ସ୍ଥାୟୀ ନିଯୁକ୍ତି ଦାବିରେ ଆଉଟସୋର୍ସିଂ କର୍ମଚାରୀଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନ
Published: Mar 16, 2023, 3:40 PM

ସ୍ଥାୟୀ ନିଯୁକ୍ତି ଦାବିରେ ଆଉଟସୋର୍ସିଂ କର୍ମଚାରୀଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନ
Published: Mar 16, 2023, 3:40 PM
ରାଜ୍ୟ ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ଜିଲ୍ଲା ଶାଖା ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ। ଅଧିକ ପଢନ୍ତୁ
ସୁବର୍ଣ୍ଣପୁର: ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟ ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ସଂଘର ସମ୍ପାଦକ ନରହରୀ ମହାପାତ୍ରଙ୍କ ନେତୃତ୍ବରେ ଅନେକ କର୍ମଚାରୀମାନେ ଜିଲ୍ଲାପାଳଙ୍କ ମୁଖ୍ୟ ଫାଟକ ଆଗରେ ଏକତ୍ରୀତ ହୋଇ ବିକ୍ଷୋଭ କରିଥିଲେ । ତେବେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, କର୍ମଚାରୀମାନଙ୍କୁ ନିୟମିତ ଭାବେ ମାସିକ ଦରମା ପ୍ରଦାନ କରିବା , ଆଉଟସୋର୍ସିଂ କର୍ମଚାରୀ ଭାବେ ପୂର୍ବରୁ କାର୍ଯ୍ୟରତ ବା ଛଟେଇ ହୋଇଥିବା କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ଆଦି ଦାବି ପୂରଣ ପାଇଁ ନିବେଦନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- Driver Mahasangha strike: ମୁଖ୍ୟମନ୍ତ୍ରୀଙ୍କୁ ସମାଧାନ ପାଇଁ ନିବେଦନ କଲେ ଧର୍ମେନ୍ଦ୍ର
ଆଉଟସୋର୍ସିଂ କର୍ମଚାରୀମାନେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନର ମାର୍ଫତରେ ରାଜ୍ୟ ସରକାରଙ୍କୁ ଅନେକବାର ଦାବି ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି । ଏପରିକି ସେମାନେ ନିଜ କାର୍ଯ୍ୟ ନିୟମିତ ଭାବେ କରିବା ସହିତ ବିନା ଛୁଟିରେ କାର୍ଯ୍ୟ କରି ଆସୁଛନ୍ତି । ନିଜର ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସରକାରୀ କାର୍ଯ୍ୟକୁ ନିଷ୍ଠାର ସହିତ କରି ଆସୁଛନ୍ତି । ହେଲେ କର୍ମଚାରୀଙ୍କ ଛୋଟଛୋଟ ଦାବି ପ୍ରତି ବି ସରକାର ଧ୍ୟାନ ଦେଉ ନ ଥିବା ଅଭିଯୋଗ କରିଛନ୍ତି । ଜଣେ ଜଣେ ଆଉଟସୋର୍ସିଂ କର୍ମଚାରୀ ଦୀର୍ଘ ଗୋଟିଏ ଦଶନ୍ଧିରୁ ଅଧିକ ହେବ ଜିଲ୍ଲାରେ କାର୍ଯ୍ୟ କରି ଆସୁଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଡ୍ରାଇଭରଙ୍କୁ ଟକ୍କର ଦେଲେ ଡ୍ରାଇଭର, ରାଜଧାନୀରେ ଗର୍ଜିଲା ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ
କର୍ମଚାରୀମାନେ କାର୍ଯ୍ୟ କରୁଥିବା ନିଜ ବିଭାଗ ମାର୍ଫତରେ ବି ବ୍ୟକ୍ତିଗତ ଭାବେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଜିଲ୍ଲା ପ୍ରଶାସନ, ନିଯୁକ୍ତି ଦାତା ଅବା ରାଜ୍ୟ ସରକାର ଏହି କର୍ମଚାରୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ଦାବି ଆପତ୍ତି ପରେ ବି ରାଜ୍ୟ ସରକାର ଧ୍ୟାନ ଦେଉ ନଥିବାରୁ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଜିଲ୍ଲା ସଂଘ ନିଷ୍ପତ୍ତି ନେଇ ଆଜି ପୁଣି ଜିଲ୍ଲା ପ୍ରଶାସନ ଆଗରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ତେବେ ଦାବି ପୂରଣ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର
