ETV Bharat / state

ମହାନଦୀରେ ଉପର ମୁଣ୍ଡରୁ ହ୍ରାସ ପାଇଛି ଜଳ ପ୍ରବାହ, କମିଛି ବିଦ୍ୟୁତ ଉତ୍ପାଦନ !

author img

By

Published : Jun 2, 2023, 9:53 PM IST

ଅଣ ମୌସୁମୀ ସମୟରେ ଛତିଶଗଡ଼ ପଟୁ ମହାନଦୀକୁ ଆସୁଥିବା ପାଣି ହ୍ରାସ ପାଇବା ଯୋଗୁଁ ଏହାର ପ୍ରଭାବ ହୀରାକୁଦ ଜଳ ବିଦ୍ୟୁତ ଉତ୍ପାଦନ ଉପରେ ପଡ଼ିଥିବା ଚର୍ଚ୍ଚା ହେଉଛି l ଅଧିକ ପଢ଼ନ୍ତୁ

odisha and Chhattisgarh water tribunal
ମହାନଦୀ ଜଳ ବିବାଦ

ମହାନଦୀ ଜଳ ବିବାଦ

ସମ୍ବଲପୁର: ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ମହାନଦୀ ଜଳ ବିବାଦ ପାଇଁ ଟ୍ରିବୁନାଲ ଗଠନ ହୋଇଛି l ଏହି ଟ୍ରିବୁନାଲର ଟିମ ନିକଟ ଅତୀତରେ ଛତିଶଗଡ଼ ଓ ଓଡ଼ିଶା ପରିଦର୍ଶନ କରି ଫେରିଛନ୍ତି l ହେଲେ ଆଜି ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରିନାହିଁ l ଅନ୍ୟପଟେ ଅଣ ମୌସୁମୀ ସମୟରେ ଛତିଶଗଡ଼ ପଟୁ ମହାନଦୀକୁ ଆସୁଥିବା ପାଣି ହ୍ରାସ ପାଇବା ଯୋଗୁଁ ବର୍ତ୍ତମାନ ଏହାର ପ୍ରଭାବ ହୀରାକୁଦ ଜଳ ବିଦ୍ୟୁତ ଉତ୍ପାଦନ ଉପରେ ପଡ଼ିଥିବା ଚର୍ଚ୍ଚା ହେଉଛି l

ହୀରାକୁଦ ଡ୍ୟାମର ଉପର ମୁଣ୍ଡ ଛତିଶଗଡ଼ ପଟୁ ମହାନଦୀରେ ଜଳ ପ୍ରବାହ ବର୍ତ୍ତମାନ ମାତ୍ର 1 ହଜାର କ୍ୟୁସେକରୁ ମଧ୍ୟ କମ ଆସୁଛି ତେଣୁ ବିଦ୍ୟୁତ ଉତ୍ପାଦନ କମିଛି ବୋଲି ପରିବେଶବିତ୍ ରଞ୍ଜନ ପଣ୍ଡା କହିଛନ୍ତି । ତେବେ ବୁର୍ଲା OHPC ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ବର୍ଷ ଅଣ ମୌସୁମୀ ଋତୁ ନଭେମ୍ବରରୁ ଜୁନ 25 ମଧ୍ୟରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥାଏ l ସମ୍ବଲପୁରର ହୀରାକୁଦ ଡ୍ୟାମ ଜଳ ବିଦ୍ୟୁତ ଉତ୍ପାଦନ କରିବା ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ l ବୁର୍ଲା ଓ ଚିପିଲିମାରେ ଜଳ ବିଦ୍ୟୁତ ଉତ୍ପାଦନ ହୋଇଥାଏ l ବୁର୍ଲା OHPC କେନ୍ଦ୍ରରେ ରହିଛି 7 ଟି ଟର୍ବାଇନ ଓ ଚିପିଲିମାରେ ରହିଛି 3 ଟି ଟର୍ବାଇନ l ବୁର୍ଲା OHPC କେନ୍ଦ୍ରର ପ୍ରଥମ ଓ ଦ୍ୱତୀୟ ଟର୍ବାଇନର ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷମତା 49.5MW ଲେଖାଏଁ ରହିଛି । ତୃତୀୟ ଓ ଚତୁର୍ଥ ଟର୍ବାଇନର ଉତ୍ପାଦନ କ୍ଷମତା 32 MW ଲେଖାଏଁ ରହିଛି l ପଞ୍ଚମ ଓ ଷଷ୍ଠ ଟର୍ବାଇନରର ଉତ୍ପାଦନ କ୍ଷମତା ରହିଛି 43.3MW l

ସପ୍ତମ ଟର୍ବାଇନର କ୍ଷମତା ରହିଛି 37.5 MW l ଏହିଭଳି ଭାବରେ ବୁର୍ଲା ୟୁନିଟର ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତା 287.58MW l ତେବେ ବର୍ତ୍ତମାନ ଅଣ ମୌସୁମୀ ଋତୁ ହୋଇଥିବା ବେଳେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର 603.97ଫୁଟ ରହିଛି ଓ ଉପର ମୁଣ୍ଡରୁ ମାତ୍ର 936 କ୍ୟୁସେକ ଜଳ ପ୍ରବେଶ କରୁଛି l ଏଭଳି ସ୍ଥିତିରେ ବର୍ତ୍ତମାନ ବୁର୍ଲା OHPC କେନ୍ଦ୍ରରୁ ଦୈନିକ ହାରାହାରି 35 ରୁ 40 MH ବିଦ୍ୟୁତ ଉତ୍ପାଦନ ହେଉଛି, ଯେତେବେଳେ କି ମୌସୁମୀ ଋତୁରେ ଦୈନିକ 275 ରୁ 287 MW ବିଦ୍ୟୁତ ଉତ୍ପାଦନ ହୋଇଥାଏ l

ଅନ୍ୟପଟେ ଚିପିଲିମା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ 3 ଟି ଟର୍ବାଇନ ଥିବାବେଳେ ପ୍ରତ୍ୟେକର ଉତ୍ପାଦନ କ୍ଷମତା 24 MW ଲେଖାଏଁ ରହିଛି l ଚିପିଲିମାର ମୋଟ ଉତ୍ପାଦନ କ୍ଷମତା 63.5MW ରହିଛି l ତେବେ ବର୍ତ୍ତମାନ ଅଣ ମୌସୁମୀ ଋତୁରେ ଏହାର ଦୈନିକ ଉତ୍ପାଦନ ହାରାହାରି 25MW ରହିଛି l ତେବେ ବୁର୍ଲା ଉତ୍ପାଦନ କେନ୍ଦ୍ରରେ ମୌସୁମୀ ଋତୁରେ 1 MW ବିଦ୍ୟୁତ ଉତ୍ପାଦନ ପାଇଁ 130 କ୍ୟୁସେକ ଜଳ ବ୍ୟବହାର ହେଉଥିବା ବେଳେ ଅଣ ମୌସୁମୀ ଋତୁରେ 150 କ୍ୟୁସେକ ଜଳ ବ୍ୟବହାର ହୋଇଥାଏ l ଅନ୍ୟପଟେ ଚିପିଲିମା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ 1 MW ବିଦ୍ୟୁତ ଉତ୍ପାଦନ ପାଇଁ ସବୁବେଳେ ପ୍ରାୟ 180 କ୍ୟୁସେକ ଜଳ ବ୍ୟବହାର ହୋଇଥାଏ l

ହୀରାକୁଦ ଡ୍ୟାମର ଅବସରପ୍ରାପ୍ତ ଯନ୍ତ୍ରୀ କହିଛନ୍ତି, "ମୌସୁମୀ ଋତୁ ଯଥା ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ବୁର୍ଲା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଦୈନିକ 275 ରୁ 287MW ବିଦ୍ୟୁତ ଉତ୍ପାଦନ ହୋଇଥାଏ l ତେବେ ଅଣ ମୌସୁମୀ ଋତୁ ଯଥା ନଭେମ୍ବରରୁ ଜୁନ 25 ଯାଏଁ ଛତିଶଗଡ ପଟୁ କମ ଜଳ ଆସୁଥିବାରୁ ଜଳ ସମ୍ପଦ ବିଭାଗ ଓ ଶକ୍ତି ବିଭାଗ ମଧ୍ୟରେ ଏକ ସାମନ୍ମୟ ବୈଠକ କରାଯାଇ ଏକ ଟେବୁଲ ତିଆରି ହୋଇଥାଏ ଓ ଅଣ ମୌସୁମୀ ଋତୁରେ ଜଳ ସେଚନର ଆବଶ୍ୟକତାକୁ ବାଦ ଦେଇ ବଳକା ଜଳକୁ ଆଖି ଆଗରେ ରଖି ପ୍ରତିମାସରେ କେତେ ଜଳ ଆସିବ ତାକୁ ଦେଖି ବିଦ୍ୟୁତ ଉତ୍ପାଦନ କରାଯାଇଥାଏ l ବର୍ତ୍ତମାନ ପରିପ୍ରେକ୍ଷୀରେ ମହାନଦୀରେ ଉପର ମୁଣ୍ଡରୁ ପ୍ରବାହିତ ଜଳ ବହୁତ ହ୍ରାସ ପାଇଥିବାରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇ ଥାଇପାରେ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.