ବର୍ଷାରେ ଧାନ ଫସଲ ନଷ୍ଟ, କ୍ଷତିପୂରଣ ଦାବି କଲେ ଚାଷୀ ସଂଗଠନ

By ETV Bharat Odisha Team

Published : Dec 7, 2023, 12:05 PM IST

thumbnail

ସୋନପୁର: ବାତ୍ୟା ମିଗଜୋମ ପ୍ରଭାବରେ ସୋନପୁରରେ ଜାରି ରହିଛି ବର୍ଷା । ଗତ ଦୁଇ ଦିନ ହେଲା ଝିପିଝିପି ବର୍ଷା ଲାଗି ରହିଛି । ଯାହା ଫଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ । ଅମଳ ହେବାକୁ ଥିବା ଧାନ ନଷ୍ଟ ହେବାରୁ ଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ହାର୍ଭେଷ୍ଟର ଲଗାଇ ଅମଳ କରାଯାଇଥିବା ଧାନ ଖଳାରେ ଶୁଖାଇବା ସମୟରେ ଝିପି ଝିପି ବର୍ଷା ହୋଇଛି । ଫଳରେ ଅମଳ ହୋଇଥିବା ଧାନ ଫସଲ ବି ବିକ୍ରି ଯୋଗ୍ୟ ହୋଇ ପାରିନାହିଁ । ସେହିପରି ଚାଷଜମିରୁ କାଟି ଅଣାଯାଇଥିବା ଧାନ ଗଦା ହୋଇଛି । ଧାନ ବିଲରେ ପଡିଥିବା ଧାନ ପେଟା ଗୁଡିକ ବର୍ଷାରେ ଭିଜି ଯାଇଛି । ଫଳରେ ଚାଷୀ ଖରିଫ ଚାଷରେ କ୍ଷତିର ସମ୍ମୁଖୀନ ହୋଇଛି । ପାଗ ଶୁଖିଲା ହେବା ପରେ ଚାଷୀ ବିଲରେ ପଡିଥିବା ଧାନ ଅମଳ କରିବ ।  

ଏହା ମଧ୍ୟ ପଢନ୍ତୁ-  କୋରାପୁଟରେ ବାତ୍ୟା ମିଗଜୋମ ପ୍ରଭାବ, ଖସିଲା ପଥର ଉଜୁ଼ଡିଲା ଫସଲ

ବାତ୍ୟା ମିଗଜୋମର ପୂର୍ବ ସୂଚନା ପାଇଥିବା ଚାଷୀମାନେ କିଛି ପରିମାଣରେ ଅମଳ କରିବାକୁ ଥିବା ଧାନକୁ ସୁରକ୍ଷା ଯୋଗାଇ ପାରିଛନ୍ତି । ତଥାପି ଏବେ ବି ଅଧିକାଂଶ ବିଲରେ ଧାନ କଟା ହୋଇ ପଡିରହିଛି । ଖଳାକୁ ଆଣିଥିବା ଧାନକୁ ସୁରକ୍ଷା ଦେବା ପାଇଁ ଚାଷୀମାନେ ପଲିଥିନ ଜରି ଅବା ନଡା ଦେଇ ସୁରକ୍ଷିତ ରଖିଥିବା ଦେଖିବାକୁ ମିଳିଛି । ବିଲରେ କଟା ହୋଇ ପଡି ରହିଥିବା ଧାନ ବ୍ୟାପକ ପରିମାଣରେ ନଷ୍ଟ ହୋଇଛି । ଜିଲ୍ଲାରେ ଧାନ ବିକ୍ରୟ କେନ୍ଦ୍ର ଗୁଡିକ ଖୋଲି ନ ଥିବାରୁ ପୂର୍ବରୁ ଅମଳ କରି ରଖିଥିବା ଧାନକୁ ଚାଷୀ ବିକ୍ରୀ କରି ପାରି ନାହାନ୍ତି । ତୁରନ୍ତ ବିକ୍ରୟ କେନ୍ଦ୍ର ଗୁଡିକ କାର୍ଯ୍ୟକ୍ଷମ କରିବା ସହିତ ବାତ୍ୟାର ପ୍ରଭାବରେବର୍ଷାରେ ନଷ୍ଟ ହୋଇଥିବା ଧାନର କ୍ଷତିପୂରଣ ଦେବାକୁ ଚାଷୀ ସଂଗଠନ ମାନେ ଦାବି କରିଛନ୍ତି । ତୁରନ୍ତ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ ମିଳିତ ରିପୋର୍ଟ ପ୍ରସ୍ତୁତ କରି ପ୍ରକୃତ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ଅନୁରୋଧ କରିଛନ୍ତି । 

ଇଟିଭି ଭାରତ, ସୋନପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.