ETV Bharat / bharat

କେଜ୍ରିଓ୍ବାଲଙ୍କ ନୂଆ ଠିକଣା ତିହାର ଜେଲ, କଟିଲା ପ୍ରଥମ ରାତି - Arvind Kejriwal in Tihar jail

author img

By ETV Bharat Odisha Team

Published : Apr 2, 2024, 8:25 AM IST

Arvind Kejriwal
Arvind Kejriwal

Arvind Kejriwal in Tihar jail: ତିହାର ଜେଲରେ ପ୍ରଥମ ରାତି କାଟିଲେ କେଜ୍ରିଓ୍ବାଲ । ସିମେଣ୍ଟ ସ୍ଲାବରେ ଶୋଇଲେ । ତିହାର ଜେଲର କଏଦୀ ନମ୍ବର 670 ହେଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିଓ୍ବାଲ, ତିହାର ଜେଲର କଏଦୀ ନମ୍ବର 670 । ଏହା ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ପରିଚୟ । ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି କେଜ୍ରିଓ୍ବାଲ । ତିହାର ଜେଲର ବାରାକ ନମ୍ବର 2 ତାଙ୍କର ନୂଆ ଠିକଣା ହୋଇଛି । ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କଟିଛି ପ୍ରଥମ ରାତି । କ୍ଷମତାରେ ଥିବା ସମୟରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ଜେଲ ଯାଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଉଜ ଆଭେନ୍ୟୁ କୋର୍ଟ ତାଙ୍କୁ ଗତକାଲି 15 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସେ ହାଜତରେ ରହିବେ ।

ଏହା ମଧ୍ୟ ପଢନ୍ତୁ-ମିଳିଲାନି ଆଶ୍ବସ୍ତି, ଜେଲ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ - DELHI LIQUOR POLICY CASE

ଜେଲରେ ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଦିନର କାର୍ଯ୍ୟସୂଚୀ: ତିହାର ଜେଲରେ ରହିଛନ୍ତି କେଜ୍ରିଓ୍ବାଲ । ତାଙ୍କ ଉପରେ ନଜର ରଖିବା ପାଇଁ 24 ଘଣ୍ଟିଆ ସିସିଟିଭି ବ୍ୟବସ୍ଥା କରାଯାଇଛି । ଅନ୍ୟ କଏଦୀଙ୍କ ପରି କେଜ୍ରିଓ୍ବାଲଙ୍କୁ ମଧ୍ୟ ଖାଦ୍ୟ ପରଷା ଯିବ । ଆଜି ସକାଳେ ଉଠିବା ପରେ ଜଳଖିଆରେ ତାଙ୍କୁ ଚା' ଓ ବ୍ରେଡ ଦିଆଯିବ । ପୂର୍ବହ୍ନ 10ଟାରୁ 11ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯିବ । ଭୋଜନରେ ରୁଟି, ଭାତ, ଡାଲି ଏବଂ ତରକାରୀ ପରଷାଯିବ । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାଏଟର ବ୍ୟବସ୍ଥା ମଧ୍ୟ କରାଯାଇଛି ।

କେଜ୍ରିୱାଲଙ୍କୁ ମଧ୍ୟାହ୍ନରେ ନିଜ କୋଠରୀକୁ ଯାଇ ସେଠାରେ ଅପରାହ୍ନ 3ଟା ପର୍ଯ୍ୟନ୍ତ ରହିବାକୁ ପଡିବ । ଅପରାହ୍ନ 4ଟାରେ ସେ ତାଙ୍କ ଓକିଲକୁ ଭେଟିପାରିବେ । ସରକାରୀ ଚ୍ୟାନେଲରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ସେ ଦେଖିପାରିବେ । ଜେଲକୁ ଯିବା ସମୟରେ କେଜ୍ରିୱାଲ ସାଙ୍ଗରେ ଜରୁରୀ ଔଷଧ ଏବଂ ବହି ନେବାକୁ ଅନୁମତି ଦେବାକୁ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଜେଲ ମାନୁଆଲ ଅନୁଯାୟୀ ଡାକ୍ତରଙ୍କ ଗୋଟିଏ ଟେବୁଲ୍ ଏବଂ ଚେୟାର, ଏକ ଧାର୍ମିକ ଲକେଟ୍ ଏବଂ ଏକ ସ୍ବତନ୍ତ୍ର ଡାଏଟ୍ ପ୍ରଦାନ କରିବାକୁ କୋର୍ଟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ଗତକାଲି କୋର୍ଟରେ ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କୁ ଜେଲରେ ଗୀତା, ରାମାୟଣ ଓ ହାଓ ପ୍ରାଇମିୱିଷ୍ଟର୍ସ ଡାସାଇଡ ବୁକ ଦେବାକୁ ଓକିଲ ରମେଶ ଗୁପ୍ତା କୋର୍ଟଙ୍କୁ କହିଥିଲେ ।

ତୃତୀୟ ଥର ତିହାର ଜେଲ ଗଲେ କେଜ୍ରିଓ୍ବାଲ: ପୂର୍ବରୁ ଆନ୍ନା ହଜାରେଙ୍କ ନେତୃତ୍ବରେ ହୋଇଥିବା ଆନ୍ଦୋଳନରେ ଜେଲ ଯାଇଥିଲେ କେଜ୍ରିଓ୍ବାଲ । 2014ରେ ଏକ ମାନହାନି ମାମଲାରେ ସେ ତିହାର ଜେଲକୁ ଯାଇଥିଲେ । ବର୍ତ୍ତମାନ ଅବକାରୀ ଘୋଟାଲା ମାମଲାରେ ତାଙ୍କୁ ତୃତୀୟ ଥର ଜେଲ ଯିବାକୁ ପଡିଛି ।

ଗୋଟିଏ ଜେଲରେ ଆପର 4 ନେତା: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲର ବାରାକ ନମ୍ବର 1ରେ ରହିଛନ୍ତି ମନୀଷ ସିସୋଦିଆ । 7 ନମ୍ବରରେ ସତ୍ୟେନ୍ଦ୍ର ଜୈନ ଓ 5 ନମ୍ବରରେ ସଞ୍ଜୟ ସିଂ ରହିଛନ୍ତି । 2 ନମ୍ବରରେ କେଜ୍ରିଓ୍ବାଲ ରହିଥିବା ବେଳେ 6 ନମ୍ବରରେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତା ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.