ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ

By ETV Bharat Odisha Team

Published : Aug 26, 2023, 6:38 AM IST

thumbnail

ଜଗତସିଂହପୁର: ୪ ବର୍ଷ ପରେ ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡ଼ିତା । ଦୁଷ୍କର୍ମକାରୀକୁ ମିଳିଲା ଦଣ୍ଡ । ନାବାଳିକାକୁ ଅପହରଣ ଓ ପରେ ଦୁଷ୍କର୍ମ ଘଟଣାରେ ଜଗତସିଂହପୁର ସ୍ବତନ୍ତ୍ର ପୋକ୍ସ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୀଡ଼ିତା ନାବାଳିକାଙ୍କୁ ଆଇନ ସେବା ପ୍ରାଧିକାରଣ ପକ୍ଷରୁ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୪ ବର୍ଷ ତଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିଲା ।  ବୋଧେଇ ଗ୍ରାମର ଋଷିନାଥ ସାମଲଙ୍କ ପୁଅ ମାନସ ସାମଲ ଜଣେ ନାବାଳିକାଙ୍କୁ ନିଜ ପ୍ରେମ ଜାଲରେ ଫସେଇବା ପାଇଁ ଉଦ୍ୟମ କରିଥିଲେ । ହେଲେ ନାବାଳିକା ଜଣଙ୍କ ଏଥିରେ ଅମଙ୍ଗ ହେବାରୁ ଅଭିଯୁକ୍ତ ମାନସ ୨୦୧୯ ମସିହା ଡିସେମ୍ବର ୬ ତାରିଖ ଦିନ ନାବାଳିକାଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ପରେ ତାକୁ ଅପହରଣ କରି ପୁଡୁଚେରୀ ନେଇ ପଳାଇଥିଲା । ସେଠାରେ ଏକ ଭଡ଼ାଘରେ ପୀଡ଼ିତାକୁ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । 

ଏହାମଧ୍ୟ ପଢନ୍ତୁ: ଭାଣିଜୀକୁ ହତ୍ୟା କରିବା ଅଭିଯୋଗରେ ବନ୍ଧା ହେଲା କଂସ ମାମୁ  


ଅନ୍ୟପଟେ ପୀଡ଼ିତାଙ୍କ ପରିବାର ଲୋକେ ଏ ସମ୍ପର୍କରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କୁଜଙ୍ଗ ପୋଲିସ ୮୧/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମାନସ କୌଣସି କାମରେ କଟକ ଆସୁଥିବାର ଖବର ପାଇ କୁଜଙ୍ଗ ପୋଲିସ କଟକ ରେଲୱେ ଷ୍ଟେସନରେ ଅତର୍କିତ ଭାବେ ଚଢ଼ାଉ କରି ମାନସକୁ ସେଠାରୁ ଗିରଫ କରିଥିଲା । ଏଥିସହ ଆଇପିସିର ଧାରା ୩୬୫/୩୭୬ ଓ ୬ (ପୋକ୍ସ) ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାର ବିଚାର କରି ଜଷ୍ଟିସ ଅଜୟ କୁମାର ମହାନ୍ତି ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହିତ ୨୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ହେଲେ ୫ ମାସ ଅଧିକ ଜେଲ ଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି । 

 ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.