ମାଲ୍ୟବନ୍ତ ମହୋତ୍ସବ ଅବସରରେ ମିନି ମାରାଥନ ଅନୁଷ୍ଠିତ, ଭାଗନେଲେ ୪୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ

By ETV Bharat Odisha Team

Published : Dec 13, 2023, 10:04 AM IST

thumbnail

ମାଲକାନଗିରି: ଜିଲ୍ଲାର ପ୍ରସିଦ୍ଧ ମହୋତ୍ସବ 'ମାଲ୍ୟବନ୍ତ' ଆସନ୍ତା ୧୫ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ମାଲ୍ୟବନ୍ତ ମହୋତ୍ସବକୁ ନେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସୋମବାର ମାଲକାନଗିରିର ଦାନିଗୁଡା ବ୍ରିଜ୍ ଠାରୁ ସ୍ଥାନିୟ ବୁଟିଗୁଡା ସ୍କୁଲ ପର୍ଯ୍ୟନ୍ତ ୭ କିଲୋମିଟର ଏକ ମିନି ମାରାଥନ୍ ରେସ୍ ଅନୁଷ୍ଠିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ମାଲ୍ୟବନ୍ତ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା; ଢେମସା ନୃତ୍ୟରେ ଝୁମିଲେ ଜିଲ୍ଲାପାଳ, ନେତା

ଏହି ମାରାଥନରେ ୪୦୦ରୁ ଅଧିକ ପ୍ରତିଯୋଗୀ ସାମିଲ ହୋଇଥିଲେ । ବିଶେଷ ଭାବେ ଓଡ଼ିଶା ପୋଲିସ ଓ ମାଲକାନଗିରିରେ ନିୟୋଜିତ ସୀମା ସୁରକ୍ଷା ବଳର ଯବାନ ଓ ବହୁ ଛୋଟଛୋଟ ଛାତ୍ରଛାତ୍ରୀ  ଏଥିରେ ଭାଗ ନେଇଥିଲେ । ସେହିପରି ମଙ୍ଗଳବାର ଦିନ ସ୍ଥାନୀୟ ସତୀଗୁଡ଼ା ଜଳଭଣ୍ଡାରରେ ନୌକା ଚାଳନା ପ୍ରତିଯୋଗିତା କରାଯାଇଥିଲା । ଏହାକୁ ବନବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଡିଏଫଓ ପ୍ରତାପ କୋଟାପଲ୍ଲୀ,ଏଡିସିନାଲ ଏସପି ତପନ କୁମାର ରଥ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଧବ ଚନ୍ଦ୍ର ଖିଲ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୦ଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ନୌକାରେ ୪ ଜଣ ଲେଖାଏଁ ନାବିକ ବସି ନୌଚାଳନା କରିଥିଲେ ।

ଏହାପୂର୍ବରୁ ଗତ ୨ ତାରିଖରେ ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ପାପର୍ ମେଟଲା ଠାରେ ଘୋଡା ଦୌଡ଼ ପ୍ରତିଯୋଗିତା କରା ଯାଇଥିବା ବେଳେ ଗତ ୯ ତାରିଖ ଦିନ ମାଲକାନଗିରି ସଦରରେ ଥିବା ସଂସ୍କୃତି ଭବନରେ ଜିଲ୍ଲା ସ୍ତରିୟ ଲୋକନୃତ୍ଯ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏହି ଲୋକନୃତ୍ଯରେ ଜିଲ୍ଲାର ୧୧ଟି ଦଳର ୩୦୦ କଳାକାର ଭାଗ ନେଇଥିଲେ ।  

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.