ETV Bharat / state

ସରପଞ୍ଚ ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

author img

By ETV Bharat Odisha Team

Published : Aug 23, 2023, 5:00 PM IST

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ
ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ। ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସରପଞ୍ଚ ସଂଘର ସଭାପତି ଗଣନାଥ ସାହୁଙ୍କ ନେତୃତ୍ବରେ ଶତାଧିକ ପଞ୍ଚାୟତର ସରପଞ୍ଚମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକତ୍ରିତ ହୋଇ ଆନ୍ଦୋଳନ କରିଛନ୍ତି । ସରକାରୀ ଯୋଜନା ତୃଣମୂଳ ସ୍ତରରେ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମ ପଞ୍ଚାୟତଗୁଡିକୁ ସରକାର କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ ଏଥିରେ ପଞ୍ଚାୟତ ସମିତିର ବ୍ଳକ ଉନ୍ନୟନ ଅଧିକାରୀଙ୍କ ହସ୍ତକ୍ଷେପ ଯୋଗୁଁ ଯୋଜନାଗୁଡ଼ିକ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି ।

ତେବେ ଗ୍ରାମ ପଞ୍ଚାୟତ ସ୍ତରରେ ହେଉଥିବା ବିକାଶମୂଳକ କାର୍ଯ୍ୟର ଅନୁଦାନ ଖର୍ଚ୍ଚ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସ୍ବାକ୍ଷରର ଆବଶ୍ୟକତା ରହିଛି ବୋଲି ଅଭିଯୋଗ କରିଛନ୍ତି । ଫଳରେ ବିଡିଓଙ୍କ ପରିଦର୍ଶନ ଓ ଫାଇଲରେ ସ୍ବାକ୍ଷର କରିବା ପରେ ହିଁ ଅନୁଦାନ ଖର୍ଚ୍ଚ ହୋଇ ପାରୁଛି । ସେହିପରି ଗରୀବ, ନିଷ୍ପେସିତ, ଅବହେଳିତ ତଥା ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ହେଲେ ଅନେକ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀଙ୍କୁ ଗ୍ରାମସଭା ମାଧ୍ୟମରେ ଚୟନ କରାଯାଇ ଥିଲେ ମଧ୍ୟ ହିତାଧିକାରୀଙ୍କ ନାମ ଆର୍ଥିକ ଓ ସାମାଜିକ ପଛୁଆ ଶ୍ରେଣୀର ତାଲିକାରେ ନଥିବାରୁ ସେହି ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଇ ପାରୁନଥିବା ମଧ୍ୟ ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଗୋଚର ଭୂମି ଜବରଦଖଲ ଉଚ୍ଛେଦ, ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଏହାସହ ସାମାଜିକ ଓ ଆର୍ଥିକ ତାଲିକା ପ୍ରସ୍ତୁତିରେ ଅନିୟମିତତା ରହିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଗ୍ରାମସଭାରେ ଚିହ୍ନଟ କରି ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ନିୟମରେ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି । ସେହିପରି ଗ୍ରାମ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଦ୍ୟୁତ ଓ ପାଣି ପ୍ରକଳ୍ପଗୁଡ଼ିକ ପାଇଁ ମିଳୁଥିବା ଅନୁଦାନକୁ ଅନ୍ୟ ପ୍ରକଳ୍ପଗୁଡ଼ିକରେ ଖର୍ଚ୍ଚ କରାଯାଉଥିବାରୁ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି । ତେବେ ମୁଖ୍ୟତଃ ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବରେ ଥିବା ଜଟିଳତାକୁ ସୁଧାର କରିବା ପାଇଁ ମଧ୍ୟ ଦାବି କରିଛନ୍ତି । ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତେବେ ତୁରନ୍ତ ଦାବି ପୂରଣ ନହେଲେ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ପୁଣି ଏକ ବୈଠକ କରାଯାଇ ଆଗାମୀ ଆନ୍ଦୋଳନର ରୂପରେଖ ସ୍ଥିର କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.