ETV Bharat / bharat

ଉପସ୍ଥାପିତ ହେଲା ଦିଲ୍ଲୀ ବଜେଟ-2024, ଏଥରର କନସେପ୍ଟ ‘ରାମ ରାଜ୍ୟ’

author img

By ETV Bharat Odisha Team

Published : Mar 4, 2024, 10:56 PM IST

ଆଗତ ହେଲା ଦିଲ୍ଲୀ ବଜେଟ 2024
ଆଗତ ହେଲା ଦିଲ୍ଲୀ ବଜେଟ 2024

Delhi Budget 2024: ‘ରାମ ରାଜ୍ୟ’ ଅବଧାରଣା ସହ ଉପସ୍ଥାପିତ ହେଲା ଦିଲ୍ଲୀ ବଜେଟ 2024 । ଏଥର ବ୍ୟୟବରାଦ 76 ହଜାର କୋଟି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପ୍ରାରମ୍ଭରେ କେନ୍ଦ୍ର ସରକାର ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ କରି ଦେଶରେ ଭିନ୍ନ ମୋହଲ ସୃଷ୍ଟି କରିଛନ୍ତି । ହେଲେ ଏହି କନସେପ୍ଟ ଏବେ ବିରୋଧୀ ଦଳଙ୍କ ଆଭିମୁଖ୍ୟରେ ମଧ୍ୟ ପ୍ରତିଫଳିତ ହେଲାଣି । ଏହାର ଉଦାହରଣ ଆଜି ଦିଲ୍ଲୀ ବଜେଟ ଆଗତ ବେଳେ ଦେଖିବାକୁ ମିଳିଛି । ଆଜି ଦିଲ୍ଲୀ ବିଧାନସଭାରେ ଚଳିତ ଆର୍ଥିକବର୍ଷର ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ଅତିଶୀ ଏହାକୁ ଆଗତ କରିଛନ୍ତି । ତେବେ ଏହି ବଜେଟର ଅବଧାରଣା ବା କନସେପ୍ଟ ରହିଛି ‘ରାମ ରାଜ୍ୟ’ ।

ଆଜି ଦିଲ୍ଲୀ ସରକାର ଆଗତ କରିଥିବା ବଜେଟରେ ମୋଟ ବ୍ୟୟ ଅଟ୍ଟକଳ ରହିଛି 76 ହଜାର କୋଟି । ଯାହାକି ଗତବର୍ଷ ତୁଳନାରେ 2,800 କୋଟି କମ୍‌ । ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଅର୍ଥମନ୍ତ୍ରୀ ଅତିଶୀ ତାଙ୍କ ଭାଷଣରୁ ବଜେଟ ଘୋଷଣା ଆରମ୍ଭ କରିଥିଲେ । ସେ ସମ୍ବୋଧନରେ ରାମଚରିତମାନସର କିଛି ଖଣ୍ଡ ଆବୃତ୍ତି କରିଥିଲେ । ଅର୍ଥ ଆବଣ୍ଟନ ଅନୁପାତକୁ ବିଚାରରୁ ନେଲେ ପୂର୍ବ ପରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବାଧିକ ବ୍ୟୟବରାଦ ବ୍ୟବସ୍ଥା କରାଯାଇଛି । କିନ୍ତୁ ଗତବର୍ଷ ତୁଳନାରେ ଏହି ପରିମାଣ କମ ରହିଛି । ଏହା ସହ ବିଦ୍ୟୁତ, ପାନୀୟ ଜଳ ପରି ମୌଳିକ ଆବଶ୍ୟକତା କ୍ଷେତ୍ରରେ ଦିଲ୍ଲୀ ସରକାର ଦେଉଥିବା ରିହାତି ପୂର୍ବ ବର୍ଷ ପରି ଅପରିବର୍ତ୍ତିତ ରଖାଯାଇଛି । ଗତ ବର୍ଷ ମୋଟ 78,800 କୋଟି ଟଙ୍କାର ବଜେଟ୍ ପାରିତ ହୋଇଥିଲା ।

ମହିଳା ସାମ୍ମାନ ଯୋଜନା ପାଇଁ 2 ହଜାର କୋଟି :

ପ୍ରଥମ ଥର ପାଇଁ ଦିଲ୍ଲୀ ସରକାର ବଜେଟରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ 1000 ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । 18 ବର୍ଷରୁ ଅଧିକ ବୟସ୍କ ଯୁବତୀଙ୍କୁ ପ୍ରତି ମାସରେ 1000 ଟଙ୍କା ସହାୟତା ଦିଆଯିବ । ଯେଉଁ ମହିଳାମାନେ ଆୟକର ଦେଉଛନ୍ତି, ସରକାରୀ ସଂସ୍ଥାରେ କର୍ମନିଯୁକ୍ତି, କିମ୍ବା ପେନସନ ଭୋଗୀ ଅଛନ୍ତି, ସେମାନେ ଏହାର ଲାଭ ପାଇବେନାହିଁ । ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ମୋଟ 2,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭାରୁ ଇସ୍ତଫା ଦେଲେ ଜେପି ନଡ୍ଡା, 2ୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ଆସିବ ନାମ !

ବଜେଟ୍ ଉପସ୍ଥାପନ କରିବାବେଳେ ଅର୍ଥମନ୍ତ୍ରୀ ଅତିଶୀ କହିଛନ୍ତି, ‘‘ଚଳିତ ବଜେଟରେ ମୋଟ 76,000 କୋଟି ଟଙ୍କାର ବ୍ୟୟବରାଦ ରହିଛି । ଯାହା 2014-15 ବର୍ଷର ବାର୍ଷିକ ବଜେଟ ଠାରୁ ପ୍ରାୟ ଅଢେଇ ଗୁଣ ଅଧିକ । ଏହା ହେଉଛି ଦିଲ୍ଲୀବାସୀଙ୍କ ସୁଖ ଏବଂ ସମୃଦ୍ଧତା ପାଇଁ ଉତ୍ସର୍ଗୀକୃତ ବଜେଟ । ଏହା ଦିଲ୍ଲୀରେ ପରିବର୍ତ୍ତନ ଆଣିବ ।’’ ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ଜେଲରେ ଥିବା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ଯ ସ୍ମରଣ କରିଛନ୍ତି । ଦିଲ୍ଲୀର ଉନ୍ନତି ପ୍ରତି ସିସୋଦିଆଙ୍କ ବିଶେଷ ଭୂମିକା ଥିବା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.