ଡ୍ରାଇଭରଙ୍କୁ ଟକ୍କର ଦେଲେ ଡ୍ରାଇଭର, ରାଜଧାନୀରେ ଗର୍ଜିଲା ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ

author img

By

Published : Mar 16, 2023, 11:56 AM IST

Online auto driver strike

ଡ୍ରାଇଭରକୁ ଟକ୍କର ଦେଲେ ଡ୍ରାଇଭର । ରାଜଧାନୀ ଲୋୟର ପିଏମଜିରେ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

Online auto driver strike

ଭୁବନେଶ୍ବର: ଡ୍ରାଇଭରକୁ ଟକ୍କର ଦେଇଛନ୍ତି ଡ୍ରାଇଭର । ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଆଜି ଲୋୟର ପିଏମଜିରେ ବିକ୍ଷୋଭ କରାଯାଉଛି । ଡ୍ରାଇଭର ଏକତା ମହାମଞ୍ଚ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ ଦଫା ଦାବି ନେଇ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ବିକ୍ଷୋଭ ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଆନ୍ଦୋଳନ ଚାଲୁରହିଛି । ଏପଟେ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ କିନ୍ତୁ ଏମାନଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି । ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗରେ ଅନଲାଇନ୍ ଅଟୋ ଡ୍ରାଇଭର ଆନ୍ଦୋଳନ ଡାକରା ଦିଆଯାଇଛି ।

ପ୍ରକାଶଥାଉକି, ଗତକାଲି ମହାମଞ୍ଚର ଆନ୍ଦୋଳନ ସମୟରେ ଯେଉଁ ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ନ ହୋଇ ରାସ୍ତାରେ ଗାଡି ଚଳାଉଥିଲେ ସେମାନଙ୍କୁ "ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ" ଲେଖା ଥିବା ପ୍ଲାକାର୍ଡ ଧରାଇ ଫଟୋ ଉଠାଯାଉଥିଲା । ଏହି ଫୋଟୋ ଜଣେ ଡ୍ରାଇଭର ବା ସାମାଜିକ ପ୍ରାଣୀର ସମ୍ମାନ ମର୍ଯ୍ୟାଦା ହାନି କରୁଥିବାରୁ ଗତକାଲି ଦିଆଯାଇଥିବା ଅପମାନକୁ ବିରୋଧ କରି ଆଜି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଠାରେ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ ପକ୍ଷରୁ ପ୍ରତିବାଦ କରାଯାଉଛି ।

ସେହିପରି ଆଉଟ ଡ୍ରାଇଭରମାନେ ନାରାବାଜି କରିବା ସହ ଡ୍ରାଇଭର ମହାସଂଘ ସେମାନଙ୍କର ଆନ୍ଦୋଳନକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ଅନୁରୋଧ କରିଛନ୍ତି । ଖାଲି ସେତିକି ନୁହେଁ ଛକ ଛକରେ ପୋଲିସ ଜଗିଥିବା ବେଳେ କାହିଁକି ଏଭଳି ଢଙ୍ଗରେ ଅର୍ଥାତ ବେଆଇନ ଭାବେ ସେମାନେ ଆନ୍ଦୋଳନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ସେମାନଙ୍କ ଉପରେ ପୋଲିସ କଡା ନଜର ରଖି ସେମାନଙ୍କର ଶୃଙ୍ଖଳା ଉପରେ ମଧ୍ୟ ନଜର ଦେବା ପାଇଁ ଦାବି କରିଛି ସଂଘ ।

ଏନେଇ ଅନଲାଇନ ଅଟୋ ଡ୍ରାଇଭର ସଂଘ ପକ୍ଷରୁ ଦାବି କରି କୁହାଯାଇଛି ଯେ, "ଗୋଟେ ପଟେ ବିଧାନସଭା ଚାଲୁଥିବା ବେଳେ ଆଉ ଗୋଟେ ପଟେ ପିଲାଙ୍କର ପରୀକ୍ଷା ଚାଲିଛି । ଯେଉଁଥି ପାଇଁ ସେମାନଙ୍କୁ ସହରରେ ଆନ୍ଦୋଳନ କରିବାକୁ ଅନୁମତି ନାହିଁ । ଏହା ସତ୍ତ୍ବେ ସେମାନେ ଆନ୍ଦୋଳନ କରୁଥିଲେ ବି ଅନ୍ୟର ଭାବନାକୁ ଓ ଅଧିକାରକୁ କ୍ଷୁର୍ଣ୍ଣ କରି ଆନ୍ଦୋଳନ କରୁଛନ୍ତି । ଯାହା ଏକ ସଭ୍ୟ ଓ ଗଣତନ୍ତ୍ର ସମାଜ ପ୍ରତି ବିପଦଜନକ । ତେଣୁ ଏ ଦିଗରେ ପୋଲିସ ବିହିତ ପଦକ୍ଷେପ ନେବା ସହ ମହାମଞ୍ଚକୁ ଶୃଙ୍ଖଳାର ସହ ବିକ୍ଷୋଭ ପଦର୍ଶନ କରିବାକୁ କହୁ ।"


ଅନ୍ୟପଟେ ଗତକାଲିଠାରୁ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଅଟୋ ଚାଳକ ସଂଘ । ଡ୍ରାଇଭର ମହାସଂଘର ସଦସ୍ୟମାନେ ଅଟୋଚାଳକଙ୍କୁ ଯାତ୍ରୀମାନଙ୍କ ସାମ୍ନାରେ ପ୍ଲାକାର୍ଡ ଧରାଇବା ସହ ଫୁଲମାଳ ଦେଇ ଅପମାନିତ କରିଥିଲେ । ଆଉ ଏହାକୁ ବିରୋଧ କରି ୧୬ ତାରିଖରେ ଅଟୋ ଚଳାଚଳ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଥିଲା । ଆଗରୁ ମଧ୍ୟ ପୋଲିସ କମିଶନରଙ୍କୁ ଭେଟି ଏହି ଆନ୍ଦୋଳନଙ୍କୁ ବିରୋଧ କରିବା ସହ ଆନ୍ଦୋଳନ ନକରିବା ପାଇଁ ଦାବି ପତ୍ର ଦେଇଥିଲା ସଂଘ । ଆଜି ଡ୍ରାଇଭରମାନଙ୍କ ଆଚରଣକୁ ନେଇ ଆନ୍ଦୋଳନ କରୁଥିବା ବେଳେ ଯଦି ପୋଲିସ ସେମାନଙ୍କ ଆଚରଣ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନ ନିଅନ୍ତି ତେବେ ଆଗକୁ ଆନ୍ଦୋଳନ ଜୋର କରିବା ସହ ରାସ୍ତାଘାଟ ବନ୍ଦ କରିଦେବୁ ବୋଲି ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ ପକ୍ଷରୁ ଚେତାବାନୀ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.