ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ; ୩ଟି ସ୍ଥାନରେ ଏକକାଳୀନ ଚଢାଉ

By

Published : Jul 26, 2023, 12:41 PM IST

thumbnail

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି (ବୁଧବାର) ପାହାନ୍ତାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ତାଙ୍କର ବିଳାସପୂର୍ଣ୍ଣ ବାସଭବନ, ପୈତୃକ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ରେଡ୍ କରାଯାଉଛି । କଳାହାଣ୍ଡି ଓ କୋରାପୁଟ ଭିଜିଲାନ୍ସ ବିଭାଗର ୩ଟି ସ୍ଵତନ୍ତ୍ର ଟିମ୍ ଚଢାଉରେ ସାମିଲ ଅଛନ୍ତି । ଚଢାଉ ବେଳେ ବାସଭବନରୁ ବଣ୍ଡଲ ବଣ୍ଡଲ ନୋଟ ମିଳିଛି । ଅଦ୍ୟାବିଧି ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୬ ଲକ୍ଷ ଟଙ୍କା ଏବଂ ପ୍ରାୟ ଅଢେଇ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ ମିଳିଥିବାର ସୂଚନା ରହିଛି । 

ସୂଚନା ଅନୁଯାୟୀ, ଆଜି ସକାଳ ନହେଉଣୁ ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଥିଲା ଭିଜିଲାନ୍ସ ଟିମ୍ । ଭୋର୍ ପ୍ରାୟ ୩ଟାରେ ଭିଜିଲାନ୍ସ ବିଭାଗର ତିନୋଟି ଟିମ୍ ଭବାନୀପାଟଣା ସହରରେ ଥିବା ବାସଭବନ, ଜିପିଏସ ସେକ୍ସନ ଅଫିସ, ନର୍ଲା ଥାନା ବଲବସପୁର ଗାଁ ସ୍ଥିତ ପୈତୃକ ଘରେ ଏକକାଳୀନ ଚଢାଉ କରିଥିଲା । କିଶୋର ଚନ୍ଦ୍ର ସାହୁଙ୍କ ଘରୁ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ୍ ଓ ବିଡା ବିଡା ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ କାର୍ଯ୍ୟାଳୟରୁ ମଧ୍ୟ ଅନେକ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି । ଚଢାଉ ଜାରି ରହିଥିବା ବେଳେ ଆହୁରି ଅନେକ ଗୁଡିକ ତଥ୍ୟ ସାମ୍ନାକୁ ଆସିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି  । ବର୍ତ୍ତମାନ ସୁଦ୍ଧା ତାଙ୍କର ସମସ୍ତ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ  । 

ଏହାମଧ୍ୟ ପଢନ୍ତୁ: ବନ୍ଧା ହେଲେ କୁବେର ଅତିରିକ୍ତ ଉପଜିଲ୍ଲାପାଳ, ଘରୁ ମିଳିଥିଲା ପେଟି ପେଟି ଟଙ୍କା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ସୁନ୍ଦରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ  । ତାଙ୍କର ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା  । ଚଢାଉ ବେଳେ ୧ କୋଟି ୬୭ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ସହ ଘରୁ ନଗତ ୧୦ ଲକ୍ଷ ଟଙ୍କା, ୨୦୦ ଗ୍ରାମ ସୁନା ଅଳଙ୍କାର, ଦୁଇଟି ଦୁଇ ଚକିଆ ଯାନ, ଜମି, ପ୍ଲଟ କାଗଜପତ୍ର ଜବତ କରାଯାଇଥିଲା  । 



ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.