ETV Bharat / sukhibhava

ରିସର୍ଚ୍ଚରେ ଖୁଲାସା, କୋରୋନା ଟିକା ଏବଂ ହୃଦଘାତ ମଧ୍ୟରେ ନାହିଁ ସମ୍ବନ୍ଧ

author img

By ETV Bharat Odisha Team

Published : Sep 5, 2023, 12:27 PM IST

କୋରୋନା ଟିକା ସହ ହୃଦଘାତର ସମ୍ବନ୍ଧ ନେଇ ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ନିକଟରେ ହୋଇଥିବା ଏକ ରିସର୍ଚ୍ଚ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛି । କୋରୋନା ଟିକା ଏବଂ ହୃଦଘାତ୍‌ ମଧ୍ୟରେ ସମ୍ବନ୍ଧ ନାହିଁ ବୋଲି ରିସର୍ଚ୍ଚରେ ଖୁଲାସା ହୋଇଛି । ଅଧିକ ପଢନ୍ତୁ

Covid Vaccine And Heart Attack
Covid Vaccine And Heart Attack

ହାଇଦ୍ରାବାଦ: 2020 ମସିହାରେ ସାରା ବିଶ୍ବରେ ତାଣ୍ଡବ ମଚାଇଥିଲା କୋରୋନା ମହାମାରୀ । ତେବେ ମହାମାରୀରୁ ବର୍ତ୍ତିବା ପାଇଁ ଅନେକ କମ୍ପାନୀ ଦ୍ବାରା ପ୍ରସ୍ତୁତ ଟିକା ଦିଆଯାଇଥିଲା। ତେବେ ଟିକା ନେବା ଦ୍ବାରା ପାର୍ଶ୍ବପ୍ରତିକ୍ରିୟା ଦେଖାଯାଉଥିବା ନେଇ ଅନେକ ଖବର ସାମ୍ନାକୁ ଆସିଥିଲା। ତେବେ ଏହାର ସତ୍ୟତା ଜାଣିବା ପାଇଁ ଏକ ଅନୁସନ୍ଧାନ କରାଯାଇଥିବା ବେଳେ ହୃଦଘାତ ଏବଂ କୋରୋନା ଟିକା ମଧ୍ୟରେ କୌଣସି ସମ୍ବନ୍ଧ ରହିନଥିବା ଜଣାପଡିଛି। କୋରୋନା ଟିକା ନେବା ପରେ ହୃଦଘାତର କୌଣସି ବୈଜ୍ଞାନିକ ପ୍ରମାଣ ମିଳିଲା ନାହିଁ। ଦିଲ୍ଲୀର ଜିବି ପନ୍ତ ହସ୍ପିଟାଲ 1,500 ରୁ ଅଧିକ ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ତେବେ ଟିକା ଏବଂ ହୃଦଘାତ ମଧ୍ୟରେ କୌଣସି ସମ୍ପର୍କ ନଥିବା ରିସର୍ଚ୍ଚରୁ ଜଣାପଡ଼ିଛି ।

ଏହାପୂର୍ବରୁ ନୂଆଦିଲ୍ଲୀରେ ଥିବା ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ICMR)ର ଅନୁସନ୍ଧାନକାରୀମାନେ ମଧ୍ୟ ଏକ ଅଧ୍ୟୟନରେ ନିଶ୍ଚିତ କରିଛନ୍ତି ଯେ, କୋରୋନା ଟିକା ଏବଂ ହୃଦଘାତ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଏହି ରିପୋର୍ଟ ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (IJMR)ରେ ପ୍ରକାଶିତ ହୋଇଛି । ତେବେ ଏନେଇ ଆଉ ଦୁଇଟି ରିସର୍ଚ୍ଚ ଜାରି ରହିଥିବା ବେଳେ ଖୁବଶୀଘ୍ର ସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି । ମେଡିକାଲ୍ ଜର୍ନାଲ୍ PLOS Oneରେ ପ୍ରକାଶିତ ଏହି ଅଧ୍ୟୟନରେ ଅଗଷ୍ଟ 2021ରୁ ଅଗଷ୍ଟ 2022 ପର୍ଯ୍ୟନ୍ତ ଦିଲ୍ଲୀର ଜିବି ପନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା 1,578 ରୋଗୀଙ୍କୁ ସାମିଲ କରାଯାଇଥିଲା । ଅନୁସନ୍ଧାନକାରୀମାନେ ସେମାନଙ୍କର ସମସ୍ତ ଡାକ୍ତରୀ ଫାଇଲ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ICMR ରିପୋର୍ଟରେ ବଡ ଖୁଲାସା, ଏହି କାରଣରୁ ବଢିଥାଏ ହୃଦଘାତ ମାମଲା

ଏଥିମଧ୍ୟରୁ ପ୍ରାୟ 1086 (68.8 ପ୍ରତିଶତ) ରୋଗୀ କୋରୋନା ଭାଇରସ କବଳରୁ ବର୍ତ୍ତିବା ପାଇଁ ଟିକା ନେଇଥିବା ବେଳେ 492 (31.2 ପ୍ରତିଶତ) ଟିକା ନେଇନଥିଲେ । ଯେଉଁମାନେ ଟିକା ନେଇଥିଲେ ସେମାନଙ୍କ ମଧ୍ୟରୁ 1047 (96 ପ୍ରତିଶତ) ଦୁଇଟି ଡୋଜ ନେଇଥିଲେ । କେବଳ 39 ଜଣ(4 ପ୍ରତିଶତ) କେବଳ ଗୋଟିଏ ଡୋଜ୍‌ ଟିକା ନେଇଥିଲେ । ତେବେ ଏନେଇ ପନ୍ତ ହସ୍ପିଟାଲର ବରିଷ୍ଠ ଡାକ୍ତର ମୋହିତ ଗୁପ୍ତା କହିଛନ୍ତି ,"କୋରୋନା ଟିକା ଏବଂ ହୃଦଘାତକୁ ନେଇ ଅନେକ ଗୁଜବ ରହିଛି। ଲୋକମାନେ ବିଶ୍ୱାସ କରନ୍ତି ଯେ କୋରୋନା ଟିକା ନେବା ପରେ ହୃଦଘାତର ଘଟଣା ବୃଦ୍ଧି ପାଉଛି । ଏହା ସଂପୂର୍ଣ୍ଣ ଭୁଲ ଏବଂ ବିଭ୍ରାନ୍ତକାରୀ ତଥ୍ୟ ଅଟେ ।"

କୋରୋନା ଟିକା ନେବା ପରେ ମୃତ୍ୟୁ ଆଶଙ୍କା କମ: ଅଧ୍ୟୟନ ଅନୁଯାୟୀ, ପ୍ରାୟ 6ମାସ ଧରି ଅନୁସନ୍ଧାନ ପରେ ଅନୁସନ୍ଧାନକାରୀମାନେ ମଧ୍ୟ ଜାଣିବାକୁ ପାଇଲେ ଯେ, ଟିକା ନେଇଥିବା ବ୍ୟକ୍ତିଙ୍କ ତୁଳନାରେ ଟିକା ନେଇନଥିବା ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା ଅଧିକ । କିନ୍ତୁ ଅଧିକ ବୟସ, ମଧୁମେହ ଏବଂ ଧୂମପାନ କରୁଥିବା ବ୍ୟକ୍ତିଙ୍କର ମୃତ୍ୟୁହାର ଅଧିକ ରହିଥାଏ । ଡାକ୍ତରମାନେ କହିଛନ୍ତି ଯେ କୋରୋନା ଟିକା କେବଳ ସୁରକ୍ଷିତ ନୁହେଁ, ସ୍ୱଳ୍ପ ସମୟ ମଧ୍ୟରେ ସମସ୍ତ କାରଣରୁ ମୃତ୍ୟୁହାର ମଧ୍ୟ ହ୍ରାସ କରିଥାଏ ।

ମୋହିତ ଗୁପ୍ତା ଏହା ମଧ୍ୟ କହିଛନ୍ତି ଯେ, "ଟିକା ଗ୍ରହଣ କରିବା ପରେ କିଛି ଲୋକ ପ୍ରତିକୂଳ ପ୍ରଭାବ ଅନୁଭବ କରିଥିଲେ । ସେମାନଙ୍କ ମଧ୍ୟରୁ କେତେକ ଯନ୍ତ୍ରଣା ଅନୁଭବ କଲେ ଏବଂ କେତେକଙ୍କର ସାମାନ୍ୟ ଜ୍ୱର ଥିଲା । କିନ୍ତୁ ଏହି ଲକ୍ଷଣ ଅଧିକ ଦିନ ରହିଲା ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.