ରାୟଗଡା: ଅରକ୍ଷିତକୁ ଦଇବ ସାହା । ଯାହାର ନିଛକ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । ପିଲାବେଳୁ ବାପା ମା’ଙ୍କୁ ହରାଇ ଓଳିଏ ଖାଇ ଓଳିଏ ଉପାସ ରହି ସ୍କୁଲ ବାରଣ୍ଡାରେ ଶୋଉଥିବା ୧୧ ବର୍ଷର ଦିବ୍ୟାଙ୍ଗ ନାବାଳକର ଶେଷରେ ଥଇଥାନର ଦାୟିତ୍ବ ନେଇଛି ରାୟଗଡା ଜିଲ୍ଲା ପ୍ରଶାସନ ।
ବିଷମକଟକ ବ୍ଲକ ଅନ୍ତର୍ଗତ କଣାପାଇ ପଞ୍ଚାୟତର କୁସୁମପଦର ଗାଁର ଦିବ୍ୟାଙ୍ଗ ନାବାଳକ ଅନୁଭବ କୁଲସିକା । ବର୍ଷକର ହୋଇଥିବାବେଳେ ବାପା ଛେଉଣ୍ଡ ହୋଇଥିଲା ଅନୁଭବ । ହେଲେ ଦଇବ ସେତିକିରେ ସନ୍ତୁଷ୍ଟ ହୋଇନଥିଲା । ବାପା ଦୁନିଆ ଛାଡି ଚାଲିଯିବାର ବର୍ଷେ ପରେ ମା’ ଆରପାରିକୁ ଚାଲିଯାଇଥିଲା । ଅନାଥ ହୋଇଥିଲା ଅନୁଭବ ।
ସେବେଠୁ ବାପା ମା’ ଛେଉଣ୍ଡ ଅନୁଭବର ଦାୟିତ୍ବ ନେଇଥିଲେ ଗ୍ରାମବାସୀ । ପରେ ସେ ବଡ ହେବା ସହ 500 ଟଙ୍କା ଦିବ୍ୟାଙ୍ଗ ଭତ୍ତା ପାଉଥିଲା । ହେଲେ ଏହି ଟଙ୍କାକୁ ତାକୁ ଘରେ ରଖିବା ବାହାନାରେ ନେଇଯାଆନ୍ତି ଗାଁରେ ଥିବା ଦୂରସମ୍ପର୍କୀୟ ।