ETV Bharat / state

ମାଲ୍ୟବନ୍ତ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା; ଢେମସା ନୃତ୍ୟରେ ଝୁମିଲେ ଜିଲ୍ଲାପାଳ, ନେତା

author img

By ETV Bharat Odisha Team

Published : Nov 29, 2023, 8:40 AM IST

ମାଲ୍ୟବନ୍ତ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା
ମାଲ୍ୟବନ୍ତ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ମାଲକାନଗିରି ବ୍ଲକ ଜଦୁଗୁଡ଼ା ଶୈବପୀଠରୁ ମାଲ୍ୟବନ୍ତ ମହୋତ୍ସବ-୨୦୨୩ କଳସ ଯାତ୍ରାର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ

ମାଲ୍ୟବନ୍ତ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ପାଇଁ ଉତ୍ସବ ମୁଖର ରହିଛି ମାଲକାନଗିରି ଜିଲ୍ଲା । ମଙ୍ଗଳବାର ମାଲକାନଗିରି ବ୍ଲକ ପଦ୍ମଗିରି ପଞ୍ଚାୟତର ଜଦୁଗୁଡା ଶୈବ ପୀଠରୁ ମାଲ୍ୟବନ୍ତ ମହୋତ୍ସବ-୨୦୨୩ର ଶୁଭାରମ୍ଭ ହୋଇଯାଇଛି । ଆସନ୍ତା ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ମହୋତ୍ସବ ପାଇଁ ମଙ୍ଗଳବାର ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବିଶାଲ ସିଂଙ୍କ ଉପସ୍ଥିତିରେ ଜଦୁଗୁଡା ଶୈବ ପୀଠରେ ପୂଜାର୍ଚ୍ଚନା ପରେ କଳସ ଶୋଭାଯାତ୍ରା ବାହାରିଥିଲା । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ, ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଓ ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ୧୧ ଗୋଟି କଳସକୁ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ପ୍ରଦାନ କରିଥିଲେ ।

ଏହି କଳସ ଶୋଭାଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଥିଲା । ଏଥିରେ ଜିଲ୍ଲାର କୋୟା, ଗଡ଼ଙ୍ଗି ଓ ଢେମସା ଭଳି ଲୋକନୃତ୍ୟ ଦଳ ସାମିଲ ହୋଇ ନୃତ୍ୟ ପରିବେଷଣ କରିଥିଲେ । ଜିଲ୍ଲାପାଳଙ୍କ ସମେତ ବିଧାୟକ ମଧ୍ୟ ଏହି ଲୋକନୃତ୍ୟରେ ଝୁମିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାପରେ ପଦ୍ମଗିରି ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲରେ କଳସକୁ ବନ୍ଦାପନା କରାଯାଇଥିଲା । ଅପରାହ୍ନରେ ଭୈରବ ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କଳସ ଶୋଭାଯାତ୍ରା ହୋଇଥିଲା । ଏଥିରେ ଏସ୍‌ଏଚ୍‌ଜି ମହିଳା, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ କ୍ଲବ ସଦସ୍ୟ ଓ ଜନସାଧାରଣ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପରବ-2023 ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଝୁମିଲା କୋରାପୁଟ

ସେହିପରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ପୂର୍ବାହ୍ନରେ ପ୍ରାରମ୍ଭିକ ପୂଜା ବିଧି ସମ୍ପନ୍ନ କରିଥିଲେ । ମାଲ୍ୟବନ୍ତ ମହୋତ୍ସବ ସାଂସ୍କୃତିକ କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ ଜଣାଇ ମନ୍ଦିର ପରିସରକୁ ପାଛୋଟି ଆଣିଥିଲେ । ଏହି ସମସ୍ତ କାର୍ଯ୍ୟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରଭାତୀ ଝଡ଼ିଆଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା । ଏହି ପୀଠରେ ପାରମ୍ପରିକ ଆଦିବାସୀ ସଂସ୍କୃତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ବର୍ତ୍ତମାନ 7ଟି ବ୍ଲକରେ ବ୍ଲକସ୍ତରୀୟ ମହୋତ୍ସବ ପାଳନ କରାଯିବ ।

ଏହି କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତ୍ରିନାଥ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମିଳା ମାଝୀ, ଏସଡିପିଓ ସଚିନ ପଟେଲ, ରେଞ୍ଜର ଜଗନ୍ନାଥ ବିଶୋଇ, ଆଇଆଇସି, ରିଗାନ କିଣ୍ଡୋ, ସିଡିପିଓ, ବ୍ଲକ କର୍ମଚାରୀ, ବନ ବିଭାଗ କର୍ମଚାରୀ, ସରପଞ୍ଚ ଓ ଜିଲ୍ଲାର ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ଉତ୍ସବକୁ ଆୟୋଜନ କରିବାରେ ଉକ୍ତ ପଞ୍ଚାୟତର କର୍ମଚାରୀ ଓ ଜନ ସାଧାରଣ ସହଯୋଗ କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.