ETV Bharat / state

ଭିଜିଲାନ୍ସ ଜାଲରେ ଲ୍ୟାବ ଟେକ୍ନିସିଆନ

author img

By

Published : Feb 2, 2023, 2:30 PM IST

Lab technician taking bribe
ଲାଞ୍ଚ ନେଇ ଫସିଲେ ଲ୍ୟାବ ଟେକ୍ନିସିଆନ

ଲାଞ୍ଚ ନେବା ବେଳେ ଧରାପଡିଲେ ଲ୍ୟାବ ଟେକ୍ନିସିଆନ । ଭିଜିଲାନ୍ସ ଜାଲରେ ଲ୍ୟାବ ଟେକ୍ନିସିଆନ ଅକ୍ଷୟ କୁମାର ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଲାଞ୍ଚ ନେଇ ଫସିଲେ ଲ୍ୟାବ ଟେକ୍ନିସିଆନ

ସୁବର୍ଣ୍ଣପୁର: ଭିଜିଲାନ୍ସ ହାତରେ ଧରାପଡିଲେ ସୁବର୍ଣ୍ଣପୁର ଲ୍ୟାବ ଟେକନିସିଆନ । ଜିଲ୍ଲାର ତରଭା ଡାକ୍ତରଖାନାର ସିନିଅର ଲ୍ୟାବ ଟେକନିସିଆନ ଅକ୍ଷୟ କୁମାର ପଟ୍ଟନାୟକ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏନେଇ ଭିଜିଲାନ୍ସ ଟିମ୍ ଲ୍ୟାବ ଟେକନିସିଆନ ଅକ୍ଷୟ କୁମାର ପଟ୍ଟନାୟକଙ୍କୁ ଗିରଫ କରିଛି ।

ସୂଚନାନୁସାରେ ତରଭା ବ୍ଲକ ସୂର୍ଯ୍ୟମୁଣ୍ଡା ଗାଁର ମୁକୁନ୍ଦ ସାହୁଙ୍କ ରକ୍ତ ପରୀକ୍ଷା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଲ୍ୟାବ ଟେକନିସିଆନ ଅକ୍ଷୟ କୁମାର ପଟ୍ଟନାୟକ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ମୁକୁନ୍ଦ ଅକ୍ଷୟଙ୍କୁ ୯ ହଜାର ଟଙ୍କା ଦେବା ପାଇଁ ରାଜି ହେବା ସହିତ ଅକ୍ଷୟ ଲାଞ୍ଚ ମାଗୁଥିବା ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଏହାପରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଆଜି ଅକ୍ଷୟ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଛନ୍ତି । ଅକ୍ଷୟଙ୍କୁ ସଦର ମହକୁମାର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଭିଜିଲାନ୍ସ କର୍ମଚାରୀମାନେ ଲାଞ୍ଚ ମାମଲା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

ଗତ ମଙ୍ଗଳବାର ମୟୂରଭଞ୍ଜ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ମଙ୍ଗଳବାର ଜଣେ ପୋଲିସ ଏସଆଇ ଲାଞ୍ଚ ନେବା ମାମଲାର ରାୟ ପ୍ରକାଶ ପାଇଛି । ସ୍ୱତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର ସଶ୍ରମ କାରା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହା ସହିତ ୪୦ହଜାର ଟଙ୍କା ଜରିମାନା କରିଛନ୍ତି । ତେବେ ଜରିମାନା ଅନାଦେୟ ହେଲେ ଅଧିକ ୧ବର୍ଷ ୨ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି ।

ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତ ୨୭ ତାରିଖ ଦିନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଛୁଟିର ଦରମା କରାଇଦେବାକୁ ଯୋଡ଼ାର ପ୍ରାଣୀଧନ ଡାକ୍ତର ସୁବାଶିଷ ମହାପାତ୍ରଙ୍କ ଠାରୁ କିରାଣୀ ମହେନ୍ଦ୍ର ଲାଞ୍ଚ ନେଉଥିଲେ । ଏହି ସମୟରେ ସେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଲାଞ୍ଚୁଆ ବାବୁଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରି କେନ୍ଦୁଝର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ପଚରାଉଚରା କରାଯାଇଛି ।

କଳାହାଣ୍ଡି ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ ଚଳିତ ମାସ ୧୨ ତାରିଖରେ ଜନୈକ ବ୍ୟକ୍ତଙ୍କଠାରୁ ଲାଞ୍ଚ ନେଉଥିଲେ । ଏହି ସମୟରେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ଏହାପରେ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ବିଭାର ସୂଚନା ଅନୁଯାୟୀ ଲାଞ୍ଚ ନେଇ ଧରା ପଡ଼ିବା ପରେ ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ ତାଙ୍କର ବେହରାଗୁଡାରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.