ETV Bharat / state

ଗୋଚର ଭୂମି ଜବରଦଖଲ ଉଚ୍ଛେଦ, ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

author img

By ETV Bharat Odisha Team

Published : Aug 23, 2023, 7:53 AM IST

ଗୋଚର ଭୂମି ଜବରଦଖଲ ଉଚ୍ଛେଦ
ଗୋଚର ଭୂମି ଜବରଦଖଲ ଉଚ୍ଛେଦ

ଗୋଚର ଭୂମି ଜବରଦଖଲ ଉଚ୍ଛେଦ ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଅଧିକ ପଢ଼ନ୍ତୁ

ଗୋଚର ଭୂମି ଜବରଦଖଲ ଉଚ୍ଛେଦ

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଗୋଚର ଭୂମି ଜବରଦଖଲ ଉଚ୍ଛେଦ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଳକ ଚଡେଇପଙ୍କ ଗାଁ ଲୋକେ । ଗାଁର ସ୍ବେଚ୍ଛାସେବୀ ଦିଲ୍ଲୀପ କୁମାର ଦଣ୍ଡସେନାଙ୍କ ନେତୃତ୍ବରେ ଶତାଧିକ ଗାଁ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆନ୍ଦୋଳନ କରିଛନ୍ତି ।

ଚଡେଇପଙ୍କ ଗାଁରେ ଗାଇଗୋରୁଙ୍କ ଚାରଣ ଭୂଇଁ ପାଇଁ ରାଜ୍ୟ ବନ୍ଦୋବସ୍ତ କମିଶନଙ୍କ ଦ୍ବାରା ଗୋଚର ଭୂମି ନିର୍ଦ୍ଧାରିତ କରାଯାଇଛି । ଗାଁରେ ଥିବା ଏହି ଗୋଚର ଭୂଇଁ ଗାଁ ତଥା ପାଖ ପଡୋଶୀ ଗାଁର ଗାଇଗୋରୁଙ୍କ ଚରାଭୂଇଁ ପାଲଟିଛି । କିନ୍ତୁ ଗାଁର କିଛି ମୁଷ୍ଟିମେୟ ଲୋକ ଓ ଦଲାଲମାନେ ସରକାରୀ ଗୋଚର ଭୂଇଁକୁ ଜବରଦଖଲ କରିଛନ୍ତି । ଗୋଚର ଜମିରେ ଘର, ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ବଜାର ନିର୍ମାଣ କରିବା ସହିତ କଣ୍ଟା ତାର ଓ ଗଛ ଲଗାଇ ନିଜ ଅକ୍ତିଆରକୁ ନେଇଯାଇଛନ୍ତି । ଜବରଦଖଲକାରୀ ନିଜ ଦଖଲକୁ ନେଇଥିବା ଗୋଚର ଭୂଇଁରେ ଗାଁର ଗାଇଗୋରୁଙ୍କୁ ଚରିବାକୁ ଦେଉନାହାନ୍ତି ।

ତେବେ ଏନେଇ ଗାଁ ଲୋକେ ପ୍ରଥମେ ଉଲୁଣ୍ଡା ତହସିଲଦାରଙ୍କ ନିକଟରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଅଭିଯୋଗ କରିଥିଲେ । ଏହାପରେ ତହସିଲଦାର ତୁରନ୍ତ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଗାଁ ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ତେବେ ଜିଲ୍ଲା ପ୍ରଶାସନର ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ବେ ସ୍ଥାନୀୟ ତହସିଲଦାର ଜବରଦଖଲକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ନେଇ ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ବିକ୍ଷୋଭ ପ୍ରଦର୍ଶନ କଲେ ଶ୍ରମିକ

ଜବରଦଖଲକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା କାରଣରୁ ଶେଷରେ ନିରୂପାୟ ହୋଇ ଗାଁ ଲୋକମାନେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ତେବେ ଉଚ୍ଚ ନ୍ୟାୟାଳୟ ଗାଁ ଲୋକଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ । ଏହାସହ ଗୋଚର ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରି ତୁରନ୍ତ ସରକାରୀ ଗୋଚର ଜମିକୁ ରାଜସ୍ବ ବିଭାଗ ଅଧିନକୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ସ୍ଥାନୀୟ ତହସିଲଦାର ଜବରଦଖଲକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ।

ସେପଟେ ଜବରଦଖଲ ଦିନକୁ ଦିନ ବଢି ବଢି ଚାଲିଛି। ଦୀର୍ଘ ଦିନ ହେଲା ତହସିଲଦାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଅନ୍ୟ କେତେକ ଜବରଦଖଲକାରୀ ସରକାରୀ ଜମିକୁ ଆହୁରି ମାଡି ବସୁଥିବା ଅଭିଯୋଗ କରିଛନ୍ତି । ତେବେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ପାଳନ କରି ଗାଁର ଗୋଚର ଜମିରୁ ଜବରଦଖଲକାରୀଙ୍କୁ ତୁରନ୍ତ ହଟେଇ ଗାଁ ଲୋକମାନଙ୍କୁ ତଥା ଗାଁର ଗାଇଗୋରୁଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି । ଏହାସହ ତୁରନ୍ତ ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ତେବେ ଶୀଘ୍ର ଦାବି ପୂରଣ କରା ନଗଲେ ଆଉ ଆଇନ ଅଦାଲତର ଦ୍ବାରସ୍ଥ ନହୋଇ ପୁଣିଥରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.