ETV Bharat / state

ବଲାଙ୍ଗୀର ଆଇଟି ରେଡ୍: ସୁବର୍ଣ୍ଣପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କୁଶପୁତ୍ତଳିକା ଦାହ

author img

By ETV Bharat Odisha Team

Published : Dec 12, 2023, 7:17 AM IST

ନିରଞ୍ଜନ ପୂଜାରୀଙ୍କ କୁଶ ପୁତ୍ତଳିକା ଦାହ
ନିରଞ୍ଜନ ପୂଜାରୀଙ୍କ କୁଶ ପୁତ୍ତଳିକା ଦାହ

BJP burnt effigy of Niranjan Pujari: ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସଦର ସୋନପୁର ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବିଜେଡି ଦେଶୀ ମଦର କଳାବଜାରକୁ ପ୍ରୋତ୍ସାହନ ଯୋଗାଇ ଦେବା ସହ ବ୍ୟାପକ ପରିମାଣରେ କଳା ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ

ନିରଞ୍ଜନ ପୂଜାରୀଙ୍କ କୁଶ ପୁତ୍ତଳିକା ଦାହ

ସୁବର୍ଣ୍ଣପୁର: ଆୟକର ଚଢ଼ାଉ ପରେ କୋଟି କୋଟି ଟଙ୍କା ଜବତ ହେବା ଘଟଣାକୁ ନେଇ ବିଜେପିର ପ୍ରତିବାଦ । ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସଦର ସୋନପୁର ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସୋମବାର ସନ୍ଧ୍ୟାରେ ସହରର ବିଜୁ ପଟ୍ଟନାୟକ ଛକରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସଂଗଠିତ ହୋଇ ବିଜେଡି ସରକାର, ସ୍ୱାସ୍ଥ୍ୟମନ୍ତ୍ରୀ ତଥା ପୂର୍ବତନ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିରୁଦ୍ଧରେ ନାରାବାଜି କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିବା ବେଳେ ବିଜେଡି ଦେଶୀ ମଦର କଳାବଜାରକୁ ପ୍ରୋତ୍ସାହନ ଯୋଗାଇ ଦେଇ ବ୍ୟାପକ ପରିମାଣରେ କଳା ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ କରିଛନ୍ତି । ବଲାଙ୍ଗୀର ସହରରେ କଂଗ୍ରେସ ରାଜ୍ୟସଭା ସାଂସଦ ମଦଭାଟିରେ ପ୍ରାୟ 200 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟକର ବିଭାଗ ଜବତ କରିଛି । ଏହି ଟଙ୍କା ସଂଗ୍ରହରେ ମଦର କଳା କାରବାର ହୋଇଛି ବୋଲି ଅଭିଯୋଗ କରିଛନ୍ତି । କେବଳ ସୁବର୍ଣ୍ଣପୁର ନୁହେଁ ପଶ୍ଚିମାଞ୍ଚଳରେ ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ ମଧ୍ୟ ବ୍ୟାପକ ପରିମାଣର ବେଆଇନ ଦେଶୀ ମଦ କାରବାର ସାଙ୍ଗକୁ କଳା ଟଙ୍କା ସଂଗ୍ରହରେ ନିରଞ୍ଜନ ପୂଜାରୀଙ୍କ ପ୍ରଛନ୍ନ ହାତ ରହିଥିବା ବିଜେପି ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଇଟି ରେଡ: ଆୟକର ଫାଙ୍କିବା ମାମଲାରେ କଂଗ୍ରେସ ଓ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା ବିଜେପି

ଏପରିକି ଲଗାତାର କଳା ଟଙ୍କା ସଂଗ୍ରହ କରି ତାକୁ ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ ପୂର୍ବତନ ଅବକାରୀ ମନ୍ତ୍ରୀ ନିଜ କ୍ଷମତାର ଦୁରୁପଯୋଗ କରିଥିବା ଅଭିଯୋଗ କରିଛି ବିଜେପି । ନିର୍ବାଚନ ଜିତିବା ପାଇଁ ବ୍ୟାପକ କଳା ଟଙ୍କା ରୋଜଗାର କରିବା, ବେଆଇନ ମଦ କାରବାରକୁ ପ୍ରୋତ୍ସାହନ ଦେବା ସହିତ ବିଜେଡି ନେତାମାନେ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗ କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପୂର୍ବତନ ମନ୍ତ୍ରୀଙ୍କ ସହ ଏହି ବେଆଇନ ଖେଳରେ ସାମିଲ ଥିବା ବିଜେଡିର ଅନ୍ୟ ନେତା ମନ୍ତ୍ରୀଙ୍କ ସମେତ ସରକାରୀ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ କରି ଜିଲ୍ଲା ବିଜେପି ଏହି ଆନ୍ଦୋଳନ କରିଛି । ତୁରନ୍ତ ଏହାର ତଦନ୍ତ କରି ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଗଲେ ବିଜେପି ପୁଣିଥରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.