ଫାଟି ଆଁ କରିଛି ଚାଷ ଜମି; ମରୁଡି ଘୋଷଣା ଦାବିରେ ତହସିଲ ଅଫିସ ଆଗରେ ଧାରଣା

By ETV Bharat Odisha Team

Published : Nov 11, 2023, 9:46 AM IST

thumbnail

ଖୋର୍ଦ୍ଧା: ଚାଷୀଙ୍କୁ ଘାରିଛି ଅମଳ ଚିନ୍ତା । ପାଣି ଅଭାବରୁ ଧାନ ଫସଲ ଉଜୁଡିବାକୁ ବସିଲାଣି ।  ଜଳସେଚନ ସୁବିଧା ନଥିବାରୁ ବର୍ଷା ଜଳ ଭରସାରେ ଖରିଫ ଧାନ ଚାଷ କରିଥାନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳର ଚାଷୀ । ବିଶେଷକରି ବେଗୁନିଆ ଓ ବୋଲଗଡ଼ ଅଞ୍ଚଳ ଟାଙ୍ଗରା ଭୂଇଁ ହୋଇଥିବାରୁ ଚାଷ ପାଇଁ ବର୍ଷା ଜଳ ଏକମାତ୍ର ଭରସା । କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ଠାରୁ ଏବେ ପର୍ଯ୍ୟନ୍ତ ବର୍ଷା ଉଭାନ ହୋଇଥିବା ବେଳେ ଚାଷ ଜମି ଫାଟି ଆଁ କଲାଣି । ଫସଲ ଥୋଡ଼ ଧରି ଫୁଲ ଉଡାଇବା ସମୟରେ ବିଲର ଫଟା ଦୃଶ୍ୟ ଚାଷୀକୁ ବିଚଳିତ କରିଛି । ଚାଷୀର ଆଖି ଆଗରେ ତାର ସୁନାର ଫସଲ ଜଳିଯିବାକୁ ବସିଲାଣି ।  

ଏହାମଧ୍ୟ ପଢ଼ନ୍ତୁ: ଧାନ କେଣ୍ଡାରୁ ବାହାରୁଛି ଅଗାଡି, ଚକଡା ସାଙ୍ଗକୁ ମରୁଡି ସମସ୍ୟା ନେଇ ଚିନ୍ତାରେ ଚାଷୀ

ବୋଲଗଡ ବ୍ଲକରେ ବର୍ତ୍ତମାନର ଚାଷ ସମସ୍ୟାକୁ ନେଇ ଶୁକ୍ରବାର ବୋଲଗଡ଼ ଚାଷୀମାନେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ତୁରନ୍ତ ତଦନ୍ତ କରି ବୋଲଗଡ଼ ଅଞ୍ଚଳକୁ ମରୁଡି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ବୋଲଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବୋଲଗଡ଼କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା, କୃଷି ଋଣ ଛାଡ କରିବା ସହ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କିଭଳି ଚାଷୀ ସୁଫଳ ପାଇବ ସେନେଇ ଦାବି କରିଛନ୍ତି । ଚାଷୀମାନେ ଏକାଠି ହୋଇ ପ୍ରତିବାଦ କରିଥିବା ବେଳେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.