମା କିମ୍ବା ଅନ୍ୟ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇ ନାହିଁ । ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଚେନ୍ନାଇ ସହରର ଆନ୍ନା ନଗର, ଜେଜେ ନଗର, ତିରୁତାମିସାଇ, ଥିରୁମଙ୍ଗଲମରେ ଥିବା 4ଟି ଘରୋଇ ସ୍କୁଲକୁ ଏହି ଧମକପୂର୍ଣ୍ଣ ଇ-ମେଲ ପହଞ୍ଚିଥିଲା । କେହି ଜଣେ ବ୍ୟକ୍ତି ପୂର୍ବାହ୍ନ ପ୍ରାୟ 11 ଟା ବେଳେ କିଛି ସମୟ ବ୍ୟବଧାନରେ 4ଟି ସ୍କୁଲକୁ ଏହି ଧମକପୂର୍ଣ୍ଣ ମେଲ କରିଥିଲା । ସ୍କୁଲରେ ବୋମା ରଖାଯାଇଥିବା ଓ ଏହା କିଛି ସମୟ ମଧ୍ଯରେ ବିସ୍ଫୋରଣ ହେବାକୁ ଯାଉଥିବା ମେଲରେ ଉଲ୍ଲେଖଥିଲା । ଏହା ପରେ ସ୍କୁଲରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ, ବମ ନିରୋଧୀ ଟିମ ସହ କ୍ୟାମ୍ପସରେ ପହଞ୍ଚିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ପିଲାଙ୍କୁ କ୍ୟାମ୍ପସରୁ ଖାଲି କରାଯାଇଥିଲା । ଅଭିଭାବକଙ୍କ ଗହଳି ମଧ୍ୟ ସ୍କୁଲ ନିକଟରେ ଦେଖିବାକୁ ମିଳିଥିଲା । ସ୍କୁଲଗୁଡିକରେ ଏକାଧିକ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମଧ୍ୟ କୌଣସି ବିସ୍ଫୋରକ କିମ୍ବା ଅନ୍ୟ ଆପତ୍ତିଜନକ ସାମଗ୍ରୀ ଠାବ କରାଯାଇନି । ଏହା ଏକ ମିଛ ଧମକପୂର୍ଣ୍ଣ ମେଲ ବୋଲି ପ୍ରାଥମିକ ଭାବେ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- ମନମୋହନ ସିଂହଙ୍କୁ ପ୍ରଶଂସା କଲେ ମୋଦି, କଂଗ୍ରେସର ବ୍ଲାକ୍ ପେପରକୁ କହିଲେ କଳା ଟୀକା

ଚେନ୍ନାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମେଲ ଆସିଥିବା ଆଇଡିକୁ ସାଇବର ସେଲ ସାହାଯ୍ୟରେ ଚିହ୍ନଟ କରାଯିବାକୁ ପ୍ରୟାସ କରାଯାଉଛି । ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ ସୂଚନା ଦେଇଛି । ତେବେ ପୂର୍ବରୁ ମଧ୍ୟ ଏକାଧିକ ସ୍କୁଲ, ବିମାନ ବନ୍ଦର ଓ ଏପିରିକି ବିମାନରେ ବୋମା ଥିବାର ଗୁଜବ ପ୍ରସାରିତ ହେବା ସହ ରାଜନେତା ଓ ସେଲିବ୍ରିଟିଙ୍କୁ ହତ୍ୟା ଧମକ ମିଳିବାର ନଜିର ମଧ୍ୟ ରହିଛି । ଏପରିସ୍ଥିତିରେ ଲୋକେ ଆତଙ୍କିତ ହୋଇପଡନ୍ତି । କିଛି ମାମଲାରେ ଅଭିଯୁକ୍ତଙ୍କୁ ପରବର୍ତ୍ତୀ ସମୟରେ ପୋଲିସ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.