ETV Bharat / state

ଆଇଟି ରେଡ: ଆୟକର ଫାଙ୍କିବା ମାମଲାରେ କଂଗ୍ରେସ ଓ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା ବିଜେପି

author img

By ETV Bharat Odisha Team

Published : Dec 11, 2023, 8:19 PM IST

IT raids in odisha : ଆୟକର ବିଭାଗ ଚଢ଼ାଉ ନେଇ ବୌଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

IT raids in odisha
IT raids in odisha

IT raids in odisha

ବୌଦ୍ଧ: ମଦ ସାମ୍ରାଜ୍ୟରୁ ଆୟକର ବିଭାଗ ଚଢାଉ କରି ଶହ ଶହ କୋଟି ଟଙ୍କା ଜବତ କରିବା ପରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ବିଜେପି ନେତାମାନେ ଏଭଳି ଦୁର୍ନୀତିରେ ବିଜେଡି ନେତା ସାମିଲ ଥିବା ଅଭିଯୋଗ କରିଛନ୍ତି । ଏହାସହ କଂଗ୍ରେସ ରାଜ୍ୟସଭା ସାଂସଦଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ତେବେ ବିଡିପିଏଲ କମ୍ପାନୀ ଓ ଏହା ସହିତ ଜଡିତ ମଦ ସାମ୍ରାଜ୍ୟରୁ ଶହ ଶହ କୋଟି ଟଙ୍କା ଆୟକର ବିଭାଗ ଚଢାଉ କରି ଜବତ କରିବା ପରେ ବର୍ତ୍ତମାନ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି । ମଦ ବ୍ୟବସାୟୀ ତଥା କଂଗ୍ରେସ ରାଜ୍ୟସଭା ସାଂସଦଙ୍କ ଏଥିରେ ସମ୍ପୃକ୍ତି ଥିବା ଆଇଟି ରେଡ୍ ସମୟରେ ଲୋକଲୋଚନକୁ ଆସିଥିବା ବେଳେ ବର୍ତ୍ତମାନ ଏଭଳି ବେଆଇନ କାରବାର ପଛରେ ବିଜେଡ଼ିର ବରିଷ୍ଠ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ବିଜେପି ଅଭିଯୋଗ କରିଛି । ବିଡିପିଏଲ କମ୍ପାନୀ ଓ ମଦ ବ୍ୟବସାୟୀଙ୍କ ଠାରୁ କୋଟି କୋଟି ଟଙ୍କାର ଅମାପ ଧନ ଆଇଟି ରେଡ୍ ସମୟରେ ଲୋକଲୋଚନକୁ ଆସିବା ପରେ ବିଭିନ୍ନ ରାଜ୍ୟରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ......ଆଇଟି ରେଡ: ଶେଷ ହେଲା ଟଙ୍କା ଗଣତି, ମିଳିଲା 300 କୋଟିରୁ ଅଧିକ !

ବୌଦ୍ଧ ଡିଷ୍ଟିଲାରୀରେ ଲଗାତାର ଆଇଟି ବିଭାଗର ରେଡ୍ ସମୟରେ ସେହି ଅଞ୍ଚଳରୁ ବିପୁଳ ପରିମାଣରେ ଚିରା ପାଞ୍ଚ ଶହ ଟଙ୍କିଆ ନୋଟ୍ ମିଳିଥିଲା । ଏହାଛଡା ବୌଦ୍ଧ ଜିଲ୍ଲାରେ ମଦ ବ୍ୟବସାୟୀଙ୍କ ଉପରେ ଆୟକର ଚଢାଉ କରିନଥିବାରୁ ଆହୁରି ଅନେକ ବେଆଇନ ତଥା କଳାଧନ ବର୍ତ୍ତମାନ ମଧ୍ୟ ମହଜୁଦ ଥିବା ଆଲୋଚନା ହେଉଛି । ଚଳିତ ସମୟରେ ଏହି ବହୁ ଚର୍ଚ୍ଚିତ କଳାଧନ ତଥା ଟିକସ ଫାଙ୍କି ମାମଲାରେ କଂଗ୍ରେସର ବରିଷ୍ଠ ରାଜ୍ୟସଭା ସାଂସଦଙ୍କ ସମ୍ପୃକ୍ତି ସହିତ ରାଜ୍ୟର ଚାରିଜଣ ମନ୍ତ୍ରୀଙ୍କ ସିଧାସଳଖ ସମ୍ପୃକ୍ତି ଅଭିଯୋଗ ଆଣିଛି ବିଜେପି । ବୌଦ୍ଧ ବିଧାୟକ ତଥା ରାଜ୍ୟର ବରିଷ୍ଠ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଏହି ବିଡିପିଏଲ କମ୍ପାନୀ ସହିତ ନିବିଡ଼ ସମ୍ପର୍କ ଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । ତେଣୁ ରାଜ୍ୟର ଚାରିଜଣ ମନ୍ତ୍ରୀଙ୍କ ଏଭଳି ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ ଆଣି ବିଜେପି ସେମାନଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ ରାଜ୍ୟ ମହିଳା ଉପସଭାନେତ୍ରୀ ଓ ଜିଲ୍ଲାର ବହୁ ବରିଷ୍ଠ ବିଜେପି ନେତା ତଥା କର୍ମୀ ସମ୍ପୃକ୍ତ କଂଗ୍ରେସ ରାଜ୍ୟସଭା ସାଂସଦ ଧିରଜ ସାହୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.