ଓଡିଶା

odisha

ସମ୍ବଲପୁର ଜିଲ୍ଲା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ନୂଆ ମୁହଁକୁ ଭରସା କଲା ଦଳ - Congress Candidates For Sambalpur

By ETV Bharat Odisha Team

Published : Apr 15, 2024, 9:14 PM IST

Updated : Apr 15, 2024, 9:39 PM IST

Congress MLA Candidates : ସମ୍ବଲପୁର ଜିଲ୍ଲାର 4 ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସମ୍ବଲପୁରରୁ ଦୁର୍ଗା ପାଢ଼ୀ, କୁଚିଣ୍ଡା ପାଇଁ ଦିଲ୍ଲୀପ ଦୁରିଆ ଓ କୁଚିଣ୍ଡା ପାଇଁ କେଦାର ବରିହା ନୂଆଁ ଚେହେରା ଭାବେ ସାମନାକୁ ଆସିଥିବା ବେଳେ ରେଢ଼ାଖୋଲରୁ ଲଢିବେ ପୁରୁଖା ନେତା ଆସଫ ଅଲ୍ଲୀ ଖାଁ । ଅଧିକ ପଢନ୍ତୁ

ସମ୍ବଲପୁର ଜିଲ୍ଲା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ନୂଆ ମୁହଁକୁ ଭରସା କରିଛି ଦଳ
ସମ୍ବଲପୁର ଜିଲ୍ଲା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ନୂଆ ମୁହଁକୁ ଭରସା କରିଛି ଦଳ

ସମ୍ବଲପୁର ଜିଲ୍ଲା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ନୂଆ ମୁହଁକୁ ଭରସା କଲା ଦଳ

ସମ୍ବଲପୁର: ଜିଲ୍ଲାର 4 ଟି ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଗତକାଲି ସମ୍ବଲପୁର, ରେଙ୍ଗାଲି ଓ କୁଚିଣ୍ଡାରେ ଦଳ ନୂତନ ଚେହେରାକୁ ପ୍ରାର୍ଥୀ କରିଥିବା ବେଳେ ରେଢ଼ାଖୋଲରୁ ଆସଫ ଅଲ୍ଲୀ ଖାଁଙ୍କୁ ପୁଣି ଥରେ ଦଳ ଟିକେଟ ଦେଇଛି । ସମ୍ବଲପୁର ବିଧାନସଭା ସିଟ ପାଇଁ ନୂତନ ଚେହେରା ଦୁର୍ଗା ପାଢ଼ୀ, ରେଙ୍ଗାଲି ପାଇଁ ଦିଲ୍ଲୀପ ଦୁରିଆ ଓ କୁଚିଣ୍ଡା ପାଇଁ କେଦାର ବରିହାଙ୍କ ପରି ନୂଆ ଚେହେରାକୁ ଦଳ ଟିକେଟ ଦେଇଛି । ସମ୍ବଲପୁର ବିଧାନସଭା ସିଟ ଏକ ମର୍ଯ୍ୟାଦାପୂର୍ବ ସିଟ ହୋଇଥିବା ବେଳେ ଏହା ବିଜେପିର ଗଡ଼ ଭାବେ ପରିଚିତ । ଏଠାରେ ବିଜେପିର ପ୍ରାର୍ଥୀ ଭାବେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଓ ବିଜେଡି ପ୍ରାର୍ଥୀ ଭାବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମୈଦାନକୁ ଓହ୍ଲାଇଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ଏଠାରେ ଦୁର୍ଗା ପାଢ଼ୀଙ୍କ ପରି ଏକ ନୂତନ ଚେହେରାଙ୍କୁ ପ୍ରାର୍ଥୀ କରିଛି ।

ଏହା ମଧ୍ୟ ପଢନ୍ତୁ ....ଭାରି ପଡ଼ିଲା ପୁଅ ପ୍ରେମ, କଂଗ୍ରେସରୁ ବହିଷ୍କାର ହେଲେ ସୁର - Sura Routray Expelled From Congress

ଅନ୍ୟପଟେ ଶିଳ୍ପ ବହୁଳ ରେଙ୍ଗାଲି ବିଧାନସଭା ଆସନରେ କଂଗ୍ରେସର ଟିକେଟ ପାଇଛନ୍ତି ଦିଲ୍ଲୀପ ଦୁରିଆ । ସେ ଦୀର୍ଘ ଦିନରୁ ବିଜେଡିରେ ଥିବା ବେଳେ ବିଜେଡିର ରାଜ୍ୟ ଯୁଗ୍ମ ସମ୍ପାଦକ ଥିଲେ । ତେବେ ଦଳ ଅବହେଳା କରୁଥିବା ଅଭିଯୋଗ କରି ସେ କଂଗ୍ରେସରେ ମିଶିବା ସହ ରେଙ୍ଗାଲି ଟିକେଟ ପାଇଛନ୍ତି । ସେ ଏଥର ନିର୍ବାଚନରେ ନିଯୁକ୍ତି ସମସ୍ୟା ଓ ଜମି ପଟ୍ଟା ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବେ ବୋଲି କହିଛନ୍ତି । ଏଥର ରେଙ୍ଗାଲିର ସ୍ବାଭିମାନୀ ମାଟି ପରିବର୍ତ୍ତନ ଚାହେଁ ବୋଲି କହିଛନ୍ତି ଦିଲ୍ଲୀପ । ଦିଲ୍ଲୀପ ରେଙ୍ଗାଲି ଅଞ୍ଚଳରେ ଯୁବପିଢିଙ୍କ ମଧ୍ୟରେ ଭଲ ଲୋକପ୍ରିୟ ଥିବା ବେଳେ ସମାଜସେବା ମଧ୍ୟ କରି ଆସୁଛନ୍ତି l ତେଣୁ ଚଳିତ ନିର୍ବାଚନରେ ସେ କଂଗ୍ରେସର ପକେଟ ଭୋଟ ସହ ବିଜେଡିର କିଛି ଭୋଟ କାଟି ନିଜ ଆଡକୁ ଆଣି ପାରନ୍ତି । ଫଳରେ କଂଗ୍ରେସର ଭୋଟ ସଂଖ୍ୟା ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।

ସେହିପରି ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ବିଧାନସଭା ଆସନରେ କଂଗ୍ରେସ ଦଳ ନୂଆ ଚେହେରା କେଦାର ବରିହାଙ୍କୁ ଟିକେଟ ଦେଇଛି । କେଦାର ବରିହା ପୂର୍ବରୁ ଜମେନକେରା ବ୍ଲକ ଅଧ୍ୟକ୍ଷ ଥିବା ବେଳେ ବର୍ତ୍ତମାନ ସେ ଟିକବା ପଞ୍ଚାୟତର ସମିତି ସଭ୍ୟ ଅଛନ୍ତି । ସେ ଏଥର ବିଜେଡି ଓ ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ କଂଗ୍ରେସର ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟିକୁ ଘରକୁ ଘର ପହଞ୍ଚାଇ ଜୟଯୁକ୍ତ ହେବେ ବୋଲି ଆଶା ପ୍ରକଟ କରିଛନ୍ତି କେଦାର । ସମଗ୍ର ଜମେନକିରା ବ୍ଲକ ଅଞ୍ଚଳରେ କେଦାରଙ୍କ ଭଲ ସଂଗଠନ ରହିଥିବାରୁ ସେହି ଅଞ୍ଚଳରେ କଂଗ୍ରେସର ଭୋଟ ବୃଦ୍ଧି ହୋଇପାରେ ।

ରେଢ଼ାଖୋଲ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳ ପୁଣି ଥରେ ବରିଷ୍ଠ ନେତା ଆସଫ ଅଲ୍ଲୀ ଖାଁଙ୍କୁ ଟିକେଟ ଦେଇଛି । ଆସଫ ପୂର୍ବରୁ 3 ଥର କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ମଧ୍ୟ ଦଳ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ମୁଖ୍ୟତଃ ଆସଫଙ୍କ ରେଢ଼ାଖୋଲ ଅଞ୍ଚଳରେ ଭଲ ସଂଗଠନ ରହିଥିବା ବେଳେ ବର୍ଷ ତମାମ ସେ ଲୋକଙ୍କ ସହ ରହିଛନ୍ତି । ଏଥରର ସେ ରେଢାଖୋଲର ମୌଳିକ ସମସ୍ୟା ଯଥା ଦାଦନ ସମସ୍ୟା, ଶିକ୍ଷା ସମସ୍ୟା, ନିଯୁକ୍ତି ଅଭାବ ଭଳି ପ୍ରସଙ୍ଗକୁ ଅସ୍ତ୍ର କରିବେ ବୋଲି ସୂଚନା ଦେଇଛନ୍ତି । ଗତ ନିର୍ବାଚନରେ ସେ ଦ୍ଵିତୀୟ ସ୍ଥାନରେ ରହିଥିଲେ । ତେବେ ଏହି ୪ଟି ସିଟରେ କଂଗ୍ରେସର ପ୍ରାର୍ଥୀମାନେ ନିଜର ରଣନୀତି ଫଳରେ ଲୋକଙ୍କ ଭୋଟ ହାତେଇବାରେ ସଫଳ ହେବେ କି ନାହିଁ ତାହା ସମୟ କହିବ ।

ଇଟିଭି ଭାରତ, ସମ୍ବଲପୁର

Last Updated :Apr 15, 2024, 9:39 PM IST

ABOUT THE AUTHOR

...view details