ETV Bharat / state

ବିଜେପି ଯୁବମୋର୍ଚ୍ଚା-ପୋଲିସ ଧସ୍ତାଧସ୍ତି ଘଟଣା, ରାଜରାସ୍ତାକୁ ଓହ୍ଲାଇଲା ଜିଲ୍ଲା ଯୁବମୋର୍ଚ୍ଚା

author img

By

Published : Mar 4, 2023, 8:36 PM IST

ସୁବର୍ଣ୍ଣପୁରରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ
bjp yuva morcha protest in subarnapur

ଲୋୟର ପିଏମଜିରେ ବିଜେପି ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଘଟଣା ନେଇ ସୁବର୍ଣ୍ଣପୁରରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ଲୋୟର ପିଏମଜିରେ ବିଜେପି ପୋଲିସ ଧସ୍ତାଧସ୍ତି ଘଟଣା

ସୁବର୍ଣ୍ଣପୁର: ଲୋୟର ପିଏମଜି ଠାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି ଘଟଣାରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ନିରଞ୍ଜନ ତ୍ରୀପାଠୀଙ୍କ ନେତୃତ୍ବରେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ସ୍ଥାନୀୟ ମହାବିଦ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ କ୍ୟାବିନେଟ ମନ୍ତ୍ରୀ ବି ସୁରକ୍ଷିତ ନଥିବା ଅଭିଯୋଗ କରିଛନ୍ତି । ଯେଉଁଠି ବଡବଡ ରାଜନୈତିକ ବ୍ୟକ୍ତି ବିଶେଷ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରକ୍ଷିତ ନୁହଁନ୍ତି, ସେଠାରେ ଜନସାଧାରଣ କେତେ ସୁରକ୍ଷିତ ବୋଲି ବିଜେପି ପ୍ରଶ୍ନ କରିଛି । ଏପରିକି ରାଜ୍ୟ ଶାସନ ପକ୍ଷରୁ ପୋଲିସ ଦମନ ନୀତିକୁ ତୀବ୍ର ଭାବେ ନିନ୍ଦା କରାଯାଇଛି। ଗଣତାନ୍ତ୍ରିକ ଉପାୟରେ ରାଜ୍ୟ ସରକାରଙ୍କ ନୀତି ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ଉପରେ ବି ପୋଲିସ ଦମନ ମୂଳକ ନୀତି ଅବଲମ୍ବନ କରୁଥିବାରୁ ଜନସାଧାରଣଙ୍କ ସ୍ବରକୁ ଦବେଇ ଦିଆଯାଉଥିବା ଯୁବ ମୋର୍ଚ୍ଚା ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ଲୋୟର ପିଏମିଜିରେ ପୋଲିସ- ବିଜେପି ଧସ୍ତାଧସ୍ତି ଘଟଣା, ପୋଲିସ ନାଁରେ ମାମଲା ରୁଜୁ

ପ୍ରକାଶ ଥାଉକି, ରାଜ୍ୟ ବିଧାନସଭା ଆଗରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ଓ ନବଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନ କରିଥିଲା । ଏହି ସମୟରେ ପୋଲିସ ଓ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ସେମାନଙ୍କ ଉପରେ ଅମାନୁଷିକ ଭାବେ ବ୍ୟବହାର ପ୍ରଦର୍ଶନ କରିଥିବା ବିଜେପି ଅଭିଯୋଗ କରିଛି । ରାଜ୍ୟରେ ଗଣତାନ୍ତ୍ରିକ ଭାବେ ଆନ୍ଦୋଳନ କରିବା ପାଇଁ ବି ରାଜ୍ୟ ସରକାର ବିରୋଧି ଦଳକୁ ସୁଯୋଗ ଦେଉ ନଥିବା ବିଜେପି କହିଛି । ତେବେ ବିଧାନସଭା ଆଗରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସର ଅମାନୁଷିକ ବ୍ୟବହାରର ପ୍ରତିବାଦ କରି ଆଜି ଯୁବମୋର୍ଚ୍ଚା ଏହି ଆନ୍ଦୋଳନ କରିଥିଲା । ଏଥିସହ ଦଳ ପକ୍ଷରୁ କରାଯାଇଥିବା ଦାବି ପୂରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.