ବିପଦ ସଙ୍କେତ ଉପରେ ବୈତରଣୀ, ରାତିସୁଦ୍ଧା ବନ୍ୟା ଆଶଙ୍କା

By

Published : Aug 2, 2023, 4:48 PM IST

Updated : Aug 2, 2023, 7:56 PM IST

thumbnail

ଭଦ୍ରକ: ଫୁଲୁଛି ବୈତରଣୀ ନଦୀର ଜଳସ୍ତର । ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀ ବିପଦ ସଙ୍କେତ ଅତିକ୍ରମ କରିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି । ଗତକାଲି ରାତିରୁ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ତେଣୁ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି । ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ବୈତରଣୀର ବନ୍ୟା ଜଳ ପ୍ରବାହିତ ହେଉଛି । ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ଥିଲା ବେଳେ ବର୍ତ୍ତମାନ ଏହା ବିପଦ ସଙ୍କେତ ଉପରେ ଅର୍ଥାତ 19.00 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ରହଣିଆ, ନପଙ୍ଗ, ମଣିନାଥପୁର, ଷୋଳମପୁର, ବିରୁଡି, ମାଳଦା, କୁରିଗାଁ ଆଦି 7 ଗୋଟି ପଞ୍ଚାୟତ ଓ ଧାମନଗର ବ୍ଲକର ଆନନ୍ଦପୁର, ଖଣ୍ଡତଡା, ସୋହଡା ଆଦି 3ଟି ପଞ୍ଚାୟତ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଭଦ୍ରକ ଜିଲ୍ଲାରେ ଥିବା 7 ବ୍ଲକ ମଧ୍ୟରେ 507.8 ମିମି ବର୍ଷା ହୋଇ ଥିବା ରେକର୍ଡ କରାଯାଇଛି ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଖୁଆପଦା ଠାରେ ପହଞ୍ଚି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଦୁଇଟି ବ୍ଲକକୁ ପଠାଯିବା ସହିତ ତଳିଆ ଅଞ୍ଚଳର ସ୍ଥିତ ଉପରେ ନଜର ରଖିବାକୁ ବିଡ଼ିଓ ଏବଂ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ କାନପୁର କରଞ୍ଜିଆ ଡ୍ୟାମରେ ଗେଟ ଖୋଲା ଯାଇଛି । ବନ୍ଯାଜଳ ନିଷ୍କାସନ ହେଉଥିବା ଫଳରେ ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ପଟିଛି ବୋଲି ଜଣାପଡିଛି । ତେବେ ଆଜି ମଧ୍ୟରାତ୍ରି ସୁଦ୍ଧା ଆଖୁଆପଦା ଠାରେ ସର୍ବାଧିକ ଜଳସ୍ତର 20.00 ମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏକ 30 ଜଣିଆ NDRF ଟିମକୁ ସମ୍ଭାବ୍ଯ ବାତ୍ଯା ପରିସ୍ଥିତିର ମୁକାବିଲା କରିବା ପାଇଁ ଧାମନଗର ବ୍ଳକ ଏବଂ ଏକ ODRAF ଟିମକୁ ଭଣ୍ଡାରିପୋଖରୀ ବ୍ଲକରେ ମୁତୟନ କରାଯାଇଛି । ଅନ୍ୟପଟେ ଆଜି ଅପରାହ୍ନ 2ଟା ପରେ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଆସନ୍ତାକାଲି ବର୍ଷାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଶିକ୍ଷା ଅଧିକାରୀ । 

ଇଟିଭି ଭାରତ, ଭଦ୍ରକ

Last Updated : Aug 2, 2023, 7:56 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.